ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଚଳିତ ପ୍ରୋ-ଲିଗ୍ ହକିର ରାଉରକେଲା ଲେଗ୍ ଅଭିଯାନ ଆରମ୍ଭ କରିଛି। ସ୍ପେନ୍ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍କୁ ୮-୭ ସୁଟ୍ଆଉଟ୍ରେ ଜିତିନେଇଛି। ତା’ ସହିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଅପରାଜେୟ ରହିବାର କୀର୍ତ୍ତିମାନକୁ ଅକ୍ଷୁଣ୍ଣ ରଖିଛି। ଅଭିଷେକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ସୋମବାର ମ୍ୟାଚ୍ର ୩୮ ସେକେଣ୍ଡ୍ରେ ଭାରତୀୟ ତାରକା ଜର୍ମନପ୍ରୀତ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ତେବେ ତୃତୀୟ ମିନିଟ୍ରେ ସ୍ପେନ୍ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରି ନଥିଲେ ଏହି ଦଳର ତାରକା ଖେଳାଳି ଜୋସ୍ ବାଷ୍ଟେରା। ପଞ୍ଚଦଶ ମିନିଟ୍ରେ ବୋର୍ଜା ଲାକାଲି ଏକ ଫିଲ୍ଡ ଗୋଲ୍ ଦେଇ ସ୍ପେନ୍କୁ ୨-୧ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟରରେ କିନ୍ତୁ ଭାରତୀୟ ଖେଲାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ୩୫ତମ ମିନିଟ୍ରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣର୍କୁ ଅଭିଷେକ ଗୋଲ୍ରେ ରୂପାନ୍ତର କରି ସ୍କୋର୍ ୨-୨ କରିଥିଲେ। ଶେଷ ସେକେଣ୍ଡ୍ରେ ସ୍ଥାନୀୟ ଖେଳାଳି ଅମିତ ରୋହିଦାସ ଓ ବିପକ୍ଷ ଖେଳାଳିଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ହେବାରୁ ମ୍ୟାଚ୍ରେ ଉଷ୍ମତା ଭରି ଯାଇଥିଲା। ଅନ୍ତିମ କ୍ଷଣରେ ଅମିତଙ୍କ ପାଖକୁ ବଲ୍ ଆସିବାରୁ ଡ୍ରିବ୍ଲଂ କରି ସମୟ ଅତିବାହିତ କରିବାରୁ ପ୍ରତିପକ୍ଷ ଖେଳାଳି କ୍ଷୁବ୍ଧ ହୋଇଥିଲେ। ଶେଷରେ ଅମିତ ଏକ ଲମ୍ବା ପାସ୍ ଦେବାରୁ ସ୍ପେନ୍ର କିଛି ଖେଳାଳି ପଡ଼ିଆ ଛାଡ଼ିବା ପୂର୍ବରୁ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଶେଷ କ୍ବାର୍ଟରରେ କିନ୍ତୁ କେହି ଗୋଲ୍ ସ୍କୋର୍ କରିନପାରି ନଥିଲେ। ତେଣୁ ଫଳାଫଳ ପାଇଁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଭାରତ ବାଜିମାରିନେଇଥିଲା। ସୋମବାରର ଅନ୍ୟ ଏକ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୨-୧ ଗୋଲ୍ରେ ଆୟର୍ଲାଣ୍ଡ୍କୁ ପରାସ୍ତ କରିଛି।