ଢାକା: ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳ ମଙ୍ଗଳବାରଠୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ। ଢାକାରେ ଏହି ଦଳ ନିଜର ପ୍ରଥମ ମ୍ୟାଚ୍ରେ କୋରିଆକୁ ଭେଟିବ। ପୂର୍ବରୁ ଭାରତ ଏହି ପ୍ରତିଯୋଗିତା ୩ ଥର ଜିତିଛି। ୨୦୧୧, ୨୦୧୬ (ମାଲେସିଆର କୁଆଣ୍ଟନ୍) ଓ ୨୦୧୮ (ଓମାନ୍ର ମସ୍କାଟ)ରେ ଟ୍ରଫି ଜିତିଛି। କୋରିଆ ବିପକ୍ଷରେ ଖେଳିବା ପରେ ଭାରତ ବୁଧବାର ଆୟୋଜକ ବାଂଲାଦେଶକୁ ଭେଟିବ। ନିଜର ତୃତୀୟ ମ୍ୟାଚ୍ ୧୭ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଏବଂ ୧୯ରେ ଏସୀୟ କ୍ରୀଡ଼ା ବିଜେତା ଜାପାନକୁ ଭେଟିବ। ଏହି ପ୍ରତିଯୋଗିତାର ସେମିଫାଇନାଲ୍ ୨୧ରେ ଏବଂ ଫାଇନାଲ୍ ୨୨ ତାରିଖରେ ଖେଳାଯିବ।
କୋରିଆ ଭଲ ଦଳ ଏବଂ ସେମାନେ ଆମର ଆକ୍ରମଣକୁ ଅଟକାଇବାକୁ ସକ୍ଷମ। ଏଠାରେ ଆୟୋଜିତ ୨୦୧୭ ଏସିଆ କପ୍ର କୋରିଆ ବିପକ୍ଷ ଏକ ଲିଗ୍ ମ୍ୟାଚ୍କୁ ୧-୧ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲୁ। ତେଣୁ ଆମେ ଏହି ଦଳକୁ ଦୁର୍ବଳ ଭାବୁନୁ। ଆମେ ମଙ୍ଗଳବାର ମ୍ୟାଚ୍ରେ ୧୦୦ ପ୍ରତିଶତ ଦେବାକୁ ଚେଷ୍ଟାକରିବୁ। ଟୋକିଓ ଅଲିମ୍ପିକ୍ସ ପରେ ଏହା ଆମର ପ୍ରଥମ ପ୍ରତିଯୋଗିତା। ତେଣୁ ଏବେ ଏହା ନୂଆ ଚକ୍ରର ଆରମ୍ଭ। ଏଥିପାଇଁ ଏହାର ଗୁରୁତ୍ବ ରହିଛି। ଏଠାରେ ଭଲ ଆରମ୍ଭ କଲେ, ଆମର ମନୋବଳର ସ୍ତର ବଢ଼ିବ। ଭବିଷ୍ୟତକୁ ନଜର ରଖି ଏହି ପ୍ରତିଯୋଗିତାରେ ଅଧିକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେମାନେ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରିବେ’’ ବୋଲି ଭାରତୀୟ ଅଧିନାୟକ ମନ୍ପ୍ରୀତ ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସଂସ୍କରଣରେ ବର୍ଷା ଯୋଗୁଁ ଫାଇନାଲ୍ ଖେଳ ସମ୍ଭବ ନହେବାରୁ ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା ହୋଇଥିଲେ।