ନୂଆଦିଲ୍ଲୀ/ମୁମ୍ବାଇ: ଅଷ୍ଟ୍ରେଲିଆରେ ଲଗାତାର ଦ୍ବିତୀୟ ଥର ପାଇଁ ସ୍ମରଣୀୟ ଟେଷ୍ଟ୍ ଶୃଙ୍ଖଳା ବିଜେତା ଭାରତୀୟ ଦଳ ଗୁରୁବାର ସ୍ବଦେଶ ଫେରି ଆସିଛି। କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହିତ ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ଦ୍ରୁତ ବୋଲର ସାର୍ଦୁଳ ଠାକୁର, ପୃଥୃୀ ସ’ ପ୍ରମୁଖ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ବ୍ରିସ୍ବେନ୍ ବିଜୟର ନାୟକ ଋଷବ ପନ୍ତ୍ ଦିଲ୍ଲୀରେ ସକାଳେ ପହଞ୍ଚିଥିଲେ। ନେଟ୍ ବୋଲର୍ ଭାବେ ଦଳ ସହ ଯାଇଥିବା ଟି ନଟରାଜନ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଗୋଟିଏ ଗସ୍ତରେ ସମସ୍ତ ୩ ଫର୍ମାଟ୍ (ଟି-୨୦, ଦିନିକିଆ ଏବଂ ଟେଷ୍ଟ୍)ରେ ପଦାର୍ପଣ କରିଥିଲେ। ନଟରାଜନ ବେଙ୍ଗାଲୁରୁରେ ଅବତରଣ କରିବା ପରେ ତାମିଲନାଡୁର ନିଜ ଗାଁ ସାଲେମ୍ ଅଭିମୁଖେ ଯାଇଥିଲେ। ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍, ଚର୍ଚ୍ଚିତ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଏବଂ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଦୁବାଇରେ ଅଟକି ରହିଥିବା ବେଳେ ଶୁକ୍ରବାର ସକାଳେ ଚେନ୍ନାଇ ପହଞ୍ଚିବେ।
ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ମୁମ୍ବାଇରେ ପହଞ୍ଚିଥିବା ଭାରତୀୟ ଖେଳାଳିଙ୍କୁ ମୁମ୍ବାଇ କ୍ରିକେଟ୍ ସଂଘ ସଭାପତି ବିଜୟ ପାଟିଲ୍, ଆପେକ୍ସ କାଉନସିଲ୍ ସଦସ୍ୟ ଅଜିଙ୍କ୍ୟ ନାଏକ, ଅମିତ ଦାନି ଏବଂ ଉମେଶ ଖାନଭିଲକା ସ୍ବାଗତ କରିଥିଲେ। ଏହି ଅବସରରେ ଭାରତର ବିଜୟ ଉପଲକ୍ଷେ ରାହାଣେ ମଧ୍ୟ ଏକ କେକ୍ କାଟିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଦଳ ମଙ୍ଗଳବାର ବ୍ରିସବେନ୍ ଟେଷ୍ଟ୍କୁ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ଜିତି ଅଷ୍ଟ୍ରେଲିଆ ମାଟିରେ ଲଗାତାର ଦ୍ବିତୀୟ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି।
ରାହାଣେଙ୍କୁ ଭବ୍ୟ ସ୍ବାଗତ
ଜୀବନରେ କେବେ ବି ଏଭଳି ସ୍ବାଗତ ସମ୍ବର୍ଧନା ପାଇନଥିଲେ ଅଜିଙ୍କ୍ୟ ରାହାଣେ। ଦାଦରର ରୂପାରେଲ୍ କଲେଜ୍ ନିକଟସ୍ଥ ବାସଭବନକୁ ରାହାଣେ ଗୁରୁବାର ପ୍ରବେଶ କରିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡବୁଲ୍ୟ-୫୪ ସୋସାଇଟିର ଶୀର୍ଷତମ ମହଲା ୪୪ରେ ରୁହନ୍ତି ରାହାଣେଙ୍କ ପରିବାର। ଗେଟ୍ ନିକଟରେ ପହଞ୍ଚିବା ମାତ୍ରେ ତାଙ୍କୁ ରେଡ୍ କାର୍ପେଟରେ ପାଛୋଟି ନିଆଯାଇଥିଲା। ଏଥି ସହିତ ଢୋଲ ଓ ସେହନାଇର କୋଳାହଳ ମଧ୍ୟରେ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା।
‘ଆଲାରେ ଅଲା, ଅଜିଙ୍କ୍ୟ ଆଲା’ (ଅଜିଙ୍କ୍ୟ ଆସିଗଲେ) ଚିତ୍କାର କରିଥିଲେ ସ୍ଥାନୀୟ ପ୍ରଶଂସକମାନେ। ଟୋପି ଓ ମୁଖା ପରିଧାନ କରିଥିବା ରାହାଣେଙ୍କ ବାହୁରେ ୨ ବର୍ଷୀୟ କନ୍ୟା ଆର୍ଯ୍ୟା ଓ ନିକଟରେ ପତ୍ନୀ ରାଧିକା ଢୋପଭକର ଉପସ୍ଥିତ ଥିଲେ। ବାସଭବନ ନିକଟରେ ଅନୁଷ୍ଠିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭାର ପ୍ରଛଦପଟ୍ଟରେ ରାହାଣେଙ୍କ ନେତୃତ୍ବର କୃତିତ୍ବ ଏକ ବ୍ୟତିକ୍ରମ ଥିଲା। ଏଥିରେ ୫, ୪, ୩, ୧ ଲେଖାଥିଲା। ଯାହାର ଅର୍ଥ ଥିଲା ୫ ଟେଷ୍ଟ୍ରେ ରାହାଣେ ନେତୃତ୍ବ ନେଇଛନ୍ତି, ୪ ଟେଷ୍ଟ୍ ଜିତିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟେଷ୍ଟ୍ ଜିତିଛନ୍ତି ଏବଂ ୧ ଟେଷ୍ଟ୍ ଅମୀମାଂସିତ ରହିଛି। ଏହି ଅବସରରେ ତାଙ୍କ ପିତା ମଧୁକର ଭାବବିହ୍ବଳ ହୋଇପଡ଼ିଥିଲେ। ‘ଜଣେ ପିତା ଭାବେ ମୁଁ ଗର୍ବିତ, ଦଳ ଅଷ୍ଟ୍ରେଲିଆରେ ସଙ୍କଟରେ ଥିବାବେଳେ ସଫଳତା ଅର୍ଜନ କରିଥିଲା। ଆମେ ତାଙ୍କୁ ବିମାନବନ୍ଦରରେ ଭେଟି ପାରିନଥିଲୁ, କି ଘରେ ବି ଦେଖା କରିପାରିନଥିଲୁ। କଲ୍ୟାଣରେ ଏକ ପାରିବାରିକ ଉତ୍ସବ ଥିବାରୁ ମୁଁ ଭିଡିଓ କଲ୍ରେ କଥା ହୋଇଥିଲି। ଘରେ ଖୁସିର ମାହୋଲ ରହିଛି, ମୋତେ ବି ବହୁତ ଖୁସି ଲାଗୁଛି’ ବୋଲି ମଧୁକର ପ୍ରକାଶ କରିଥିଲେ।
ପୂଜାରାଙ୍କ କ୍ଷତାକ୍ତକୁ ଚୁମିବେ ଅଦିତି
ବ୍ରିସବେନ୍ ଟେଷ୍ଟ୍ର ଶେଷ ଦିନରେ ଚେତେଶ୍ବର ପୂଜାରାଙ୍କ ଉପରକୁ ଅଷ୍ଟ୍ରେଲିଆ ବୋଲରମାନେ ବାଉଁସର ଓ ସର୍ଟପିଚ୍ ବଲ୍ ବର୍ଷା କରିଥିଲେ। ଦିନତମାମ ବଲ୍ ୧୧ ଥର ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଗି ଘାଇଲା କରି କରିପକାଇଥିଲା। କିନ୍ତୁ ନଛୋଡ଼ବନ୍ଧା ପୂଜାରା ନିଜ ଯନ୍ତ୍ରଣାକୁ ଚାପି ରଖି ଧୈର୍ଯ୍ୟ ଓ ସଂଜମତାର ବଳିଷ୍ଠ ପ୍ରମାଣ ଦେଖାଇ ୨୧୧ ବଲ୍ ଖେଳି ଭାରତକୁ ବିଜୟ ମୁହାଁ କରିବାରେ ଅନ୍ୟତମ ନାୟକ ସାଜିଥିଲେ। ପୂଜାରାଙ୍କ ଏସବୁ କଷ୍ଟକୁ ଦେଖି ଟେଲିଭିଜନ ପରଦା ଉପରୁ ପତ୍ନୀ ପୂଜା ନଜର ହଟାଇ ଦେଉଥିଲେ। ତେବେ ୨ ବର୍ଷୀୟା କନ୍ୟା ଅଦିତି ପିତାଙ୍କ ଗୁଣ ଆଣିବା ଭଳି କଥା କହିଛନ୍ତି। ‘ପାପା ଘରକୁ ଆସିଲେ ମୁଁ ତାଙ୍କ ଦରଜ ସ୍ଥାନକୁ ଚୁମିଦେବି, ସେ ଭଲ ହୋଇଯିବେ’ ବୋଲି ଅଦିତି କହିଛନ୍ତି। ପୂଜାରା ଶୁକ୍ରବାର ଘରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଯନ୍ତ୍ରଣା ତଥା ଦରଜ ଦୂର କରିବା ଲାଗି ଅଦିତିଙ୍କ ପାଖରେ ଏଭଳି ସହଜ ପଦ୍ଧତି ଥିବା କଥାର ରହସ୍ୟ କିନ୍ତୁ ପୂଜାରା ନିଜେ ପ୍ରକାଶ କରିଛନ୍ତି। ‘ମୁଁ ତା ପାଇଁ ଠିକ୍ ସେଇଆ କରୁଥିଲି। ସେ ଖସି ପଡୁଥିଲେ, ଆଘାତ ପାଉଥିଲେ ମୁଁ ଚୁମି ଦେଉଥିଲି ଓ ପୀଡ଼ା ଭଲ ହୋଇଯାଉଥିଲା’ ତେଣୁ ସେ ଏଭଳି କହିଛି ବୋଲି ପୂଜାରା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂଜାରା ବ୍ରିସବେନ୍ ଦ୍ବିତୀୟ ପାଳିରେ ୫ ଘଣ୍ଟାରୁ ଅଧିକ ସମୟ ବ୍ୟାଟିଂ କରି ୨୧୧ ବଲ୍ରୁ ୫୬ ରନ୍ କରିବା ସହିତ ଶୁବମନ୍ ଗିଲଙ୍କ ସହ ୧୧୪ ରନ୍ ଭାଗୀଦାରି ଗଢ଼ିବା ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।