ଭାରତୀୟ ହକି ଦଳର ନେତୃତ୍ବ ନେବେ ମନ୍‌ପ୍ରିତ୍‌, ବୀରେନ୍ଦ୍ର ଉପଅଧିନାୟକ

ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୧ ଦିନ

ଭୁବନେଶ୍ବର: ଓଡ଼ିଶା ହକିକୁ ମଙ୍ଗଳବାର ମିଳିଛି ଆଉ ଏକ ଖୁସି ଖବର। ରାଜ୍ୟର ଅଭିଜ୍ଞ ରକ୍ଷଣଭାଗ ତାରକା ଦୀପଗ୍ରେସ୍ ଏକ୍କା ସୋମବାର ଭାରତୀୟ ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳର ଉପଅଧିନାୟିକା ନିଯୁକ୍ତ ହେବା ପରେ ବୀରେନ୍ଦ୍ର ଲାକ୍ରା ‌ପୁରୁଷ ହକି ଦଳର ଉପଅଧିନାୟକ ପଦ ପାଇଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ ସହ ଭାରତୀୟ ହକି ଦଳର ରକ୍ଷାପ୍ରାଚୀର ଭାବେ ପରିଚିତ ବୀରେନ୍ଦ୍ର ଅଧିନାୟକ ତଥା ମଧ୍ୟଭାଗ ଖେଳାଳି ମନପ୍ରୀତ ସିଂହଙ୍କ ଟେପୁଟି ଭାବେ କାର୍ଯ୍ୟ କରିବେ। ଭାରତୀୟ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିବା ଅନ୍ୟତମ ଓଡ଼ିଆ ଅମିତ ରୋହିଦାସ ମଧ୍ୟ ମହତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ। ମହିଳା ଦଳ ଭଳି ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳର ମଧ୍ୟ ଦୁଇ ଜଣ ଉପଅଧିନାୟକ ରହିବେ। ଯୁବ ତାରକା ହରମନପ୍ରୀତ ସିଂହ ଦଳର ଦ୍ବିତୀୟ ଉପଅଧିନାୟକ ଦାୟିତ୍ବ ତୁଲାଇବେ। ମନ୍‌ପ୍ରିତ୍‌ ଏଥର ଟୋକିଓକୁ ମିଶାଇ ମୋଟ ୩ ଥର ଅଲିମ୍ପିକ୍‌ସରେ ଭାରତର ପ୍ରତିନିଧିତ୍ବ କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ଅଧିନାୟକ ମନୋନୀତ ହୋଇଥିବାରୁ ଗର୍ବ ଅନୁଭବ କରିଛନ୍ତି।

ଅନ୍ତର୍ଜାତୀୟ ହକି ଖେଳିବାର ଦୀର୍ଘ ଅଭିଜ୍ଞତା ଥିବା ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ହେଲେ ଆଘାତପ୍ରାପ୍ତ ହୋଇ ରିଓ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଥିଲେ। କିଛି ମାସର ବିରତି ପରେ ଦଳକୁ ଫେରି ସେ ନିଜ ପ୍ରଦର୍ଶନରେ କ୍ରମାଗତ ଭାବେ ଉନ୍ନତି କରି ଚାଲିଛନ୍ତି। ଟୋକିଓରେ ଦ୍ବିତୀୟଥର ପାଇଁ ଅଲିମ୍ପିକ୍ସ ଖେଳୁଥିବାର ଦେଖିବାକୁ ମିଳିବେ ବୀ‌ରେନ୍ଦ୍ର। ନିଜ ପ୍ରତିକ୍ରିୟାରେ ବୀ‌ରେନ୍ଦ୍ର କହିଛନ୍ତି ଯେ ଅଲିମ୍ପିକ୍ସ ମୋ ପାଇଁ ସବୁବେଳେ ସତନ୍ତ୍ର। ଉପଅଧିନାୟକ ପଦ ପାଇବା ଏହାକୁ ଆହୁରି ସ୍ବତନ୍ତ୍ର ଓ ସ୍ମରଣୀୟ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍ ଜୁଲାଇ ୨୩ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ।

ଭାରତୀୟ ପୁରୁଷ ହକି ଦଳ: ମନପ୍ରୀତ ସିଂହ (ଅଧିନାୟକ), ବୀରେନ୍ଦ୍ର ଲାକ୍ରା‌ (ଉପଅଧିନାୟକ), ହରମନପ୍ରୀତ ସିଂହ (ଉପଅଧିନାୟକ), ପିଆର ଶ୍ରୀଜେସ, ରୂପୀନ୍ଦର ପାଲ ସିଂହ, ସୁରେନ୍ଦ୍ର କୁମାର, ଅମିତ ରୋହି ଦାସ, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମସେର ସିଂହ, ଦିଲପ୍ରୀତ ସିଂହ, ଗୁରଜାନ୍ତ ସିଂହ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ।

ସମ୍ବନ୍ଧିତ ଖବର