ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ

ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଦିନିକିଆରେ ଦମ୍‌ ଦେଖାଇବା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଅଭ୍ୟାସ ଆରମ୍ଭ କରିଛି। ମୁମ୍ବାଇର ୱାଙ୍ଖ୍‌ଡ଼େ ଷ୍ଟାଡିୟମ୍‌ରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ବୁଧବାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ‌ ନେତୃତ୍ବାଧୀନ ଭାରତୀୟ ଦଳ ୱାଙ୍ଖଡେରେ ସ୍ଥିତି ପରୀକ୍ଷା କରିଛି। ମେଘୁଆ ଆକାଶ ଓ ଖରାପ ପାଗ ମଧ୍ୟରେ ମାତ୍ର ୭-୮ ଜଣ ଭାରତୀୟ ଖେଳାଳି ଅଭ୍ୟାସ ପାଇଁ ଏଠାରେ ପହଞ୍ଚିଥିଲେ। ପାଗ ଏପରି ହୋଇଥିଲା ଯେ ଅଭ୍ୟାସ ପାଇଁ ଫ୍ଲଡ୍‌ ଲାଇଟ୍‌ ଲଗାଇବାକୁ ପଡ଼ିଥିଲା। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ଼ ଓ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ବ୍ରେ ଖେଳାଳିମାନଙ୍କୁ ଝାଳବୁହା ପରିଶ୍ରମ କରାଇଥିଲେ।

ପାରିବାରିକ କାରଣରୁ ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିବେନି। ତେଣୁ ତାଙ୍କ ସ୍ଥାନରେ ହାର୍ଦ୍ଦିକ ଦଳର ନେତୃତ୍ବ ନେଉଛନ୍ତି। ବୁଧବାର ହାର୍ଦ୍ଦିକ ପଡ଼ିଆ କର୍ମଚାରୀଙ୍କ ସହ ବେଶ୍‌ କିଛି ସମୟ ଆଲୋଚନା କରିବା ଦେଖାଯାଇଥିଲା। ତେବେ ଅଭ୍ୟାସକୁ ବିରାଟ କୋହଲି, ଶୁବମନ ଗିଲ୍‌, କେଏଲ୍‌ ରାହୁଲ, ରବୀନ୍ଦ୍ର ଜାଦେଜା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ ଆସିନଥିଲେ। ‌ପିଠିରେ ଯନ୍ତ୍ରଣା ଯୋଗୁଁ ଦିନିକିଆରୁ ଓହରି ଯାଇଥିବା ଶ୍ରେୟସ ଆୟରଙ୍କ ବଦଳରେ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ଭାର ନିର୍ଭର କରିବ। ତେଣୁ ଉଭୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ। ଅକ୍ଷର ପଟେଲ୍‌ ପଡ଼ିଆକୁ ଆସିଥିଲେ ବି ବୋଲିଂ କରିବାକୁ ଯାଇନଥିଲେ। ତେବେ କୁଲଦୀପ ଯାଦବ ଓ ୟୁଝବେନ୍ଦ୍ର ଚହଲ ନେଟ୍ସରେ ସୂର୍ଯ୍ୟକୁମାର ଓ ଈଶାନଙ୍କୁ ବୋଲିଂ କରୁଥିବା ଦେଖାଯାଇଥିଲା। ୱାଙ୍ଖଡ଼େ ପିଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଥର ପାଇଁ ମୁକାବିଲା ହେବାକୁ ଯାଉଛି। ଏଥିପୂର୍ବରୁ ଭ୍ରମଣକାରୀ ଦଳ ୩ ଥର ମ୍ୟାଚ୍‌ ଜିତିସାରିଛି।

ସମ୍ବନ୍ଧିତ ଖବର