ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଚୂଡାନ୍ତ

ସପ୍ତାହେ ବିଳମ୍ବରେ ଯିବ ଭାରତୀୟ ଦଳ, ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ୍‌, ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ଖେଳାଯିବ

କୋଲ୍‌କାତା: ଶନିବାର ଏଠାରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ୯୦ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରସ୍ତାବିତ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ପ୍ରଜାତି ଆମିକ୍ରନ୍‌ ଆତଙ୍କ ବୃଦ୍ଧି ପାଉଥିବାରୁ ଭାରତୀୟ ଦଳର ଗସ୍ତ ନେଇ ଆଶଙ୍କା ଉପୁଜିଥିଲା।

ଏପରିକି ଖେଳାଳି ଓ ଅଧିକାରୀଙ୍କ ପାଇଁ ସୁରକ୍ଷିତ ଜୈବ ବଳୟର ପ୍ରତିଶୃତି ଦେଇଥିଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ। ଶୃଙ୍ଖଳା ବାତିଲ କିମ୍ବା ସ୍ଥଗିତ ରହିଲେ ଆର୍ଥିକ କ୍ଷତି ସହିବ ବୋଲି ଶୃଙ୍ଖଳା ଆୟୋଜକ ବୋର୍ଡ ବିସିସିଆଇକୁ କହିଥିଲା। ଶେଷରେ ଉଭୟ ବୋର୍ଡ (ବିସିସିଆଇ ଓ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା)ର ସହମତିରେ ଦ୍ବିପାକ୍ଷିକ ଶୃଙ୍ଖଳା ଆଗେଇବା ଉପରେ ମୋହର ଲାଗିଛି। ତେବେ ଗସ୍ତ ସୂଚୀରେ ସାମାନ୍ୟ ପରିବର୍ତନ କରାଯାଇଛି। ପୂର୍ବରୁ ଡିସେମ୍ବର ୧୭ ତାରିଖରୁ ଶୃଙ୍ଖଳା ଆରମ୍ଭ ହେବାର ଥିଲା। ଏହି ଗସ୍ତରେ ଭାରତ ୩ ଟେଷ୍ଟ୍‌, ୩ ଦିନିକିଆ ଏବଂ ୪ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ସୂଚୀ ପ୍ରସ୍ତୁତ ହୋଇଥିଲା।

ହେଲେ ପରିବର୍ତ୍ତିତ ସୂଚୀ ଘୋଷଣା ଅନୁଯାୟୀ ଏବେ ଟି-୨୦ ଶୃଙ୍ଖଳାକୁ ବାଦ୍‌ ଦିଆଯାଇଛି। କେବଳ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ଖେଳାଯିବ ବୋଲି ବିସିସିଆଇ ସଂପାଦକ ଜୟ ସାହା ସୂଚନା ଦେଇଛନ୍ତି। ପ୍ରଥମ ଟେଷ୍ଟ୍‌ ଚଳିତ ମାସ ୨୬ (ବକ୍ସିଂ ଡେ’) ତାରିଖରେ ଖେଳାଯିବ। ଏହି ଟେଷ୍ଟ୍‌ ପାରମ୍ପରିକ ଭାବେ ଡର୍ବାନ୍‌ ପରିବର୍ତେ ସେଞ୍ଚୁରିଅନ୍‌ରେ ଖେଳାଯିବ। ସେଥିପାଇଁ ପୂର୍ବ ଯୋଜନା ପରିବର୍ତେ ଭାରତୀୟ ଦଳ ଗୋଟିଏ ସପ୍ତାହ ବିଳମ୍ବରେ ଯାତ୍ରା କରିବ। ସମସ୍ତ କୋଭିଡ୍‌ ମାର୍ଗଦର୍ଶିକା ଅନୁଯାୟୀ ଗସ୍ତ ସୂଚୀ ପରିଚାଳିତ ହେବ ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ସ୍ପଷ୍ଟ କରିଛି।

ଖେଳାଳିଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଭେନ୍ୟୁ ନିର୍ଦ୍ଧାରଣ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛି। ଅନ୍ୟପକ୍ଷରେ ପରବର୍ତୀ ସମୟରେ ଟି-୨୦ ଶୃଙ୍ଖଳା ଖେଳାଯିବ ବୋଲି କୁହାଯାଇଛି। ଏହି ଟି-୨୦ ଶୃଙ୍ଖଳା ପାଇଁ ଦୁଇ ଦିନ ମଧ୍ୟରେ ନୂଆ ସୂଚୀ ଏବଂ ଭେନ୍ୟୁ ସ୍ପଷ୍ଟ କରାଯିବ ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଛି। ଦ୍ବିପାକ୍ଷିକ ଶୃଙ୍ଖଳା ଆଗେଇନେବା ପାଇଁ ଭାରତର ଆଭିମୁଖ୍ୟକୁ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ସିଇଓ ଫୋଲେସି ମୋସେକି ଧନ୍ୟବାଦ ଜଣାଇଛନ୍ତି।

୫ ଦିନିଆ ମହିଳା ଟେଷ୍ଟ୍‌କୁ ଅନୁମୋଦନ
ବିସିସିଆଇ ଏଜିଏମ୍‌ରେ ମହିଳା ଦଳର ୫ ଦିନିଆ ଟେଷ୍ଟ୍‌ ଅନୁମୋଦନ ଲାଭ କରିଛି। ଏବେ ମହିଳା ଟେଷ୍ଟ୍‌ ୪ ଦିନିଆ ଖେଳାଯାଉଥିଲା ବେଳେ ଏଣିକି ୫ ଦିନିଆ ଟେଷ୍ଟ୍‌ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ପ୍ରଜ୍ଞାନ ଖେଳାଳିଙ୍କ ସଂଘର ପ୍ରତିନିଧିତ୍ବ କରିବେ

ବିସିସିଆଇ ଏଜିଏମ୍‌ ଅବସରରେ ଟୁର୍‌, ଫିକ୍ଚର ଓ ବୈଷୟିକ କମିଟି, ଅମ୍ପାୟାର କମିଟି ସହିତ ଭିନ୍ନକ୍ଷମ କ୍ରିକେଟ୍‌ କମିଟିମାନ ଗଠନ କରାଯାଇଥିବା ଘୋଷଣା କରାଯାଇଛି। ଏହା ବ୍ୟତୀତ ଆଇପିଏଲ୍‌ ପରିଚାଳନା ପରିଷଦ (ଜିସି)ରେ ବ୍ରିଜେଶ ପଟେଲ ଏବଂ ଏମ୍‌କେଜେ ମଜୁମଦାରଙ୍କୁ ପୁଣି ସାମିଲ କରାଯାଇଛି। ଏହି କମିଟିରେ ଆନ୍ତର୍ଜାତିକ ଓଡ଼ିଆ ତାରକା ପ୍ରଜ୍ଞାନ ଓଝା ଭାରତୀୟ ଖେଳାଳିମାନଙ୍କ ସଂଘର ପ୍ରତିନିଧିତ୍ବ ଭାବେ ପଦ ଜାରି ରଖିବେ ବୋଲି ସ୍ପଷ୍ଟ ହୋଇଛି। ଏହି ୭ ଜଣିଆ ଜିସି କମିଟିରେ ଦୁଇ ଜଣ କାର୍ଯ୍ୟକର୍ତା (ବିସିସିଆଇ ସଂପାଦକ ଜୟ ସାହା ଏବଂ କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମାଲ), ସିଇଓ (ହେମାଙ୍ଗ ଅମିନ), ଖେଳାଳିଙ୍କ ସଂଘ ପକ୍ଷରୁ ଜଣେ ପ୍ରତିନିଧି (ପ୍ରଜ୍ଞାନ ଓଝା), ସିଏଜିର ଜଣେ ନୋମିନି (ସିଏମ୍‌ ସାନେ) ଏବଂ ଏଜିଏମ୍‌ ଦ୍ବାରା ନିର୍ବାଚିତ ଦୁଇ ଜଣ ସଦସ୍ୟ (ବ୍ରିଜେଶ ଓ ମଜୁମଦାର) ସଦସ୍ୟ ରହିଛନ୍ତି।

ମ୍ୟାଚ୍‌ ଅଫିସିଆଲ ଓ ସପୋର୍ଟ ଷ୍ଟାଫ୍‌ଙ୍କ ବୟସ ସୀମା ୫ ବର୍ଷ ବଢ଼ିଲା
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମ୍ୟାଚ୍‌ ଅଫିସିଆଲ ଏବଂ ସପୋର୍ଟ ଷ୍ଟାଫ୍‌ମାନଙ୍କ ବୟସ ସୀମା ବୃଦ୍ଧି କରାଯାଇଛି। ଏହି ସୀମା ପୂର୍ବରୁ ୬୦ ବର୍ଷ ସ୍ଥିର ହୋଇଥିଲା ବେଳେ ଏବେ ୬୫ ବର୍ଷକୁ ବଢ଼ାଇ ଦିଆଯାଇଛି। ତେବେ ସେମାନଙ୍କ ଫିଟ୍‌ନେସ୍‌କୁ ଗୁରୁତ୍ବ ଦିଆଯିବ ବୋଲି ଏଜିଏମ୍‌ରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର