ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ଏବେ ବି ଅନିଶ୍ଚିତ

ଭ୍ରମଣ କଟକଣା ନଉଠିଲା ପର୍ଯ୍ୟନ୍ତ ନିଷ୍ପତ୍ତି ନେଇହେବନି: ବିସିସିଆଇ

ନୂଆଦିଲ୍ଲୀ: ଆସନ୍ତା ଜୁଲା‌ଇରେ ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତ ସୂଚୀ ରହିଛି। ହେଲେ ସାରା ବିଶ୍ବରେ ସାଂପ୍ରତିକ କରୋନା ମହାମାରୀ ସ୍ଥିତି ସୁଧୁରିନଥିଲା ବେଳେ ଦେଶ ଦେଶ ମଧ୍ୟରେ ଭ୍ରମଣଜନିତ କଟକଣା ମଧ୍ୟ ବଳବତ୍ତର ରହିଛି। ଆନ୍ତର୍ଜାତିକ ଭ୍ରମଣ କଟକଣା ନେଇ କୌଣସି ସ୍ଥିତି ସ୍ପଷ୍ଟ ହୋଇପାରୁନଥିବାରୁ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଗସ୍ତ ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡର ନିଷ୍ପତ୍ତି ବିଳମ୍ବିତ ହୋଇପାରେ। ଶ୍ରୀଲଙ୍କା ଗସ୍ତରେ ଭାରତ ସୀମିତ ଓଭର ଶୃଙ୍ଖଳା ଖେଳିବା କଥା। ସେହି ଗସ୍ତରେ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଠି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯିବ। ହେଲେ କୋଭିଡ୍‌-୧୯ ମହାମାରୀ ଏହି ଗସ୍ତ ପ୍ରତି ବିପଦ ସାଜିଛି। ଭ୍ରମଣ କଟକଣା ଉଠିବା ନେଇ ଆମେ ନିଶ୍ଚିତ ନଥିବାରୁ ଏବେ ବି ଗସ୍ତ ନେଇ କିଛି ସ୍ଥିର କରାଯାଇପାରିବନି ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମାଲ। ତେଣୁ ଆମକୁ ଭ୍ରମଣ କଟକଣା ଉଠିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଡାରେ ସୂଚନାଯୋଗ୍ୟ, ମେ’ ୩୧ ତାରିଖ ପର୍ଯ୍ୟନ୍ତ ଭାରତରେ ଲକ୍‌ଡାଉନ୍‌ ସମୟକୁ ବୃଦ୍ଧି କରାଯାଇଛି। ସେହି ସମୟରେ ଶ୍ରୀଲଙ୍କା ଭିତରେ ଓ ବାହାରେ ମଧ୍ୟ ବାଣିଜ୍ୟିକ ବିମାନ ଉଡାଣ ବାତିଲ କରାଯାଇଛି।

ଅନ୍ୟପକ୍ଷରେ ବାଂଲାଦେଶ ମଧ୍ୟ ସମାନ କାରଣ ପାଇଁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଶ୍ରୀଲଙ୍କା ଗସ୍ତ ନେଇ ସନ୍ଦେହରେ ରହିଛି। ଜୁଲାଇ-ଅଗଷ୍ଟରେ ବାଂଲାଦେଶ ଏହି ଗସ୍ତ ସୂଚୀ ରହିଛି। ଆମେ ଦେଶରେ ଭ୍ରମଣ କଟକଣା ଉପରେ ନଜର ରଖିଛୁ। ଏହାପରେ ଯାହା କିଛି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ବାଂଲାଦେଶ କ୍ରିକେଟ୍‌ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ। ଏହା ପୂର୍ବରୁ କରୋନା ମହାମାରୀ ଯୋଗୁଁ ଶ୍ରୀଲଙ୍କା ମଧ୍ୟ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତା’ର ଘରୋଇ ଶୃଙ୍ଖଳାକୁ ସ୍ଥଗିତ ରଖିସାରିଛି।

ସମ୍ବନ୍ଧିତ ଖବର