ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ମେଲ୍‌ବର୍ନରୁ ସ୍ଥାନାନ୍ତର ହେବ!

ମେଲ୍‌ବର୍ନ: କରୋନା ଭୂତାଣୁ ସଂକ୍ରମଣ ବ୍ୟାପକ ହେଉଥିବାରୁ ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ମେଲ୍‌ବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବା ନେଇ ଅନିଶ୍ଚିତତା ଦେଖାଦେଇଛି। ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ୪ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବାର ସୂଚୀ ରହିଛି। ବ୍ରିସ୍‌ବନ୍‌ରୁ ଶୃଙ୍ଖଳା ଆରମ୍ଭ ହେବାକୁ ଥିଲା ବେଳେ ଏହାପରେ ଆଡିଲେଡ୍‌, ମେଲ୍‌ବର୍ନ ଏବଂ ସିଡ୍‌ନିରେ ଅବଶିଷ୍ଟ ୩ ଟେଷ୍ଟ୍‌ ଖେଳାଯିବ। ବକ୍ସିଂ ଡେ’ ଟେଷ୍ଟ୍‌ ସାଧାରଣତଃ ପ୍ରତିବର୍ଷ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥାଏ। ପ୍ରଥମ ଥର ଲାଗି ୧୯୫୦ରେ ବକ୍ସିଂ ଡେ’ ଟେଷ୍ଟ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଭାରତ ମଧ୍ୟ ଅଷ୍ଟ୍ରେଲିଆରେ ୧୯୮୫, ୧୯୯୧, ୧୯୯୯, ୨୦୦୩, ୨୦୦୭, ୨୦୧୧, ୨୦୧୪ ଓ ୨୦୧୮ରେ ବକ୍ସିଂ ଡେ’ ଟେଷ୍ଟ୍‌ ଖେଳିଛି। ଏଥର ଭାରତ ମଧ୍ୟ ଏହି ଟେଷ୍ଟ୍‌ ଏମ୍‌ସିଜିରେ ଖେଳିବ। ଏମ୍‌ସିଜିରେ ଦର୍ଶକଙ୍କ ପାଇଁ ମୋଟ ୯୫୦୦୦ ଆସନ ରହିଛି। ହେଲେ ମେଲ୍‌ବର୍ନ ସହରରେ କରୋନା ଭୂତାଣୁ ମହାମାରୀ ରୂପ ନେଇ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ଏମ୍‌ସିଜିରେ ଚଳିତ ବର୍ଷ ଏହି ଟେଷ୍ଟ୍‌ ଖେଳାଯିବା ନେଇ ଚିନ୍ତାପ୍ରକଟ କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ଏହି ଟେ‌‌ଷ୍ଟ ଏମ୍‌ସିଜିରୁ ହୁଏତ ପର୍ଥକୁ ସ୍ଥାନାନ୍ତର ହୋଇପାରେ ବୋଲି ପେନ୍‌ କହିଛନ୍ତି।

ପର୍ଥ ଷ୍ଟାଡିୟମ୍‌ରେ ୬୦,୦୦୦ ଦର୍ଶକଙ୍କ ପାଇଁ ଆସନ ରହିଛି ଯାହାକି ଏମ୍‌ସିଜି ପରେ ଦେଶର ଶ୍ରେଷ୍ଟ ଷ୍ଟାଡିୟମ୍‌ ଭାବେ ପରିଗଣିତ। ବକ୍ସିଂ ଡେ’ ଭଳି ବଡ଼ ଦିନରେ ଟେଷ୍ଟ୍‌କୁ ସବୁବେଳେ ଆମେ ବିପୁଳ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଚାହୁଁ। ସେଥିପାଇଁ ପ୍ରତିବର୍ଷ ମେଲ୍‌ବର୍ନରେ ବକ୍ସିଂ ଡେ’ ଟେଷ୍ଟ୍‌ ଖେଳାଯାଇଥାଏ। ଏହି ଦିନକୁ ପାଳନ ମଧ୍ୟରେ କ୍ରିକେଟ୍‌ପ୍ରେମୀ ଦେଶବାସୀ ମଧ୍ୟ ବିପୁଳ ସଂଖ୍ୟାରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଉପଭୋଗ କରିଥା’ନ୍ତି। ‌ହେଲେ ସାଂପ୍ରତିକ କରୋନା ମହାମାରୀ ଏଥର ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌କୁ ଏମ୍‌ସିଜିରେ କରାଇ ଦେଇନପାରେ ବୋଲି କହିଛନ୍ତି ପେନ୍‌। ତଥାପି ଆହୁରି ୬ ମାସ ସମୟ ରହିଥିଲା ବେଳେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ଏମ୍‌ସିଜିରେ ଟେଷ୍ଟ୍‌ ଖେଳାଯାଇପାରିବ। ସ୍ଥିତି ସୁଧୁରିନଥିଲେ ପର୍ଥକୁ ବକ୍ସିଂ ଡେ’ ଟେଷ୍ଟ୍‌ ସ୍ଥାନାନ୍ତର ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିବ ବୋଲି ପେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର