ଭାରତୀୟ ପ୍ରଶିକ୍ଷକଙ୍କ ୨ ଲକ୍ଷ ଦରମା ସୀମା ହଟିଲା

ଏଣିକି ୪ ବର୍ଷିୟା ଚୁକ୍ତି କରାଯିବ; ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଶିକ୍ଷକଙ୍କୁ ମଧ୍ୟ ସୁଯୋଗ ମିଳିବ

ନୂଆଦିଲ୍ଲୀ: ଭାରତୀୟ ପ୍ରଶିକ୍ଷକମାନଙ୍କ ପାଇଁ ଖୁସୀ ଖବର। ଏଲିଟ୍‌ ଆଥ୍‌ଲେଟଙ୍କୁ ପ୍ରଶିକ୍ଷଣ ନିମନ୍ତେ ଭାରତୀୟ ପ୍ରଶିକ୍ଷକଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ୨ ଲକ୍ଷ ଦରମାର ସୀମାକୁ କ୍ରୀଡ଼ା ମନ୍ତ୍ରଣାଳୟ ଶନିବାର ହଟାଇଦେଇଛି। ଯାହାକି ଦେଶରୁ କିପରି ଦକ୍ଷ ଆଥ୍‌ଲେଟ୍‌ ସୃଷ୍ଟି ହୋଇପାରିବେ ସେ ଦିଗରେ ଅଧିକ ଧ୍ୟାନ ଦେବାପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଭାରତୀୟ ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିବ। କେବଳ ସେତିକି ନୁ‌ହେଁ ଦରମା ସୀମା ହଟିଯିବା ପରେ ଏବେ ପୂର୍ବତନ ଖେଳାଳିମାନଙ୍କୁ ଜଣେ ଜଣେ ହାଇପର୍ଫମାନ୍‌ସ ଟ୍ରେନର୍‌ ହେବାରେ ଏହି ନିଷ୍ପତ୍ତି ଆକର୍ଷିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶେଷକରି ସମସ୍ତ ବିଦେଶୀ ପ୍ରଶିକ୍ଷକଙ୍କ ଚୁକ୍ତି ମିଆଦକୁ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ମନ୍ତ୍ରଣାଳୟ ନିର୍ଦେଶ ଜାରି କରିବା ପରେ ପରେ ଭାରତୀୟ ପ୍ରଶିକ୍ଷକଙ୍କ ପାଇଁ ଏହି ଘୋଷଣା କରିଛି।

ବହୁ ସଂଖ୍ୟକ ଭାରତୀୟ ପ୍ରଶିକ୍ଷକ ସେମାନଙ୍କ କାର୍ଯ୍ୟଶୈଳୀ ଜରିଆରେ ଖୁବ୍‌ ଭଲ ଫଳାଫଳ ଦେଖାଉଛନ୍ତି। ତେଣୁ ସେମାନଙ୍କୁ ସେମାନଙ୍କ କଠୋର ପରିଶ୍ରମ ପାଇଁ ପୁରସ୍କୃତ କରିବାର ଆବଶ୍ୟକତା ରହିଛି। ସରକାର ମଧ୍ୟ ଏଲିଟ୍‌ ଆଥ୍‌ଲେଟ୍‌ଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସାରା ଦେଶର ଶ୍ରେଷ୍ଠ ପ୍ରଶିକ୍ଷକମାନଙ୍କୁ ଆକର୍ଷିତ କରିବାର ଯୋଜନା କରିଛନ୍ତି। ଏହି ଦୃଷ୍ଟିରୁ ଆମେ ଦରମାରେ କିଛି ନିର୍ଦିଷ୍ଟ ସୀମା ରଖିବାକୁ ଚାହୁଁନୁ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। ଦରମା ସୀମା ଧାର୍ଯ୍ୟ ଯୋଗୁଁ ଅଧିକାଂଶ ଦକ୍ଷ ଭାରତୀୟ ପ୍ରଶିକ୍ଷକ ମଧ୍ୟ ପଦ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବର ନିଷ୍ପତ୍ତି ସେଭଳି ଦକ୍ଷ ପ୍ରଶିକ୍ଷକଙ୍କୁ ଆକର୍ଷିତ କରିବ ବୋଲି ରିଜିଜୁ କହିଛନ୍ତି। ପୂର୍ବତନ ଆଥ୍‌ଲେଟ୍‌ମାନେ ମଧ୍ୟ ପ୍ରଶିକ୍ଷଣ ଦେବା ପାଇଁ ଆଗଭର ଅଛନ୍ତି। ସେମାନଙ୍କ ଅଭିଜ୍ଞତା ଓ ସାମର୍ଥ୍ୟ ଅଲିମ୍ପିକ୍ସ ଭଳି ଅନ୍ୟାନ୍ୟ ବୃହତ୍‌ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଆଥ୍‌ଲେଟ୍‌ଙ୍କ ପାଇଁ ସହାୟକ ହୋଇପାରିବ। ତେଣୁ ଆମେ ସେଭଳି ପ୍ରଶିକ୍ଷକଙ୍କୁ ପାଇବା ପାଇଁ ଦରମା ସୀମା ହଟାଇବାର ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ରିଜିଜୁ। ଆଗାମୀ ସମୟରେ ଉଭୟ ଭାରତ ଏବଂ ବିଦେଶୀ ପ୍ରଶିକ୍ଷକମାନଙ୍କ ପାଇଁ ୪ ବର୍ଷିଆ ଚୁକ୍ତି ବ୍ୟବସ୍ଥା କରାଯିବ। ଯାହାକି ଗୋଟିଏ ଅଲିମ୍ପିକ୍‌ ପର୍ଯ୍ୟନ୍ତ ଚୁକ୍ତି ମିଆଦ ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି। ବହୁ ଖ୍ୟାତନାମା ପ୍ରଶିକ୍ଷକ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ରେ କାର୍ଯ୍ୟ କରୁଛନ୍ତି। ସେମାନେ ଚାହିଁଲେ ଏବେ ଡେପୁଟେସନ୍‌ରେ ଆମ ସହ ଯୋଗଦେଇପାରିବେ ଏବଂ ସେମାନେ ମଧ୍ୟ ୪ ବର୍ଷିୟା ଚୁକ୍ତି ମିଆଦ ଏବଂ ଉଚ୍ଚ ଦରମା ପାଇବା ପାଇଁ ଯୋଗ୍ୟ ହେବେ ବୋଲି ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ସେମାନଙ୍କ ଦରମା ହାର ଜଣେ ଆଥ୍‌ଲେଟ୍‌ ଏବଂ ଜଣେ ପ୍ରଶିକ୍ଷକ ଭାବେ ସେମାନଙ୍କ ସଫଳତାକୁ ବିଚାର କରାଯାଇ ନିର୍ଧାରଣ କରାଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନୂଆ ଚୁକ୍ତିନାମାରେ ସାମିଲ ହେବା ପ‌ରେ ସମସ୍ତ ନୂଆ ଏବଂ ପୁରୁଣା ପ୍ରଶିକ୍ଷକମାନେ ଜାତୀୟ ଶିବିର ଏବଂ ‘ସାଇ’ର ଜାତୀୟ ସେ‌ଣ୍ଟର ଅଫ୍‌ ଏକ୍ସଲେନ୍ସରେ ତାଲିମ ନେବେ। ଶେଷରେ ଯୁଗ୍ମ ଭାବେ କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ କ୍ରୀଡ଼ା ସଂଘ (ଏନ୍‌ଏସ୍‌ଏଫ୍‌) ଦ୍ବାରା ମନୋନୀତ ହେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ ପ୍ରକାଶ ପାଇଛି।

