ଭୁବନେଶ୍ବର: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସବିତାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୨-୪ରେ ଅଷ୍ଟ୍ରେଲିଆଠୁ ହାରିଯାଇଥିଲା। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ୩ ଗୋଲ୍‌ ଦେଖିବାକୁ ମିଳିଥିଲା। ଆଇସ୍ଲିଂ ଉଟ୍ରି (୨୧ ମିନିଟ୍‌) ଓ ମାଡି ଫିଜପାଟ୍ରିକ (୨୭ ମିନିଟ୍‌)ଙ୍କ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୯ତମ ମିନିଟ୍‌ରେ ସଙ୍ଗୀତା କୁମାରୀଙ୍କ ଗୋଲ୍‌ ବଳରେ ଭାରତ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ସ୍ଥିତି ୧-୨ କରିଥିଲା। ତୃତୀୟ କ୍ବାର୍ଟରର ପ୍ରଥମ ୫ ମିନିଟ୍‌ରେ ଆଲିସ ଆର୍ନୋଟ (୩୨ ମିନିଟ୍‌) ଓ କର୍ଟନୀ ସ୍କୋନେଲ (୩୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେବାରୁ ଘରୋଇ ଦଳ ୪-୧ରେ ଆଗୁଆ ହୋଇଥିଲା। ୪୦ତମ ମିନିଟ୍‌ରେ ଭ୍ରମଣକାରୀ ଦଳର ଶର୍ମିଳା ଦେବୀ ଗୋଟିଏ ଗୋଲ୍‌ ଶୁଝି ଦେଇଥି‌ଲେ। ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେ‌ଷ ହୋଇଥିଲା। ଉଭୟ ଦଳ ପରବର୍ତ୍ତୀ ମ୍ୟାଚ୍‌ ଶନିବାର ଖେଳିବେ।

Advertisment

ମୋନିକା@୨୦୦ ମ୍ୟାଚ୍‌
ଭାରତୀୟ ମିଡ୍‌ଫିଲ୍ଡର ମୋନିକା ଗୁରୁବାର ୨୦୦ତମ ମ୍ୟାଚ୍‌ ଖେଳିବା କ୍ଲବ୍‌ରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ୨୦୧୨ରେ ୨୯ ବର୍ଷୀୟା ଏହି ଚଣ୍ଡିଗଡ଼ ଝିଅ ନାପଲେସ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ୨୦୧୪ ଏସୀୟ ‌କ୍ରୀଡ଼ା କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟା ରହିବା ସହ ୨୦୧୬ ରିଓ ଅଲିମ୍ପିକ୍‌ରେ ଜାତୀୟ ଦଳରୁ ଖେଳିଥିଲେ। ୨୦୧୮ ଏସୀୟ କ୍ରୀଡ଼ା ରୌପ୍ୟ ସହ ଐତିହାସିକ ଅଲିମ୍ପିକ୍‌ ଚତୁର୍ଥ ସ୍ଥାନ ସଫଳତା ପାଇଥିବା ଭାରତୀୟ ଦଳର ମଧ୍ୟ ସଦସ୍ୟା ରହିଥିଲେ। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ମଧ୍ୟ ସେ କରାୟତ୍ତ କରିଛନ୍ତି। ୨୦୦ ମ୍ୟାଚ୍‌ ଲାଗି ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇଛି।