ଭୁବନେଶ୍ବର: ଆସନ୍ତା ମାସରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ବିପକ୍ଷରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ୟୁରୋପ ଗସ୍ତରୁ ଓହରି ଯାଇଥିବା ମନ୍ପ୍ରୀତ୍ ସିଂହ ଦଳର ନେତୃତ୍ବକୁ ଫେରିଛନ୍ତି। ତାଙ୍କ ନେତୃତ୍ବରେ ହକି ଇଣ୍ଡିଆ ଦ୍ବାରା ଘୋଷିତ ୨୨ ଜଣିଆ ଦଳରେ ତିନି ଓଡ଼ିଆ ତାରକା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଓ ଶିଳାନନ୍ଦ ଲାକ୍ରା ସାମିଲ ହୋଇଛନ୍ତି। ଭାରତୀୟ ଦଳ ଏପ୍ରିଲ ୧୧ ଓ ୧୨ ତାରିଖରେ ବୁଏନସ୍ ଏୟାର୍ସଠାରେ ଆର୍ଜେଣ୍ଟିନାକୁ ଭେଟିବ। ଭାରତୀୟ ଦଳ ମଧ୍ୟ ଚଳିତ ବର୍ଷ ଜୁଲାଇରେ ଆୟୋଜିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏହି ଗସ୍ତ ଅବସରରେ ଏପ୍ରିଲ ୬, ୭ ୧୩ ଓ ୧୪ ତାରିଖରେ ଘରୋଇ ଦଳ ବିପକ୍ଷରେ ୪ଟି ଅଭ୍ୟାସ ମ୍ୟାଚ୍ ଖେଳିବାର ସୂଚୀ ରହିଛି। ୧୬ ଦିନିଆ ଆର୍ଜେଣ୍ଟିନା ଗସ୍ତ ପାଇଁ ୩୧ ତାରିଖ ବୁଧବାର ଦିନ ଭାରତୀୟ ଦଳ ବେଙ୍ଗାଲୁରୁରୁ ବୁଏନ୍ସ ଏୟାର୍ସ ଅଭିମୁଖେ ଯାତ୍ରା କରିବ।
ଦଳ: ଗୋଲ୍ରକ୍ଷକ ପିଏଆର୍ ଶ୍ରୀଜେସ, କୃଷ୍ଣ ବାହାଦୁର ପାଠକ, ଅମିତ ରୋହିଦାସ, ଗୁରିନ୍ଦିର ସିଂହ, ହର୍ମନ୍ପ୍ରୀତ୍ ସିଂହ (ଉପଅଧିନାୟକ), ସୁରେନ୍ଦର କୁମାର, ରୂପୀନ୍ଦରପାଲ୍ ସିଂହ, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା, ଝସ୍କରଣ ସିଂହ, ହାର୍ଦିକ୍ ସିଂହ, ମନ୍ପ୍ରୀତ୍ ସିଂହ (ଅଧିନାୟକ), ବିବେକ ସାଗର ପ୍ରସାଦ, ରାଜ କୁମାର ପାଲ୍, ସୁମିତ, ନୀଳକାନ୍ତ ଶର୍ମା, ସାମ୍ସେର ସିଂହ, ଗୁର୍ଜାଣ୍ଟ ସିଂହ, ଦିଲ୍ପ୍ରୀତ୍ ସିଂହ, ମନ୍ଦୀପ ସିଂହ, ଲଲିତ ଉପାଧ୍ୟାୟ ଓ ଶିଳାନନ୍ଦ ଲାକ୍ରା।