କ୍ରୀଡ଼ା ମନ୍ତ୍ରଣାଳୟର ଦରମା ସୀମା ହଟାଇ ନେବାର ନିଷ୍ପତ୍ତିକୁ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ସ୍ବାଗତ କରିଛି। ଏହା ଘରୋଇ ପ୍ରଶିକ୍ଷକଙ୍କୁ ସେମାନଙ୍କ ଶ୍ରେଷ୍ଠ ଦେବା ପାଇଁ ପ୍ରେରିତ କରିବ ବୋଲି ଆଇଓଏ କହିଛି। କେବଳ ଆଇଓଏ କାହିଁକ ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକ ମଧ୍ୟ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ହୃଦୟର ସହ ସ୍ବାଗତ କରିଛନ୍ତି। ଦରମା ସୀମା ଉଚ୍ଚସ୍ତରର ଆନ୍ତର୍ଜାତିକ ପଦକ ବିଜେତା ସୃଷ୍ଟି କରିପାରୁଥିବା ଆମ ପ୍ରଶିକ୍ଷକମାନଙ୍କୁ ସୀମିତ କରିଦେଉଥିଲା ବୋଲି ଆଇଓଏ ମହାସଚିବ ରାଜୀବ ମେହେଟ୍ଟା କହିଛନ୍ତି। ନୂଆ ନିଷ୍ପତ୍ତି ଯୋଗୁଁ ଏବେ ଅଧିକରୁ ଅଧିକ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣକୁ ପେସା ଭାବେ ନେବାକୁ ଆଗଭର ହେବେ। ଏପରିକି ଭବିଷ୍ୟତରେ ଘରୋଇ ପ୍ରଶିକ୍ଷକମାନେ ଆନ୍ତର୍ଜାତିକ ପ୍ରଶିକ୍ଷକଙ୍କ ସମକକ୍ଷ ହୋଇପାରିବେ ବୋଲି ମେହେଟ୍ଟା କହିଛନ୍ତି। ସେହିପରି ଜାତୀୟ ବ୍ୟାଡ୍‌ମିଣ୍ଟନ ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କ୍ରୀଡ଼ା ସମୂହ ପକ୍ଷରୁ ଏହା ଏକ ଲମ୍ବା ସମୟର ଅନୁରୋଧ ଥିଲା। ଏବେ ସାକାର ରୁପ ନେଇଥିବାରୁ ଏବଂ ମୋଟାମୋଟି ଭାବେ ରାଜ୍ୟ କ୍ରୀଡ଼ା ଦୁନିଆ ପାଇଁ ବଡ଼ ଶକ୍ତି ହୋଇଥିବାରୁ ମୁଁ ଖୁବ୍‌ ଖୁସୀ ବୋଲି ସେ କହିଛନ୍ତି। ନିଶ୍ଚିତ ଭାବେ ଅଧିକାଂଶ ଦକ୍ଷ ପ୍ରଶିକ୍ଷକ ଏବଂ ଖ୍ୟାତନାମା ପୂର୍ବତନ ଆଥ୍‌ଲେଟ୍‌ ଏହି ପେସାରେ ସାମିଲ ହେବାପାଇଁ ଆଗଭର ହେବେ ବୋଲି ଗୋପୀଚାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର