ଭିଏତ୍‌ନାମ ଓ ସିଙ୍ଗାପୁର ସହ ଶୃଙ୍ଖଳା ଖେଳିବ ଭାରତୀୟ ଫୁଟ୍‌ବଲ ଦଳ

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜକ ଭିଏତ୍‌ନାମ ଓ ସିଙ୍ଗାପୁର ବିପକ୍ଷରେ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏନେଇ ଭାରତୀୟ ଫୁଟ୍‌ବଲ ସଂଘ ଗୁରୁବାର ସୂଚନା ଦେଇଛି। ପ୍ରଥମେ ସେପ୍ଟେମ୍ବର ୨୪ରେ ସିଙ୍ଗାପୁରକୁ ଭେଟିବା ପରେ ଭାରତୀୟ ଦଳ ୨୭ ତାରିଖରେ ଭିଏତ୍‌ନାମ ସହ ମୁହାଁମୁହିଁ ହେବ। ଚଳିତ ବର୍ଷର ଏଏଫ୍ଏଫ୍‌ ମିତ୍‌ସୁବିଶି ଇଲେକ୍‌ଟ୍ରିକ୍‌ କପ୍‌ ପ୍ରସ୍ତୁ୍ତି ପାଇଁ ଭିଏତ୍‌ନାମ ସେପ୍ଟେମ୍ବର ୧୯ରୁ ୨୭ ତାରିଖ ମଧ୍ୟରେ ଏଭଳି କିଛି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ କରୁଛି। ଏହି ଦୁଇଟି ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ ଦଳ ସେପ୍ଟେମ୍ବର ୨୨ରେ ଭିଏତ୍‌ନାମ ଯାତ୍ରା କରିବ ଏବଂ ୨୮ ତାରିଖରେ ସ୍ବଦେଶ ଫେରିଆସିବ। ମ୍ୟାଚ୍‌ ଦୁଇଟି ହୋ ଚି ମିନ୍‌ ସିଟିର ଥୋଙ୍ଗ୍‌ ଏନ୍‌ହାତ୍‌ ଷ୍ଟାଡିୟମ୍‌ରେ ଖେଳାଯିବାର ସମ୍ଭାବନା ରହିଛି ବୋଲି ଭିଏତ୍‌ନାମ ଫୁଟ୍‌ବଲ ସଂଘ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଭିଏତ୍‌ନାମ ଫୁଟ୍‌ବଲ ସଂଘର ସୂଚନା ଅନୁଯ‌ାୟୀ ତିନି ଦଳ ସେପ୍ଟେମ୍ବର ୨୧ରୁ ୨୭ ତାରିଖ ମଧ୍ୟରେ ଏକ ପ୍ରତିଯୋଗିତା ଖେଳିବେ। ରାଉଣ୍ଡ ରବିନ୍‌ ଫର୍ମାଟ୍‌ ଶେଷରେ ଯେଉଁ ଦଳ ସର୍ବାଧିକ ପଏଣ୍ଟ ପାଇଥିବ ସେହି ଦଳ ହିଁ ବିଜେତା ଘୋଷିତ ହେବ। ଏଠାରେ ସୂଚନାଯୋଗ୍ୟ, ଭାରତ ଏବେ ଫିଫା ବିଶ୍ବ ମାନ୍ୟତାର ୧୦୪ତମ ସ୍ଥାନରେ ରହିଥିଲା ବେଳେ ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ଯଥାକ୍ରମେ ୯୭ (ଭିଏତ୍‌ନାମ) ଓ ୧୫୯ (ସିଙ୍ଗାପୁର)ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର