ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦର୍ଶକ କ୍ଷମତା ନିର୍ଦ୍ଧାରିତ: ଏସ୍‌ସିଜିରେ ୫୦, ଏମ୍‌ସିଜିରେ ୨୫ ଓ ଗାବାରେ ୭୫ ପ୍ରତିଶତ

ଶେଷ ୩ ଟେଷ୍ଟ୍‌ରେ କୋହଲିଙ୍କ ଅନୁପସ୍ଥିତି ନେଇ ୱ’ ନିରାଶ

ସିଡ୍‌ନି: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଖେଳାଯିବାକୁ ଥିବା ବିଭିନ୍ନ ଷ୍ଟାଡିୟମର ସର୍ବାଧିକ ଅନୁମୋଦିତ ଦର୍ଶକ ସଂଖ୍ୟା କ୍ରିକେଟ୍ ଅଷ୍ଟ୍ରେଲିଆ ନିର୍ଦ୍ଧାରଣ କରିଛି। କରୋନା ସଂକ୍ରମଣ ଭୟ ପାଇଁ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରି ସୀମିତ ଓଭର ପର୍ଯ୍ୟାୟ ଖେଳାଯିବାକୁ ଥିବା ସିଡ୍‌ନି କ୍ରିକେଟ୍ ପଡ଼ିଆ (ଏସ୍‌ସିଜି) ଓ କାନବେରାରେ ମୋଟ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ମଙ୍ଗଳବାର କହିଛି। ଜାନୁଆରି ୭ରୁ ସିଡ୍‌ନିରେ ଖେଳାଯିବାକୁ ଥିବା ନୂଆ ବର୍ଷ ଟେଷ୍ଟ୍ ପାଇଁ ମଧ୍ୟ ଏସ୍‌ସିଜି ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ପରିଚାଳିତ ହେବ ବୋଲି ସ୍ପଷ୍ଟ କରିଛି। ମେଲବର୍ନରେ କରୋନା ସଂକ୍ରମଣ ମାମଲା ତୁଳନାତ୍ମକ ଅଧିକ ଥିବାରୁ ଏଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକରେ ମୋଟ କ୍ଷମତାର ମାତ୍ର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ଆସି ମ୍ୟାଚ୍ ଦେଖିବାର ସୁଯୋଗ ମିଳିବ। ବ୍ରିସବନ୍‌ର ଗାବା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକରେ କିନ୍ତୁ ସିଡ୍‌ନି, କାନବେରା ଓ ମେଲବର୍ନଠାରୁ ଯଥେଷ୍ଟ ଅଧିକ ଅଧିକ ଅର୍ଥାତ୍ ୭୫ ପ୍ରତିଶତ ଦର୍ଶକ ଷ୍ଟାଡିୟମ୍ ପ୍ରବେଶର ସୌଭାଗ୍ୟ ଲାଭ କରିବେ। ଭାରତ ଗସ୍ତର ପ୍ରଥମ ମ୍ୟାଚ୍‌ ଚଳିତ ମାସ ୨୭ ତାରିଖରେ ଖେଳାଯିବ। ଦିନିକିଆ ଶୃଙ୍ଖଳାର ଏହି ପ୍ରଥମ ମୁକାବିଲାରେ ମଧ୍ୟ ଅଷ୍ଟ୍ରେଲୀୟ ଷ୍ଟାଡିୟମକୁ କରୋନା ସଙ୍କଟ ପରେ ପ୍ରଥମ ଥର ପାଇଁ ଦର୍ଶକ ଫେରିବେ। ବ୍ରିସବନରେ ଅବଶ୍ୟ ଗତ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମହିଳା ଶୃଙ୍ଖଳା ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ଫେରି ସାରିଛି।

ପ୍ରଥମ ସନ୍ତାନର ଜନ୍ମ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ଶେଷ ୩ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳିବେ ନାର୍ହି। କୋହଲିଙ୍କ ଭଳି ଖେଳାଳି ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାର କେବଳ ଗୋଟିଏ ମ୍ୟାଚ୍ ଖେଳିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ଙ୍କୁ କିନ୍ତୁ ପୂରା ନିରାଶ କରିଛି। କୋହଲିଙ୍କ ଅନୁପସ୍ଥିତି ବର୍ଡର-ଗାଭାସ୍କର ଟ୍ରଫିକୁ ପୁଣି ଥରେ ପାଖରେ ରଖିବା ଲାଗି ଅଷ୍ଟ୍ରେଲିଆର କାମକୁ ସହଜ କରିଦେବ। ତେବେ କୋହଲିଙ୍କ ଅନୁପସ୍ଥିତି ପ୍ରଶଂସକଙ୍କ ପାଇଁ ନୈରାଶ୍ୟଜନକ ଖବର ଏବଂ ବ୍ୟକ୍ତିଗତ ଭା‌ବେ ସେ ବିସ୍ମିତ ‌ବୋଲି ୱ ମଙ୍ଗଳବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ‘‘କୋହଲିଙ୍କ ଖେଳ ଜୀବନର ଏହା ଅନ୍ୟତମ ମହତ୍ବପୂର୍ଣ୍ଣ ଶୃଙ୍ଖଳା। ଅବଶ୍ୟ ପରିବାର ସବୁବେଳେ ପ୍ରଥମେ ଆଶେ। ଦୁଇ ବର୍ଷ ତଳେ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ନରଙ୍କ ଅନୁପସ୍ଥିତିରେ ଭାରତ ବିଜୟୀ ହୋଇଥିଲା। ଏଥର କୋହଲିଙ୍କ ଅନୁପସ୍ଥିତି ପାଇଁ ଅଷ୍ଟ୍ରେଲିଆ ଲାଭରେ ରହିବ। ତେବେ ଆପଣ ସବୁବେଳେ ଶ୍ରେଷ୍ଠ ଓ ଶକ୍ତିଶାଳୀ ପ୍ରତିପକ୍ଷ ବିପକ୍ଷରେ ବିଜୟୀ ହେବାକୁ ଚାହିବେ। ବିଶେଷ କରି ଯେତେବେଳେ ଲଢ଼େଇ ଶୀର୍ଷ ସ୍ତରୀୟ ହୋଇଥିବ ଅଷ୍ଟ୍ରେଲିଆ ପାଇଁ ୧୬୮ ‌ଟେଷ୍ଟ୍ ଖେଳିଥିବା ୱ’ ମନ୍ତବ୍ୟ ରଖିଥିଲେ। କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବା‌ହୀ ନିକ୍ ହକଲେ କିନ୍ତୁ କୋହଲିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି। ‘‘ ବିରାଟ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃ୍ଙ୍ଖଳା ସହ ପ୍ରଥମ ଟେଷ୍ଟ୍ ପାଇଁ ଉପଲବ୍ଧ ଥିବାରୁ ଆମେ ଉଲ୍ଲସିତ। ପ୍ରଥମ ସନ୍ତାନ ଜନ୍ମ ବେଳେ ସେ ନିଜ ପତ୍ନୀଙ୍କ ପାଖରେ ରହିବା ଲାଗି ନେଇଥିବା ନିଷ୍ପତ୍ତିକୁ ମଧ୍ୟ ଆମକୁ ସମ୍ମାନ ଜଣାଇବାକୁ ହେବ’’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର