ହେଡିଂଲେରେ ଅଭ୍ୟାସ କଲେ ଭାରତୀୟ ଦଳ

ଲିଡ୍ସ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ଖେଳିବା ଲାଗି ଭାରତୀୟ କ୍ରିକେଟ୍ ଦଳ ରବିବାର ଲିଡ୍ସରେ ପହଞ୍ଚିଛି। ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ର ଢେର ମହତ୍ବ ଉଭୟ ଦଳ ପାଇଁ ରହିଛି। ପ୍ରଥମ ଟେଷ୍ଟ୍‌କୁ ବର୍ଷା ଧୋଇ ନେବା ପରେ ଐତିହାସିକ ଲର୍ଡସ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟ୍‌ର ଶେଷ ଦିନରେ ନାଟକୀୟ ବିଜୟ ହାସଲ କରି ଭାରତ ପାଞ୍ଚ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଲିଡ୍ସ ଟେଷ୍ଟ୍‌କୁ ଜିତି ପାରିଲେ ଭାରତର ଶୃଙ୍ଖଳା ପରାଜୟ ଆଶଙ୍କା ସଂପୂର୍ଣ୍ଣ ଦୂର ହୋଇଯିବ। ବରଂ ଭାରତ ଶୃଙ୍ଖଳା ଜିତିବାର ସମ୍ଭାବନା ବହୁ ଗୁଣରେ ବଢ଼ିଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ଜିତିଲେ ଶୃଙ୍ଖଳା ୧-୧ରେ ବରାବର ହୋଇଯିବ। ତା’ ସହ ଘରୋଇ ପରିବେଶରେ ଭାରତ ବିପକ୍ଷରେ ଆଉ ଏକ ଶୃଙ୍ଖଳା ବିଜୟର ସୁଯୋଗ ଇଂଲଣ୍ଡ ପାଇଁ ଜୀବିତ ରହିବ। ଦ୍ବିତୀୟ ଟେଷ୍ଟ୍‌ରେ ଉଭୟ ଦଳର ଖେଳାଳି ପଡ଼ିଆ ଭିତରେ ପରସ୍ପରକୁ ଆକ୍ଷେପ ଓ କଟାକ୍ଷ କରିଥିଲେ। ସେହି ଦୃଷ୍ଟିରୁ ତୃତୀୟ ଟେଷ୍ଟ୍‌ର ବାତାବରଣ ମଧ୍ୟ ବେଶ୍ ଉଷ୍ମ ରହିବ ବୋଲି ଆଶଙ୍କା କରାଯାଉଛି।

ରବିବାର ଭାରତୀୟ ଦଳ ଲିଡ୍ସରେ ପହଞ୍ଚି ତୃତୀୟ ଟେଷ୍ଟ୍ ଖେଳାଯିବାକୁ ଥିବା ହେଡିଂଲେ ଷ୍ଟାଡିୟମକୁ ଯାଇସାରିଥିବା ବିସିସିଆଇ ଟ୍ବିଟ୍ କରି ଜଣାଇଛି। ‘‘ଅଭିବାଦନ ଓ ସ୍ବାଗତ ହେଡିଂଲେ ଷ୍ଟାଡିୟମ୍, ଲିଡ୍ସ. ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ଲାଗି ଆମ ପ୍ରତିଦ୍ବନ୍ଦ୍ବିତା ସ୍ଥଳ’’ ବୋଲି ଟ୍ବିଟ୍ କରିଛି ବିସିସିଆଇ। ଅନ୍ୟପକ୍ଷରେ ଘରୋଇ ଇଂଲଣ୍ଡ ଦଳ ମଧ୍ୟ ରବିବାର ଲିଡ୍ସରେ ପହଞ୍ଚି ଯାଇଥିବା ଜଣାପଡ଼ିଛି। ଇଂଲଣ୍ଡ ମଧ୍ୟ ଏହି ପ୍ରତୀକ୍ଷିତ ମ୍ୟାଚ୍ ଲାଗି ୧୫ ଜଣିଆ ଦଳ ଘୋଷଣା କରି ସାରିଛି। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ୟର୍କସାୟାର ବ୍ୟାଟ୍ସମ୍ୟାନ୍ ଦାୱିଦ ମଲାନ ପ୍ରଥମ ଥର ପାଇଁ ଇଂଲଣ୍ଡ ଟେଷ୍ଟ୍ ଦଳକୁ ଫେରିଛନ୍ତି। ଲାଙ୍କାସାୟାର ଦଳର ଦ୍ରୁତ ବୋଲର ସକିବ ମହମ୍ମୁଦଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଦିନିକିଆ ଓ ଟ୍ବେଣ୍ଟି ଅନ୍ତର୍ଜାତୀୟ ଖେଳି ସାରିଥିବା ମହମ୍ମୁଦ ଟେଷ୍ଟ୍ ପଦାର୍ପଣ କରିବା ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷରେ ଭାରତ ତା’ର ଚୂଡ଼ାନ୍ତ ଦଳ ଘୋଷଣା କରିନି। ଲିଡ୍ସରେ ପାଗ ଆଗାମୀ ସପ୍ତାହରେ ଶୁଖିଲା ରହିବ ବୋଲି ପୂର୍ବାନୁମାନ ରହିଥିବାରୁ ଭାରତ ମଧ୍ୟ ନିଜ ଦଳରେ କିଛିଟା ଅଦଳ ବଦଳ କରିବାର ସମ୍ଭାବନା ରହିଛି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ଥିଲା ବେଳେ ‌ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରୁ ଜଣଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର