ନୂଆଦିଲ୍ଲୀ: ଭାରତୀୟ ଫୁଟ୍ବଲ୍ ଦଳ ଆଗାମୀ ୨୦୨୨ ଫିଫା ବିଶ୍ବକପ୍ ଏବଂ ୨୦୨୩ ଏସୀୟ କପ୍ କ୍ବାଲିଫାୟର୍ସ ଲାଗି ବୁଧବାର ସଂଧ୍ୟାରେ ଦୋହା ଗସ୍ତ କରିଛି। କରୋନାରୁ ସୁସ୍ଥ ହୋଇ ଫେରିଥିବା ସୁନିଲ ଛେତ୍ରୀଙ୍କ ନେତୃତ୍ବରେ ୨୮ ଜଣିଆ ଦଳ ଏହି ଗସ୍ତ କରିଛି। ଜୁନ୍ ୩ରେ ଅୟୋଜକ କାତାର ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବା ପୂର୍ବରୁ ଦୋହାରେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଦଳର ପ୍ରସ୍ତୁତି ଶିବିର ଆୟୋଜିତ ହେବ। ଗତ ମାର୍ଚ୍ଚରେ ଓମାନ ଓ ୟୁଏଇ ବିପକ୍ଷ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ହାତଛଡ଼ା କରିବା ପରେ ଛେତ୍ରୀଙ୍କ ଏହା ପ୍ରଥମ ମ୍ୟାଚ୍ ହେବ। ଗତ ୧୫ ତାରିଖରୁ ଦଳର ସମସ୍ତ ଖେଳାଳି ଏବଂ ଷ୍ଟାଫ୍ ନୂଆଦିଲ୍ଲୀରେ ସଂଗରୋଧରେ ଥିଲେ। ସମସ୍ତଙ୍କ ଆର୍ଟି ପିସିଆର୍ କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିଛି। ଫଳରେ ଦଳ କାତାର ଅଭିମୁଖେ ଯାତ୍ରା କରିଛି।
ଦଳ: ଗୁରୁପ୍ରୀତ ସିଂହ ସାନ୍ଧୁ, ଅମରିନ୍ଦର ସିଂହ, ଧୀରଜ ସିଂହ (ଗୋଲ୍ରକ୍ଷକ), ପ୍ରୀତମ କୋଟାଲ, ରାହୁଲ ଭେକେ, ନରେନ୍ଦର ଗେହଲଟ୍, ଚିଙ୍ଗଲେସାନା ସିଂହ, ସନ୍ଦେଶ ଝିଙ୍ଗାନ, ଆଦିଲ ଖାନ, ଆକାଶ ମିଶ୍ରା, ଶୁଭାଶିଷ ବୋଷ (ରକ୍ଷଣଭାଗ), ଉଡ଼ାନ୍ତ ସିଂହ, ବ୍ରେଣ୍ଡନ୍ ଫର୍ଣ୍ଣାଣ୍ଡିଜ, ଲିଷ୍ଟନ୍ କୋଲାକୋ, ରୋଲିନ୍ ବୋର୍ଗସ୍, ଗ୍ଲାନ୍ ମାର୍ଟିନ୍ସ, ଅନିରୁଧ ଥାପ୍ପା, ପ୍ରଣୟ ହଲଦର, ସୁରେଶ ସିଂହ, ଲାଲେଙ୍ଗମାୱିଆ ରାଲ୍ଟେ, ଅବଦୁଲ ସାହାଲ, ୟାସିର ମହମ୍ମଦ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ବିପିନ ସିଂହ, ଆଶିକ କୁରୁନିୟାନ (ମଧ୍ୟଭାଗ), ଇଶାନ ପଣ୍ଡିତ, ସୁନିଲ ଛେତ୍ରୀ, ମନବୀର ସିଂହ (ଅଗ୍ରଭାଗ)।