ଦୁବାଇ: ଚଳିତ ଟି-୨୦ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡ ରବିବାର ଆଫ୍ଗାନିସ୍ତାନକୁ ହରାଇବା ପରେ ଭାରତର ସେମିଫାଇନାଲ୍ ଆଶା ଭାଙ୍ଗିଯାଇଛି। ଫଳରେ ସୋମବାର ଦୁବାଇରେ ଭାରତ ଓ ନାମିବ୍ୟା ମଧ୍ୟରେ ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ୍ ମ୍ୟାଚ୍ ଗୁରୁତ୍ବ ହରାଇଛି। ଗ୍ରୁପ୍-୨ରେ ଭାରତ ସଂପ୍ରତି ୪ ମ୍ୟାଚ୍ରୁ ୨ ଲେଖାଏଁ ବିଜୟ ଓ ପରାଜୟରୁ ୪ ପଏଣ୍ଟ ପାଇ ଟେବୁଲର ତୃ୍ତୀୟ ସ୍ଥାନରେ ରହିଛି। ନାମିବ୍ୟା ସମାନ ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ସହ ପଞ୍ଚମରେ ରହିଛି। ପାକିସ୍ତାନ ୫ରୁ ୫ ଏବଂ ନ୍ୟୁଜିଲାଣ୍ଡ ୫ରୁ ୪ ଜିତି ଏହି ଗ୍ରୁପ୍ର ପ୍ରଥମ ଦୁଇ ସ୍ଥାନରେ ରହି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଟି-୨୦ରେ କେବେ ବି ଭାରତ ଓ ନାମିବ୍ୟା ମୁହାଁମୁହିଁ ହୋଇନାହାନ୍ତି। ପ୍ରଥମ ଥର ଲାଗି ଚଳିତ ବିଶ୍ବକପ୍ରେ ଦୁବାଇରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ଏବଂ ଗେରହାର୍ଡ ଏରାସମୁସଙ୍କ ନେତୃତ୍ବରେ ନାମିବ୍ୟା ପଡ଼ିଆକୁ ଓହ୍ଲାଇବ। ସେମିଫାଇନାଲ୍ ଖେଳିବା ଆଶା ନଥିବାରୁ ଭାରତ କେବଳ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଖେଳିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା, ଭୁବନେଶ୍ବର କୁମାର, ମହମ୍ମଦ ସାମି।
ନାମିବ୍ୟା ଦଳ: ଗେରହାର୍ଡ ଏରାସମୁସ (ଅଧିନାୟକ), ଷ୍ଟିଫେନ୍ ବାର୍ଡ, କାର୍ଲ ବିର୍କେନଷ୍ଟକ, ମିଚାଉ ଡୁ’ପ୍ରିଜ, ଜାନ ଫ୍ରାଏଲିଙ୍କ, ଜାନେ ଗ୍ରିନ, ନିକୋଲ ଲୋଫି-ଇଟନ, ବର୍ନାର୍ଡ ସ୍କଜ, ବେନ ସିକୋଙ୍ଗୋ, ଜେଜେ ସ୍ମିଟ, ରୁବେନ ଟ୍ରୁମ୍ପେଲମାନ, ମାଇକେଲ ଭାନ ଲିଙ୍ଗେନ, ଡେଭିଡ ୱାଇଜ, କ୍ରେଗ ଓ୍ବିଲିୟମ୍ସ, ପିକି ୟା ଫ୍ରାନ୍ସ।