ଟୋକିଓ: ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଶୁଭାରମ୍ଭ କରିଛି। ଶନିବାର ସକାଳେ ଅନୁଷ୍ଠିତ ପ୍ରଥମ ପୁଲ୍ ମ୍ୟାଚ୍ରେ ୮ ଥର ବିଜେତା ଭାରତ ୩-୨ ଗୋଲ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଟୋକିଓର ଓଇ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ୩୩ତମ ମିନିଟ୍ ଭିତରେ ସମସ୍ତ ୩ ଗୋଲ୍ ଦେଇ ଆତ୍ମବିଶ୍ବାସ ଜନ୍ମାଇଥିଲା। ଦଶମ ମିନିଟରେ ଅଭିଜ୍ଞ ରୂପୀନ୍ଦର ପାଲ୍ ସିଂହ ପ୍ରଥମ ଗୋଲ୍ ଦେବା ପରେ ହରମନପ୍ରୀତ୍ ସିଂହ ୭ ମିନିଟ୍ ଭିତରେ ଦୁଇଟି (୨୬ ଓ ୩୩ ମିନିଟ୍) ଗୋଲ୍ ଦେଇ ଭାରତକୁ ଆଗୁଆ ରଖିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ମଧ୍ୟ ଫଳାଫଳ ପ୍ରଭାବିତ ହୋଇନଥିଲା।
ମ୍ୟାଚ୍ର ଷଷ୍ଠ ମିନିଟରେ ନ୍ୟୁଜିଲାଣ୍ଡ୍ ପ୍ରଥମ ଗୋଲ୍ ସହ ଆଗୁଆ ହୋଇଥିଲା। ଦଳକୁ ମିଳିଥିବା ପେନାଲଟି କର୍ଣ୍ଣରକୁ କେନ୍ ରସେଲ୍ ନେଟ୍ର ଉପର କୋଣ ଦେଇ ଗୋଲ୍ କରିଥିଲେ। ଭାରତ ପକ୍ଷରୁ କିନ୍ତୁ ମନଦୀପ୍ ସିଂହ ନ୍ୟୁଜିଲାଣ୍ଡ୍ ବଳୟରେ ଲଗାତାର ସୁଯୋଗ ସୃଷ୍ଟି କରିଥିଲେ। ଦୀଲପ୍ରିତ୍ ସିଂହଙ୍କ ସଟ୍କୁ ପ୍ରତିପକ୍ଷ ଡିଫେଣ୍ଡର ରୋକି ଦେଇଥିଲେ। କିନ୍ତୁ ଭାରତର ଦ୍ବିତୀୟ ପେନାଲ୍ଟି କର୍ଣ୍ଣର ବେଳେ ରୂପୀନ୍ଦର ପାଲଙ୍କ ଡ୍ରାଗ୍ ଫ୍ଲିକ୍କୁ ପ୍ରତିପକ୍ଷ ଶରୀରରେ ରୋକିବାରୁ ପେନାଲଟି ଷ୍ଟ୍ରୋକ୍ ମିଳିଥିଲା। ରୂପୀନ୍ଦର ଏଥିରେ ସଫଳ ହୋଇ ମ୍ୟାଚ୍କୁ ୧-୧ ସ୍ତରକୁ ନେଇ ଆସିଥିଲେ। ଭାରତୀୟ ଦଳ ପ୍ରଥମ ଭାଗ ପ୍ରାଧାନ୍ୟ ବିସ୍ତାର କରିଥିଲା। ନ୍ୟୁଜିଲାଣ୍ଡ୍ ପ୍ରତ୍ୟାବର୍ତନ ପ୍ରୟାସ କରି ଘନଘନ ଭାରତୀୟ ସର୍କଲରେ ଚଢ଼ାଉ କରିଥିଲା। ଅଭିଜ୍ଞ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେସ ଏବଂ ଦୁଇ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଲଗାତାର ଭାବେ ୩ଟି ପେନାଲ୍ଟି କର୍ଣ୍ଣର ବଞ୍ଚାଇଥିଲେ। ଭାରତ ପ୍ରତି ଅକ୍ରମଣ କରିଥିଲେ ମଧ୍ୟ ମିଳିଥିବା ସୁଯୋଗକୁ ଗୁରଜାଣ୍ଟ୍ ସିଂହ ଗୋଲ୍ରେ ରୂପାନ୍ତର କରିପାରିନଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ଭାଗରେ ଅର୍ଥାତ୍ ୨୬ତମ ମିନିଟରେ ରେଫେରାଲ୍ ପରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ୍ ସିଂହ ଗୋଲ୍ରେ ପରିଣତ କରିବାରୁ ଭାରତ ୨-୧ରେ ଆଗୁଆ ହୋଇଯାଇଥିଲା।
ତୃତୀୟ କ୍ବାର୍ଟର ତୃ୍ତୀୟ ମିନିଟରେ ଭାରତକୁ ମିଳିଥିବା ପେନାଲଟିରୁ ହରମନପ୍ରୀତ୍ଙ୍କ ସୁନ୍ଦର ଡ୍ରାଗ୍ ଫ୍ଲିକ୍ ଭାରତକୁ ୩-୧ରେ ଆଗୁଆ କରି ଦେଇଥିଲା। ଏତିକି ପରେ ଭାରତୀୟ ରକ୍ଷଣ ଭାଗକୁ ସମ୍ଭାଳିଥିଲେ ଅମିତ ରୋହିଦାସ। ରୋହିଦାସଙ୍କ ଦକ୍ଷତା ଭାରତକୁ ସୁରକ୍ଷିତ ରଖିଥିଲା। ତୃ୍ତୀୟ କ୍ବାର୍ଟର ୨ ମିନିଟ୍ ଥିବାବେଳେ ଷ୍ଟିଫେନ ଜେନେସ୍ଙ୍କ ଜରିଆରେ ମ୍ୟାଚ୍ର ପ୍ରଥମ ଫିଲ୍ଡ ଗୋଲ୍ (୪୩ତମ ମିନିଟ) ସ୍କୋର୍ ହୋଇଥିଲା। ଚତୁର୍ଥ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା କିନ୍ତୁ ଅଧିକ ଉତ୍କଣ୍ଠାରେ ଭରିଯାଇଥିଲା। ଲଳିତ ଉପାଧ୍ୟାୟ ଏବଂ ଗୋଲରକ୍ଷକ ପିଆର ଶ୍ରୀଜେସ କିନ୍ତୁ ନ୍ୟୁଜିଲାଣ୍ଡକୁ ବରାବର କରିବାର ସୁଯୋଗ ଦେଇନଥିଲେ।
‘ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ପ୍ରଥମରୁ ୩ ପଏଣ୍ଟ୍ ପାଇବା ଗୁରୁତ୍ବପୂର୍ଣ୍ଣ। ଆମେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ଭଲ ଖେଳିଥିଲେ ମଧ୍ୟ ପ୍ରଥମ ଓ ଚୁତର୍ଥରେ କିଛିଟା ସଂଘର୍ଷ କରିଥିଲୁ। ଭିଡିଓ ଦେଖିବା ପରେ କେଉଁ ଦିଗରେ ଉନ୍ନତି କରିବାକୁ ହେବ ଦେଖିବୁ’ ବୋଲି ମ୍ୟାଚ୍ ପରେ ପ୍ରକାଶ କରିଥିଲେ ଭାରତୀୟ ଦଳ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍। ଆମେ ୩-୪ ମାସ ହେବ ଅନ୍ତର୍ଜାତୀୟ ହକି ଖେଳିନଥିଲୁ। ପାଗକୁ ବି ଆମ ଖେଳାଳି ଭଲ ପ୍ରତିହତ କ। ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ନିଶ୍ଚିତ କଷ୍ଟକର ଏବଂ ଆମ ଖେଳାଳି ଆହ୍ବାନ ପାଇଁ ପ୍ରସ୍ତୁତ ବୋଲି ପ୍ରକାଶ କରିଥିଲେ ଏହି ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି।
