କୋଲକାତା: ଚଳିତବର୍ଷ ଡିସେମ୍ବର ମାସରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଅଷ୍ଟ୍ରେଲିଆରେ କରୋନା ପ୍ରକୋପ ନିୟନ୍ତ୍ରଣାଧୀନ ଥିବାରୁ ବିସିସିଆଇ ଏହି ଗସ୍ତକୁ ସବୁଜ ସଙ୍କେତ ଦେଇଛି। ଗସ୍ତକୁ ନେଇ ଉଭୟ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ସହମତି ହୋଇସାରିଥିବା ଶନିବାର ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ସ୍ପଷ୍ଟ କରିଥିଲେ। ତେବେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆରେ ଦୀର୍ଘ ଦୁଇ ସପ୍ତାହ ସଙ୍ଗରୋଧରେ ରହିବା ସପକ୍ଷରେ ସେ ନଥିବା ରବିବାର ମତ ପ୍ରକାଶ କରିଛନ୍ତି। ବରଂ ସଙ୍ଗରୋଧ ନିୟମକୁ କୋହଳ କରିବାକୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଆହ୍ବାନ କରିଛନ୍ତି।

Advertisment

ଏଥିନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ମଧ୍ୟ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଆମେ ଭାରତର ଅଷ୍ଟ୍ରେଲିଆ ଗସ୍ତକୁ ମଞ୍ଜୁରି ଦେଇସାରିଛୁ। ହେଲେ ସଙ୍ଗରୋଧ ଅବଧି କିଛି ଦିନ କମାଯାଉ ବୋଲି ଚାହୁଛୁ। କାରଣ ଆମେ ଚାହୁନୁ ଯେ ଖେଳାଳିମାନେ ଏତେ ଦୂର ଯାତ୍ରା କରି ସେଠାରେ ପହଞ୍ଚିବା ପରେ ଦୁଇ ସପ୍ତାହ ଧରି ହୋଟେଲ କୋଠରିରେ ବସି ରୁହନ୍ତୁ। ଏହା ଅତ୍ୟନ୍ତ କଷ୍ଟଦାୟକ ଓ ନୈରାଶ୍ୟଜନକ। ସଙ୍ଗରୋଧ ଉପରେ ଆମର ନଜର ରହିଛି, ଏହାକୁ ନେଇ କିଛି ଗୋଟିଏ ସକାରାତ୍ମକ ନିଷ୍ପତ୍ତି ହେବ ବୋଲି ଆଶା ରଖିଛୁ। ମେଲବର୍ନ ଛଡ଼ା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ସ୍ଥିତି ଏବେ ତୁଳନାତ୍ମକ ଭାବେ ଭଲ ରହିଛି। ସେଥିପାଇଁ ଆମେ ସେଠାକୁ ଯାଉଛୁ। ସଙ୍ଗରୋଧ ଦିନକୁ କମାଇ ଯେତେ ଶୀଘ୍ର କ୍ରିକେଟ୍ ଆରମ୍ଭ ହେବ ସେତେ ଭଲ।

