ଭରତୀୟ ହକି ଦଳ ଅଷ୍ଟ୍ରେଲିଆ ଗସ୍ତ କରିପାରିବ: ନବ୍‌ସ

ନୂଆଦିଲ୍ଲୀ: କରୋନା ଯୋଗୁଁ ସଂପ୍ରତି କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିଛି। ଆଗାମୀ ଦିନରେ ଜୈବ ସୁରକ୍ଷିତ ପରିବେଶରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିହେବ। କିନ୍ତୁ ଏଥିପାଇଁ ବିମାନ ଉଡ଼ାଣ ଆବଶ୍ୟକ। ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଏଥିପାଇଁ ଏବେ ସ୍ଥଗିତ ରହିଛି। ନ୍ୟୁଜିଲାଣ୍ଡ କରୋନା ମୁକ୍ତ ଦେଶ ହୋଇସାରିଥିଲା ‌ବେ‌ଳେ ଅଷ୍ଟ୍ରେଲିଆ ଏହି ଦିଗରେ ଅଗ୍ରସର ହେଉଛି। ଫଳରେ ଭାରତ ଏହି ସମୟରେ ଆବଶ୍ୟକ ପ୍ରାକ୍‌-ସୁରକ୍ଷା ନେଇ ଅଷ୍ଟ୍ରେଲିଆ ଗସ୍ତ କରିପାରିବ ବୋଲି ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ମାଇକେଲ୍‌ ନବ୍‌ସ କହିଛନ୍ତି।

ଅଷ୍ଟ୍ରେଲିଆରେ କରୋନା ଭୂତାଣୁ ନିୟନ୍ତ୍ରଣରେ ରହିଛି। କ୍ଲବ୍‌ ଖେଳାଳିମାନେ ରାଜ୍ୟ ସଂଘ ଓ ହକି ଅଷ୍ଟ୍ରେଲିଆର ନିର୍ଦେଶାବଳୀ ଅନୁଯାୟୀ ଅଭ୍ୟାସ ଆରମ୍ଭ କଲେଣି। ଆଗାମୀ ୪-୫ ସପ୍ତାହ ଲାଗି ଅନ୍ତର୍ଜାତୀୟସ୍ତରର ହକି ଖେଳାଳିଙ୍କୁ ଛାଡ଼ି ଦେଇଛୁ। କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ଥିବାରୁ ଅଷ୍ଟ୍ରେଲିଆରେ ସବୁ ଖୋଲାଯାଇଛି। କିନ୍ତୁ ଭାରତର କରୋନା ସ୍ଥିତି ଅତି ଜଟିଳ ଅଛି। ବିପୁଳ ଜନସଂଖ୍ୟା ଓ ସ୍ବାସ୍ଥ୍ୟ ସୁରକ୍ଷା ପଦ୍ଧତି ହିଁ ଦାୟୀ। ଦୁଇ ମାସର ଲକ୍‌ଡାଉନ୍ ପରେ ଜୁନ୍‌-୧ରେ ଖୋଲିବା ଆରମ୍ଭ ହୋଇଥିଲା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଲଗିଛି ବୋଲି ୧୯୮୪ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିଆନ୍‌ କହିଛନ୍ତି।

ସରକାର ଓ କ୍ରୀଡ଼ା ମନ୍ତ୍ରାଳୟର ନିର୍ଦେଶାବଳୀ ଅନୁଯାୟୀ ଆଥ୍‌ଲେଟ୍‌, ଭାରତୀୟ ପୁରୁଷ ଓ ମହିଳା ଦଳ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରଠାରେ ମାର୍ଚରୁ କ୍ବାରେଣ୍ଟାଇନ୍‌ରେ ରହିଲା ଭଳି ପରିବେଶରେ ରହୁଥିଲେ। ସେମାନେ ସେଠାରେ ସ୍ବଳ୍ପ ଅଭ୍ୟାସ ମଧ୍ୟ କରୁଥିଲେ। କିନ୍ତୁ ହକି ଇଣ୍ଡିଆ ଓ କ୍ରୀଡ଼ା ମନ୍ତ୍ରାଳୟର ନିର୍ଦେଶ ପରେ ପୂର୍ଣ୍ଣ ପ୍ରଶିକ୍ଷଣ ଆରମ୍ଭ ଅପେକ୍ଷାରେ ରହିଛନ୍ତି। ଜାତୀୟ ଦଳ ଏବେଠୁ ଅଭ୍ୟାସ ଆରମ୍ଭ କରିଦେବା କଥା। ଭାରତୀୟ ଖେଳାଳିଙ୍କ ପାଇଁ ହକି ହେଉଛି ଜୀବିକା। ଏତେ ଦିନ ଲକ୍‌ଡାଉନ୍‌ରେ ରହିବା ପରେ ସେମାନେ ପ୍ରତିଯୋଗିତା ଖେଳିବାକୁ ଅଗ୍ରହ ସହ ଅପେକ୍ଷା କରି ରହିଛନ୍ତି। ସେମାନେ ଖେଳିବା ପାଇଁ ନିଜ ନିଜ ବୃତିଗତ ସଂସ୍ଥାଠୁ ଟଙ୍କା ପାଉଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଖେଳାଳି ଅଭ୍ୟାସ ପାଇଁ ହକି କ୍ଲବ୍‌କୁ ଦେୟ ଦେଇଥା’ନ୍ତି ବୋଲି ୬୬ ବର୍ଷୀୟ ନବ୍‌ସ କହିଛନ୍ତି। ବିମାନ ଉଡ଼ାଣ ପାଇଁ ଅନ୍ତର୍ଜାତୀୟ ହକି ବନ୍ଦ ରହିଛି। ୟୁରୋପରେ ଏହା ଜରୁରି ନୁହେଁ। ବସ୍‌ରେ ଯାଇ‌ ଖେଳିହେବ। ଅଷ୍ଟ୍ରେଲିଆରେ ଭାରତ ପାଇଁ ସେଭଳି କିଛି ଅସୁବିଧା ହେବନି। ଟେଷ୍ଟ୍‌‌ ଖେଳିବା ଲାଗି ସେମାନେ ଅଷ୍ଟ୍ରେଲିଆ ଆସନ୍ତୁ। ଏଠାରେ ଉଭୟ ଦଳ ୧୪ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବା ପରେ ଖେଳାଳିମାନଙ୍କ କୋଭିଡ ପରୀକ୍ଷା କରାଯିବ। ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଖେଳିବାକୁ ଅନୁମତି ମିଳିବ ବୋଲି ନବ୍‌ସ କହିଛନ୍ତି।

ସମ୍ବନ୍ଧିତ ଖବର