ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଭାରତ-ପାକ୍‌ ଶୃଙ୍ଖଳା ଅସମ୍ଭବ: ଆଫ୍ରିଦି

କରାଚି: ଗୁଡ଼ିଏ ଅବାସ୍ତବ ଏବଂ ବିବାଦୀୟ ମନ୍ତବ୍ୟ ଦେବାନେଇ ଜଣାଶୁଣା ପୂର୍ବତନ ପାକିସ୍ତାନୀ ଅଧିନାୟକ ସାହିଦ ଆଫ୍ରିଦି ଭାରତ ବିରୋଧରେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ସେ ଭାରତ-ପାକିସ୍ତାନ ସଂପର୍କକୁ ନେଇ କହିଛନ୍ତି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତଥା ତାଙ୍କ ହାତରେ ଭାରତର କ୍ଷମତା ରହିବା ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ସମ୍ଭବ ହେବନି ବୋଲି ମନ୍ତବ୍ୟ ରଖିଛନ୍ତି ଆଫ୍ରିଦି। ‘‘ପାକିସ୍ତାନ ସରକାର ସବୁବେଳେ ପ୍ରସ୍ତୁତ, କିନ୍ତୁ ଏବର ଭାରତ ସରକାର ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ପୁନଃଆରମ୍ଭ କରିବା ନେଇ କୌଣସି ଆଗ୍ରହ ଦେଖାଉନାହାନ୍ତି। ଯେପର୍ଯ୍ୟନ୍ତ ମୋଦି କ୍ଷମତାରେ ରହିବେ ସେପର୍ଯ୍ୟନ୍ତ ଭାରତ-ପାକ୍‌ ଦ୍ବିପାକ୍ଷିକ ଶୃଙ୍ଖଳା ହେବା ଅସମ୍ଭବ’’ ବୋଲି ଆରବ ନ୍ୟୁଜ୍‌କୁ କହିଛନ୍ତି ଆଫ୍ରିଦି।

ଆଫ୍ରିଦି ପୁଣି କହିଛନ୍ତି, ଆଇପିଏଲ୍‌ରେ ପାକିସ୍ତାନ ଖେଳାଳିଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳୁନଥିବାରୁ ସେମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ‘‘ମୁଁ ଜାଣେ, ଆଇପିଏଲ୍‌ ହେଉଛି କ୍ରିକେଟ୍‌ ବିଶ୍ବରେ ଏକ ବଡ଼ ବ୍ରାଣ୍ଡ୍‌ ଏବଂ ଏହା ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ପାଇଁ ବହୁତ ବଡ଼ ସୁଯୋଗ। ହେଲେ ଆଇପିଏଲ୍‌ରେ ଖେଳିବା ପାଇଁ ବାବର ଆଜମ୍‌ ହୁଅନ୍ତୁ ବା ଅନ୍ୟ ପାକ୍‌ ଖେଳାଳି ସେମାନଙ୍କୁ ଭାରତ ଯିବାକୁ ପଡ଼ିବ ଏବଂ ଚାପରେ ଖେଳିବାକୁ ପଡ଼ିବ। ପୁଣି ସେମାନଙ୍କ ସହ ଡ୍ରେସିଂ ରୁମ୍‌ ବାଣ୍ଟିବାକୁ ମଧ୍ୟ ପଡ଼ିବ। ତେଣୁ ମୋ ମତରେ ପାକିସ୍ତାନୀ ଖେଳାଳିମାନେ ବଡ଼ ସୁଯୋଗରୁ ବଞ୍ଚିତ ହେଉଛନ୍ତି’’। ଭାରତୀୟଙ୍କଠାରୁ ପାଇଥିବା ସମ୍ମାନ ଓ ଭଲ ପାଇବାକୁ ମୁଁ ସବୁବେଳେ ପ୍ରଶଂସା କରିଥାଏ। ଏବେ ମୁଁ ସାମାଜିକ ଗଣମାଧ୍ୟମରେ ଯେତେବେଳେ କହୁଛି ସେତେବେଳେ ଭାରତରୁ ଅନେକ ବାର୍ତା ପାଇଲି ଏବଂ ମୁଁ ମଧ୍ୟ ଅନେକ ଲୋକଙ୍କୁ ଉତ୍ତର ଦେଲି। ଭାରତକୁ ନେଇ ମୋର ସାମଗ୍ରିକ ଅଭିଜ୍ଞତା ନିଶ୍ଚିତ ଚମତ୍କାର ବୋଲି’’ ବୋଲି ଆଫ୍ରିଦି କହିଛନ୍ତି।

ସମ୍ବନ୍ଧିତ ଖବର