ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ: ବିଷ୍ଣୋଇ ପ୍ରଥମ ଥର ସାମିଲ, ଫେରିଲେ କୁଲଦୀପ

ଦିନିକିଆରୁ ଭୁବନେଶ୍ବର ବାଦ୍‌: ଆହତ ଅଶ୍ବିନ ଉଭୟ ଦଳରୁ ଆଉଟ୍, ଆହୁରି ବିଳମ୍ବିତ ହେବ ଜାଦେଜା, ହାର୍ଦିକଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଫେବ୍ରୁଆରି ୬ ତାରିଖରୁ ଅହମଦାବାଦଠାରେ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଘରୋଇ ଶୃଙ୍ଖଳା (ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦) ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ବେଙ୍ଗାଲୁରୁଠାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ତଥା ମାରାଥନ ବୈଠକ ପରେ ଡାହ‌ାଣହାତୀ କଚଟି ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳକୁ ଡାକରା ମିଳିଛି। ଅନ୍ୟପକ୍ଷରେ ଦୀର୍ଘ ବ୍ୟବଧାନ ପରେ ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବ ଭାରତୀୟ ଦଳକୁ ଫେରିଛନ୍ତି। ଆହତ ହୋଇ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଖେଳି ପାରି ନଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଦିନିକିଆ ସହ ଟ୍ବେଣ୍ଟି-୨୦ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ କରାଯାଇଛି। କେଏଲ୍ ରାହୁଲଙ୍କୁ ଉପଅଧିନାୟକ ପଦ ମିଳିଛି। ଉଭୟ ଦଳରେ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ସ୍ଥାନ ବଜାୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ଉତ୍ତକୋଟୀର ପ୍ରଦର୍ଶନ କରିଥିବା ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ପୂରା ଫିଟ୍ ‌ହୋଇ ପାରି ନଥିବାରୁ ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ବିଚାରକୁ ନିଆଯାଇ ନାହିଁ।

ଅନ୍ୟତମ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ କିନ୍ତୁ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ମିଳିଛି। କୁଲଦୀପ ଓ ବିଷ୍ଣୋଇଙ୍କୁ ଦଳରେ ସାମିଲ କରି ଭରତୀୟ ଦଳର ସ୍ପିନ୍ ଆକ୍ରମଣକୁ ଆହୁରି ଶକ୍ତିଶାଳୀ କରିବାକୁ ଚୟନକର୍ତ୍ତା ଚେଷ୍ଟା କରିଛନ୍ତି। ବିଶେଷ କରି ବିଷ୍ଣୋଇ ଜଣେ ଆକ୍ରମଣାତ୍ମକ ବୋଲର ହୋଇଥିଲା ବେଳେ ନିକଟରେ ତାଙ୍କୁ ଆଇପିଏଲ୍‌ର ନୂଆ ଦଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ମଧ୍ୟ ନିଜ ଦଳରେ ସାମିଲ କରିଛି। ସେପଟେ ଦକ୍ଷିଣ ଆଫ୍ରିକାଠାରୁ ୦-୩ରେ ଦିନିକିଆ ଶୃଙ୍ଖଳା ହାରିବା ପରେ ଚୟନକର୍ତ୍ତା ଇଣ୍ଡିଜ୍ ଶୃଙ୍ଖଳା ଲାଗି ପୁଣି ଥରେ କୁଲଚା (କୁଲଦୀପ ଓ ୟୁଜବେନ୍ଦ୍ର ଚହଲ)ଙ୍କୁ ଏକାଠି ଦଳରେ ନେଇଛନ୍ତି। ସେହିଭଳି ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦର ଅନ୍ୟତମ ସ୍ପିନ୍ ବିକଳ୍ପ ଭାବେ ଭାରତୀୟ ଦଳରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଅହତ ‌ ହୋଇ ୨ ବର୍ଷ ପରେ ଭାରତୀୟ ଦିନିକିଆ ଦଳକୁ ଫେରିଥିବା ଅଫ୍‌ସ୍ପିନର ଆର ଅଶ୍ବିନ ଦିନିକିଆ ସହ ଟ୍ବେଣ୍ଟି-୨୦ ଦଳରୁ ବି ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିବା ଭୁବନେଶ୍ବର କୁମାର ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି। ତେବେ ଟ୍ବେଣ୍ଟି-୨୦ ଦଳରେ ରଖି ଚୟନକର୍ତ୍ତା ତାଙ୍କୁ ଆଉ ଏକ ଜୀବନଦାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଇଣ୍ଡିଜ୍ ବିପକ୍ଷ ୬ ମ୍ୟାଚ୍ (୩ ଦିନିକିଆ ଓ ୩ ଟ୍ବେଣ୍ଟି) କଟକର ବାରବାଟୀ ସମେତ ୬ ଷ୍ଟାଡିୟମ୍‌ରେ ଖେଳାଯିବାର ଥିଲା। ହେଲେ ଓମିକ୍ରନ୍ ସଙ୍କଟ ପାଇଁ ଏବେ ଏହି ଦୁଇ ଶୃଙ୍ଖଳା ଅହମଦାବାଦ ଓ କୋଲକାତା ରୂପରେ କେବଳ ଦୁଇଟି ସ୍ଥାନରେ ଖେଳାଯିବ। ଅହମଦାବାଦରେ ଦିନିକିଆ ଫେବ୍ରୁଆରି ୬, ୯ ଓ ୧୧ ଏବଂ କୋଲକାତାରେ ଫେବ୍ରୁଆରି ୧୬, ୧୮ ଓ ୨୦ ତାରିଖରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସବୁ ମ୍ୟାଚ୍ ଖେଳାଯିବ।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଦୀପକ ଚହର, ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେସ ଖାନ୍।

ଟ୍ବେଣ୍ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ, ୱାସିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଅଭେସ ଖାନ୍, ହର୍ଷଲ ପଟେଲ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳକୁ ଫେରିଲେ‌ ରୋଚ୍

ସେଣ୍ଟଜୋନ୍ସ: ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି କିରଣ ପୋଲାର୍ଡଙ୍କ ନେତୃତ୍ବରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ଦଳ ଘୋଷଣା କରିଛି। ୯୨ ଦିନିକିଆ ଖେଳିବାର ଅଭିଜ୍ଞତା ରଖିଥିବା ଦ୍ରୁତ ‌ବୋଲର କେମାର ରୋଚ୍ ଏବଂ ୨୨ ବର୍ଷୀୟ ଯୁବ ଅଲରାଉଣ୍ଡର ଏନକ୍ରୁମା ବନର ଦଳରେ ସ୍ଥାନ ପାଇଛନ୍ତି। ଏହି ଶୃଙ୍ଖଳା ୨୦୨୩ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ଅନ୍ତର୍ଭୁକ୍ତ ହୋଇଥିବାରୁ ତଦନୁଯାୟୀ ଦଳ ଘୋଷଣା କରାଯାଇଥିବା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ କହିଛି।
ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ: କିରଣ ପୋଲାର୍ଡ (ଅଧିନାୟକ), ଫାବିଏନ୍ ଆଲେନ୍, ଏନ୍‌କ୍ରୁମା ବନର, ଡାରେନ୍ ବ୍ରାଭୋ, ଶାମରା ବ୍ରୁକ୍ସ, ଜାସନ ହୋଲ୍ଡର, ସାଇ ‌ହୋପ୍, ଅକିଲ ହୁସେନ, ଆଲଜେରି ଯୋଶେଫ୍‌, ‌ବ୍ରେଣ୍ଡନ କିଙ୍ଗ୍, ନିକୋଲାସ୍ ପୂରନ୍, କେମାର ରୋଚ୍, ରୋମାରିଓ ଶେପାର୍ଡ, ଓଦେନ ସ୍ମିଥ୍, ହେଡେନ୍ ୱାଲ୍ସ (ଜୁନିଅର)।

ସମ୍ବନ୍ଧିତ ଖବର