କୋହଲିଙ୍କ ପାଇଁ ମାଇଲଖୁଣ୍ଟ ଗସ୍ତ
ଚଳିତବର୍ଷର ଏହି ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଚାରିଟି ଟେଷ୍ଟ୍ ଖେଳିବ। ସେଥିମଧ୍ୟରେ ଗୋଟିଏ ଦିବା-ରାତ୍ର ଟେଷ୍ଟ୍ ମଧ୍ୟ ରହିବ। ଅଷ୍ଟ୍ରେଲିଆରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଏଭଳି ଟେଷ୍ଟ୍ ମ୍ୟାଚ୍ ଖେଳିବ। ସେଥିପାଇଁ ଏହି ଗସ୍ତ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଖେଳ ଜୀବନର ମୋଡ଼ ବଦଳାଇ ଦେଲା ଭଳି ମୁହୂର୍ତ ହେବ ବୋଲି ଗାଙ୍ଗୁଲି କହିଛନ୍ତି। ‘‘ ଡିସେମ୍ବର ବେଳକୁ ମୁଁ ବିସିସିଆଇ ସଭାପତି ପଦରେ ଥିବି କି ନଥିବି ଜାଣିନି, ହେଲେ କୋହଲିଙ୍କ ପାଇଁ ଏହି ଗସ୍ତ ନୂଆ ଆହ୍ବାନ ନେଇଆସିବ। ଏହା ତାଙ୍କ ଖେଳ ଜୀବନର ମାଇଲଖୁଣ୍ଟ ଶୃଙ୍ଖଳା ହେବ। ମୁଁ ତାଙ୍କ ସଂପର୍କରେ ଅଛି ଏବଂ ନିୟମିତ ଅଭ୍ୟାସ କରି ସଂପୂର୍ଣ୍ଣ ଫିଟ୍ ରହିବାକୁ କହିଆସୁଛି। ଗତ ୬ ମାସ ହେବ ଆମେ କ୍ରିକେଟ୍ ଖେଳିନେ। ସେଥିପାଇଁ ଦଳର ପ୍ରମୁଖ ଖେଳାଳିମାନଙ୍କୁ ପୂରା ଫିଟ୍ ରହିବାକୁ ହେବ। ସାମି ହୁଅନ୍ତୁ କି ବୁମ୍‌ରା ଅଥବା ଈଶାନ୍ତ ଓ ପାଣ୍ଡ୍ୟା, ସମସ୍ତଙ୍କୁ ଏହି ଶୃଙ୍ଖଳା ଲାଗି ଶତପ୍ରତିଶତ ଫିଟ୍ ରହିବାକୁ ହିଁ ହେବ। ଅଷ୍ଟ୍ରେଲିଆରେ ପାଦ ଥାପିଲା ବେଳକୁ ସେମାନେ ଯେମିତି ଫିଟ୍‌ନେସର ଶୀର୍ଷସ୍ତରରେ ଥିବେ, ତାକୁ ଗୁରୁତ୍ବ ଦେବାକୁ ହେବ’’ ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟପକ୍ଷରେ କରୋନା ସଙ୍କଟ ବେଳେ ବିସିସିଆଇର ପରିଚାଳନା ତାଙ୍କ ପାଇଁ ଅଦୌ ସହଜ ନଥିଲା ବୋଲି ମତ ଦେଇଛନ୍ତି। ‘‘ଆମେ ଭିଡିଓ କନଫରେନ୍ସିଂରେ ହିଁ ସବୁ କିଛି କରୁଛୁ। ଏହାକୁ ମୁଁ ବଦଳାଇ ପାରିବିନାହିଁ। ବରଂ ପରିସ୍ଥିତିକୁ ଗ୍ରହଣ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରୁଛି’’ ‌ବୋଲି ଗାଙ୍ଗୁଲି କହିଛନ୍ତି। ଗାଙ୍ଗୁଲିଙ୍କ ସହ ବିସିସିଆଇ ସଂପାଦକ ଜୟ ଶାହଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଉଚ୍ଚତମ ନ୍ୟାୟାଳୟରେ ପିଟିସନ୍ ଦାୟର ହୋଇଥିଲା ବେଳେ ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଗାଙ୍ଗୁଲି କହିଛନ୍ତି ଯେ ମୁଁ ଜାଣିନି କାର୍ଯ୍ୟକାଳ ବୃଦ୍ଧି ହେବ କି ନାହିଁ। ନହେଲେ ମୁଁ ଆଗକୁ ବଢ଼ିଯିବି ଓ ଅନ୍ୟ କିଛି କରିବି। ସୂଚନାଯୋଗ୍ୟ ଯେ ଲୋଧା ସମିତି ସୁପାରିସ ଅନୁଯାୟୀ ଗାଙ୍ଗୁଲି ଓ ଶାହଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି।