ଦୋହାରେ ପହଞ୍ଚିଲା ଭାରତୀୟ ଫୁଟ୍‌ବଲ ଦଳ, କୋଭିଡ୍‌ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ଜୁନ୍‌ ୩ ତାରିଖରୁ ୨୦୨୨ ଫିଫା ବିଶ୍ବକପ୍‌ ଏବଂ ୨୦୨୩ ଏସୀୟ କପ୍‌ ‌କ୍ବାଲିଫାୟର୍ସ ଖେଳିବା ଲାଗି କାତାର ଗସ୍ତ କରିଥିବା ଭାରତୀୟ ଫୁଟ୍‌ବଲ ଦଳ ନିରାପଦରେ ଦୋହାରେ ପହଞ୍ଚିଯାଇଛି। ୨୮ ଜଣିଆ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ସେଠାରେ ପହଞ୍ଚିବା ପରେ ବାଧ୍ୟତାମୂଳକ ସଂଗରୋଧରେ ରହିଛନ୍ତି। ଦୋହା‌ରେ ସମସ୍ତଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଛି। ତେବେ ସମସ୍ତେ ଏବେ କୋଭିଡ୍‌ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଆସିଲେ ହିଁ ଭାରତୀୟ ଦଳକୁ ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଅନୁମତି ମିଳିବ। କାତାର ଫୁଟ୍‌ବଲ ସଂଘର ସହାୟତା ପାଇଁ ଭାରତୀୟ ଫୁଟ୍‌ବଲ ସଂଘ ଧନ୍ୟବାଦ ଜଣାଇଛି। ଯେଉଁଭଳି ଭାବେ କାତାର ସଂଘ ଆମକୁ ସମର୍ଥନ, ସହଯୋଗ ଯୋଗାଇଛି ସେଥିପାଇଁ ଆମେ କୃତଜ୍ଞ ବୋଲି କହିଛନ୍ତି ଭାରତୀୟ ଫୁଟ୍‌ବଲ ସଂଘର ସାଧାରଣ ସଂପାଦକ କୁଶାଲ ଦାସ।
ଗ୍ରୁପ୍‌-ଇ’ରେ ୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ଦଳ ବିଶ୍ବକପ୍‌ ଟିକେଟ ହାସଲ କରିବାର ଆଶା ହରାଇସାରିଛି। ହେଲେ ଦଳ ଏବେ ବି ଚୀନ୍‌ରେ ଆୟୋଜିତ ଏସୀୟ କପ୍‌ରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସଜବାଜ ହେଉଛି। ଭାରତୀୟ ଦଳ ଜୁନ୍‌ ୩ ତାରିଖରେ କାତାର, ୭ରେ ବାଂଲାଦେଶ ଏବଂ ୧୫ରେ ଆଫ୍‌ଗାନିସ୍ତାନକୁ ଭେଟିବାର ଅଛି।

ଦଳ: ଗୁରୁପ୍ରୀତ ସିଂହ ସାନ୍ଧୁ, ଅମରିନ୍ଦର ସିଂହ, ଧୀରଜ ସିଂହ (ଗୋଲ୍‌ରକ୍ଷକ), ପ୍ରୀତମ କୋଟାଲ, ରାହୁଲ ଭେକେ, ନରେନ୍ଦର ଗେହଲଟ୍, ଚିଙ୍ଗଲେନସାନା ସିଂହ, ସନ୍ଦେଶ ଝିଙ୍ଗାନ, ଆଦିଲ ଖାନ, ଆକାଶ ମିଶ୍ରା, ଶୁଭାଶିଷ ବୋଷ (ରକ୍ଷଣଭାଗ), ଉଡ଼ାନ୍ତ ସିଂହ, ବ୍ରେଣ୍ଡନ୍ ଫର୍ଣ୍ଣାଣ୍ଡିଜ, ଲିଷ୍ଟନ୍ କୋଲାକୋ, ରୋଲିନ୍ ବୋର୍ଗସ୍, ଗ୍ଲାନ୍ ମାର୍ଟିନ୍ସ, ଅନିରୁଧ ଥାପ୍ପା, ପ୍ରଣୟ ହଲଦର, ସୁରେଶ ସିଂହ, ଲାଲେଙ୍ଗମାୱିଆ ରାଲ୍‌ଟେ, ଅବଦୁଲ ସାହାଲ, ୟାସିର ମହମ୍ମଦ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ବିପିନ ସିଂହ, ଆଶିକ କୁରୁନିୟାନ (ମଧ୍ୟଭାଗ), ଇଶାନ ପଣ୍ଡିତ, ସୁନିଲ ଛେତ୍ରୀ, ମନବୀର ସିଂହ (ଅଗ୍ରଭାଗ)।

ସମ୍ବନ୍ଧିତ ଖବର