ଭାରତୀୟ ଦଳରେ ପ୍ରତିଭା ଅଛି, ବିଶ୍ବକପ୍ ଜିତିବା ଲାଗି ପରିପକ୍ବତା ଆବଶ୍ୟକ: ଗାଙ୍ଗୁଲି

ଦୁବାଇ: ‘‘ରବିବାରଠାରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ଲାଗି ଭାରତୀୟ ଦଳ ପାଖରେ ପ୍ରତିଭା ଅଛି। ହେଲେ ବିଶ୍ବକପ୍ ଜିତିବା ଲାଗି ବିରାଟ ବାହିନୀକୁ ପରିପକ୍ବତା ଦେଖାଇବାକୁ ହେବ’’। ଏଭଳି ମନ୍ତବ୍ୟ ‌ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଏବେକାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ବିଶ୍ବକପ୍‌ରେ ଭାରତର ଆଶା ଓ ସମ୍ଭାବନା ବିଷୟରେ ନିଜ ମତ ରଖିବାକୁ ଯାଇ ଗାଙ୍ଗୁଲି ଆହୁରି କରିଥିଲେ ଯେ କେହି କେବେ ସହଜରେ ବିଜେତା ହୋଇପାରେନି। କେବଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି କେହି ଟ୍ରଫି ଜିତି ପାରନ୍ତିନି। ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦେଇ ଗତି କରିବାକୁ ‌ହୋଇଥାଏ। ସେମାନଙ୍କୁ (ଭାରତୀୟ ଦଳକୁ) ପରିପକ୍ବତା ଦେଖାଇବାକୁ ହେବ।

ସେମାନଙ୍କ ପାଖରେ ଭରପୁର ପ୍ରତିଭା ଅଛି। ରନ୍ କରିବା ଏବଂ ୱିକେଟ୍ ନେବାର କଳା କୌଶଳ ସେମାନଙ୍କୁ ଭଲ ଭାବରେ ଜଣା। କେବଳ ଯାହା ମାନସିକ ସ୍ତରରେ ସେମାନଙ୍କୁ ଦୃଢ଼ ହେବାକୁ ପଡ଼ିବ। ଟ୍ରଫିକୁ ଲକ୍ଷ୍ୟ କରିବା ପରିବର୍ତ୍ତେ ପ୍ରତି ମ୍ୟାଚ୍‌କୁ ଜିତିବାକୁ ଭାରତୀୟ ଦଳ ଚେଷ୍ଟା କରିବା ଅଧିକ ଭଲ ହେବ। ଫାଇନାଲ୍‌କୁ ସଫଳତାର ସହ ଶେଷ କଲେ ହିଁ ଟ୍ରଫି ମିଳେ। ଏହା ପୂର୍ବରୁ ବହୁତ କ୍ରିକେଟ୍ ଖେଳିବାକୁ ପଡ଼ିଥାଏ। ସେମାନେ ଯେଉଁ ପ୍ରତିଯୋଗିତା ବି ଖେଳିବେ, ଦାବିଦାରର ଆଖ୍ୟା ପାଇବେ। ଏଣୁ ଫଳାଫଳ ଅପେକ୍ଷା ପ୍ରକ୍ରିୟା ଉପରେ ଧ୍ୟାନ ଦେବାକୁ ମୁଁ ସେମାନଙ୍କୁ ପରାମର୍ଶ ‌ଦେବି। ଆପଣଙ୍କୁ ନିଜ ଉପରେ ବିଶ୍ବାସ ରଖିବାକୁ ହେବ ଯେ ମୁଁ ଏଠାକୁ ବିଶ୍ବକପ୍ ଜିତିବାକୁ ଆସିଛି। ଆଇପିଏଲ୍‌ର ଧାରାକୁ ଦେଖି ଟ୍ବେଣ୍ଟି-୨୦ ବିଶ୍ବକପ୍ ଲୋ ସ୍କୋରିଂ ହେବ ବୋଲି ଆଶଙ୍କା କରାଯାଉଛି। ଏଭଳି ଆଶଙ୍କାକୁ କିନ୍ତୁ ଗାଙ୍ଗୁଲି ଏଡ଼ାଇ ଯାଇଛନ୍ତି। ‘‘ ନା ନା ଏମିତି ହେବନି। କେବଳ ସାରଜାରେ ଏଭଳି ଘଟିପାରେ। ଦୁବାଇରେ କିନ୍ତୁ ରନ୍ ବର୍ଷା ହେବ। ଶୁକ୍ରବାର ଖେଳାଯାଇଥିବା‌ ଆଇପିଏଲ୍ ଫାଇନାଲ୍ ଏହାର ଉଦାହରଣ। ସେହିଭଳି ଆବୁଧାବିରେ ମଧ୍ୟ ପିଚ୍ ବ୍ୟାଟର୍‌ଙ୍କୁ ସୁହାଇବ’’ ବୋଲି କହିଥିଲେ ୪୯ ବର୍ଷୀୟ ଗାଙ୍ଗୁଲି।

ସମ୍ବନ୍ଧିତ ଖବର