ନୂଆଦିଲ୍ଲୀ: ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ପଦକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ରମେଶ ପାୱାରଙ୍କୁ ଫେରାଇଆଣିବା ଘଟଣାକୁ ନେଇ ବିବାଦ ଥମିନଥିଲା ବେଳେ ନିତୁ ଡେଭିଡ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରିଛି। କିଛି ବରିଷ୍ଠ ଖେଳାଳି, ଚୟନକର୍ତା ଏବଂ ପୂର୍ବତନ ପ୍ରଶିକ୍ଷକଙ୍କ ମଧ୍ୟରେ ସଂପ୍ରତି ବାକ୍ୟ ବିନିମୟ ଚର୍ଚ୍ଚାର ବିଷୟ ରହିଥିଲା ବେଳେ ବହୁ ଉଚ୍ଚବାଚ ପରେ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷିତ ହୋଇଛି। ଏହି ଗସ୍ତରେ ଭାରତ ଗୋଟିଏ ଟେଷ୍ଟ୍ ଏବଂ ତିନି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ। ବିଶେଷକରି ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଶେଫାଳି ବର୍ମା, ଶିଖା ପାଣ୍ଡେ ଓ ତାନିଆ ଭାଟିଆଙ୍କୁ ନେଇ ଚୟନ ସମିତିରେ ଝଡ଼ ସୃଷ୍ଟି ହୋଇଥିଲା। ଶେଷରେ ଏହି ତିନି ଜଣ ଟେଷ୍ଟ୍ ଓ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ଶେଫାଳିଙ୍କୁ ପ୍ରଥମ ଥର ଲାଗି ଦିନିକିଆ ଦଳରେ ସୁଯୋଗ ମିଳିଥିଲା ବେଳେ ଉଭୟ ଶିଖା ଓ ତାନିଆଙ୍କ ପ୍ରତ୍ୟାବର୍ତନ ଘଟିଛି। ୧୮ ଜଣିଆ ଟେଷ୍ଟ୍ ଓ ଦିନିକିଆ ଦଳର ନେତୃତ୍ବ ମିତାଲି ରାଜଙ୍କୁ ମିଳିଥିଲା ବେଳେ ହର୍ମନପ୍ରୀତ୍ କୌରଙ୍କୁ ୧୭ ଜଣିଆ ଟି-୨୦ର ନେତୃତ୍ବ ମିଳିଛି।
ଟେଷ୍ଟ୍ ଓ ଦିନିକିଆ ଦଳ: ମିତାଲି ରାଜ (ଅଧିନାୟିକା), ସ୍ମୃତି ମନ୍ଧାନା, ହର୍ମନ୍ପ୍ରୀତ୍ କୌର (ଉପଅଧିନାୟିକା), ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରୋଦ୍ରିଗ୍ବେଜ, ଶେଫାଳି ବର୍ମା, ସ୍ନେହ ରାଣା, ତାନିଆ ଭାଟିଆ ଓ ଇନ୍ଦ୍ରାଣୀ ରୟ (ଉଭୟ ୱିକେଟ୍ରକ୍ଷକ), ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ଭସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକ୍ତା ବିସ୍ତ, ରାଧା ଯାଦବ।
ଟି-୨୦ ଦଳ: ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଦୀପ୍ତି ଶର୍ମା, ଜେମିମା ରୋଦ୍ରିଗ୍ବେଜ, ଶେଫାଳି ବର୍ମା, ରିଚା ଘୋଷ, ହର୍ଲିନ୍ ଦେଓଲ, ସ୍ନେହ ରାଣା, ତାନିଆ ଭାଟିଆ ଓ ଇନ୍ଦ୍ରାଣୀ ରୟ (ଉଭୟ ୱିକେଟ୍ରକ୍ଷକ), ଶିଖା ପାଣ୍ଡେ, ପୂଜା ଭସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକ୍ତା ବିସ୍ତ, ରାଧା ଯାଦବ, ସିମ୍ରନ ଦିଲ୍ ବାହାଦୁର।