ଭାରତ ରବିବାର ନିଜର ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭେଟିବ। ପୁଲ ‘ଏ’ର ଅନ୍ୟ ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୫-୩ରେ ଜାପାନକୁ ପରାସ୍ତ କରିଥିବା ବେଳେ ସ୍ପେନ ଆର୍ଜେଣ୍ଟିନା ମ୍ୟାଚ୍ ୧-୧ ଗୋଲ୍ରେ ଶେଷ ହୋଇଥିଲା। ପୁଲ୍ ‘ବି’ରେ ବେଲଜିୟମ୍ ୩-୧ରେ ନେଦରଲାଣ୍ଡକୁ, ଗ୍ରେଟ୍ ବ୍ରିଟେନ୍ ୩-୧ରେ ଦକ୍ଷିଣ ଆଫ୍ରିକାକୁ ଏବଂ ଜର୍ମାନି ୭-୧ରେ କାନାଡ଼ାକୁ ପରାସ୍ତ କରିଥିଲା।
ମହିଳାଙ୍କ ଆତ୍ମସମର୍ପଣ, ନେଦରଲାଣ୍ଡ୍ସଠୁ ହାରିଲେ ୧-୫ରେ
ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ମହିଳା ଦଳ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। କଠୋର ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍ସ ନିକଟରୁ ଦଳ ୧-୫ ଗୋଲ୍ରେ ହାରିଯାଇଛି। ପ୍ରଥମ ଦୁଇ କ୍ବାର୍ଟର ଭାରତୀୟ ଦଳ ଭଲ ଖେଳିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବାରୁ ଲଜ୍ଜାଜନକ ପରାଜୟ ବରଣ କରିଛି। ନେଦରଲାଣ୍ଡ୍ସ ପକ୍ଷରୁ ଫେଲିସ୍ ଆଲବର୍ସ (୬, ୪୩ ମିନିଟ୍) ଯୁଗଳ ଗୋଲ୍ ଦେଇଥିବା ବେଳେ ମାର୍ଗଟ ଭାନ୍ ଜିଫେନ୍ (୩୩ ମିନିଟ୍), ଫେଡରିକ୍ ମାଲଟା (୪୫ ମିନିଟ୍), ଜ୍ୟାକଲିନ୍ କାଇଆ ଭାନ୍ ମାସାକର (୫୨) ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ଏକମାତ୍ର ଗୋଲ ଅଧିନାୟିକା ରାଣୀ ରାମପଲ୍ (୨୮ତମ ମିନିଟ୍) ଦେଇଥିଲେ। ଭାରତର ରକ୍ଷଣଭାଗ ଦୁର୍ଦଳତା କାରଣରୁ ରାଣୀଙ୍କ ଦଳ ତୃତୀୟ କ୍ବାର୍ଟରରେ ୩ ଗୋଲ୍ ବରଣ କରି ପରାଜୟକୁ ନିଶ୍ଚିତ କରିଥିଲା। ଭାରତୀୟ ଗୋଲରକ୍ଷିକା ୯ଟିରୁ ୬ଟି ଫିଲ୍ଡ ଗୋଲ୍ ରୋକିଥିଲେ ମଧ୍ୟ ୪ଟିରୁ ୨ଟି ପେନାଲ୍ଟି କର୍ଣ୍ଣର ରୋକି ପାରିଥିଲେ। ବିଶ୍ବ ମାନ୍ୟତାରେ ଏକ ନମ୍ବର ଥିବା ନେଦରଲାଣ୍ଡ୍ କିନ୍ତୁ ଏକତରଫା ବିଜୟ ହାସଲ କରି ନେଇଥିଲା।