ସ୍ବର୍ଣ୍ଣ ଖସିଲା, କାଂସ୍ୟ ଉପରେ ନଜର

ଲଢ଼ିକି ହାରିଲା ଭାରତୀୟ ମହିଳା ଦଳ, ପ୍ରଥମ ପଦକ ପାଇଁ ଶୁକ୍ରବାର ଗ୍ରେଟ୍ ବ୍ରିଟେନ୍ ସହ ଲଢ଼ିବ

ଟୋକିଓ: ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଦଳ ହାତରୁ ବି ଚଳିତ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ସୁଯୋଗ ଖସି ଯାଇଛି। ପ୍ରଥମ ଥର ପାଇଁ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ରାଣୀ ରାମପାଲଙ୍କ ଦଳ ବୁଧବାରର ପ୍ରତୀକ୍ଷିତ ମୁକାବିଲାରେ ଅପୂର୍ବ କଳା କୌଶଳ, ସାହସ ଓ ଅସାଧାରଣ ମନୋବଳର ପରିଚୟ ଦେବା ସତ୍ତ୍ବେ ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନାଠାରୁ ୧-୨ ଗୋଲ୍‌ରେ ହାରି ଫାଇନାଲ୍‌ ଦୌଡ଼ରୁ ବାଦ ପଡ଼ିଛି। ଭାରତୀୟ ଦଳ ପାଖରେ କିନ୍ତୁ ଏବେବି ପଦକ ଜିତି ଇତିହାସ ରଚିବାର ସୁଯୋଗ ରହିଛି। ସେମିଫାଇନାଲରେ ପରାଜିତ ହେବା ପରେ ଭାରତୀୟ ମହିଳା ଦଳ ଶୁକ୍ରବାର ଖେଳାଯିବାକୁ ଥିବା ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚ୍ ଲାଗି ଗ୍ରେଟ୍ ବ୍ରିଟେନ୍‌ ସହ ଲଢ଼ିବ। ଏହି ମ୍ୟାଚ୍‌କୁ ଜିତି ପାରିଲେ ଅଲିମ୍ପିକ୍ସ ଇତିହାସରେ ନିଜ ନାମକୁ ପୋଡିୟମ୍ ଫିନିସ୍ ପାଇଥିବା ଦଳ ଭାବେ ଲିପିବଦ୍ଧ କରି ପାରିବ। ୧୯୮୦ ମସିହାର ମସ୍କୋ ଅଲିମ୍ପିକ୍ସର ଚତୁର୍ଥ ସ୍ଥାନ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ଟୋକିଓରେ କାଂସ୍ୟ ଜିତି ପାରିଲେ ଏହା ଭାରତୀୟ ମହିଳା ହକି ଦଳର ପ୍ରଥମ ଅଲିମ୍ପିକ୍ସ ପଦକ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେବ।

ଆଜି ଅପରାହ୍ନର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଦ୍ବିତୀୟ ମିନିଟ୍‌ରେ ହିଁ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ସ୍ତବ୍ଧ କରି ମ୍ୟାଚ୍‌ର ପ୍ରଥମ ଗୋଲ୍ ସ୍କୋର କରି ନେଇଥିଲା। ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଗୁରଜିତ କୌର ଭାରତକୁ ଆଗୁଆ କରି ଦେଇଥିଲେ। ଶାରୀରିକ ଭାବେ ଅଧିକ ଫିଟ୍ ଓ ବିଶ୍ବମାନ୍ୟତାରେ ଢେର ଉଚ୍ଚ ସ୍ଥାନରେ ରହିବା ସତ୍ତ୍ବେ ପ୍ରଥମ କ୍ବାର୍ଟରରେ ଆତ୍ମବିଶ୍ବାସରେ ଭରପୁର ଭାରତୀୟ ଖେଳାଳିମାନେ ଆର୍ଜେଣ୍ଟିନା ଅଗ୍ରଭାଗକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ତେବେ ଦ୍ବିତୀୟ କ୍ବାର୍ଟରରେ ଆର୍ଜେଣ୍ଟିନା ତାର ରଣନୀତି ବଦଳାଇ ଅଧିକରୁ ଅଧିକ ପନାଲ୍ଟି କର୍ଣ୍ଣର ହାସଲ କରିବା ଉପରେ ଜୋର ଦେଇଥିଲା। ଏହାର ଲାଭ ମଧ୍ୟ ଏହି ଦକ୍ଷିଣ ଆମେରିକୀୟ ଦଳକୁ ତୁରନ୍ତ ମିଳିଥିଲା। ଅଧିନାୟିକା ମାରିଆ ବୋରିଓନୁଭୋ ଅଷ୍ଟାଦଶ ମିନିଟ୍‌ରେ ଦେଇଥିବା ଗୋଲ୍ ବଳରେ ଆର୍ଜେଣ୍ଟିନା ସ୍ଥିତି ୧-୧ କରି ନେଇଥିଲା। ପ୍ରଥମମାର୍ଦ୍ଧର ସ୍କୋର ଲାଇନ୍ ସେହି ୧-୧ ରହି ପରେ ଆର୍ଜେଣ୍ଟିନା ଭାରତୀୟ ଖେଳାଳିଙ୍କ ଉପରୁ ଚାପ ଖସିବାକୁ ଦେଇ ନଥିଲା। ମାରିଆ ପୁଣି ଥରେ ୩୬ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରିବା ପରେ ଆର୍ଜେଣ୍ଟିନା ମ୍ୟାଚ୍‌ରେ ପ୍ରଥମ ଥର ଆଗୁଆ ହୋଇଥିଲା। ଭାରତକୁ ମଧ୍ୟ ଆଉ ମ୍ୟାଚ୍‌କୁ ଫେରିବାର ସୁଯୋଗ ଦେଇ ନଥିଲା। ଲେପ୍ଟଫ୍ଲାଙ୍କ୍‌ରୁ ଆକ୍ରମଣ କରି ଭାରତୀୟ ରକ୍ଷଣଭାଗକୁ ବାରମ୍ବାର ପରୀକ୍ଷାରେ ପକାଇଥିଲା ଆର୍ଜେଣ୍ଟିନା। ଫଳରେ ତୃତୀୟ କ୍ବାର୍ଟର ସୁଦ୍ଧା ୨-୧ରେ ଆଗୁଆ ରହିଥିଲା। ଚତୁର୍ଥ କ୍ବାର୍ଟର ଆରମ୍ଭରୁ ଭାରତ ସ୍ଥିତି ବରାବର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲା। ଆର୍ଜେଣ୍ଟିନା ମଧ୍ୟ ବିଜୟ ବ୍ୟବଧାନ ବଢ଼ାଇବାକୁ ଆକ୍ରମଣର ମାତ୍ରାକୁ ବଢ଼ାଇ ଦେଇଥିଲା। ତେବେ ଭାରତୀୟ ରକ୍ଷଣଭାଗ ସହ ଗୋଲ୍‌ରକ୍ଷିକା ସବିତା ପୁନିଆଙ୍କ ରକ୍ଷା କବଚକୁ ଭାଙ୍ଗିବାକୁ ଆଉ ସକ୍ଷମ ହୋଇ ନଥିଲା। ଭାରତ ଅବଶ୍ୟ ୫୧ ମିନିଟ୍‌ରେ ଆଉ ଏକ ପେନାଲ୍ଟି କର୍ଣ୍ଣର ହାସଲ କରି ନେଇଥିଲା। ତେବେ ପ୍ରତିପକ୍ଷ ଗୋଲ୍‌ ରକ୍ଷିକା ମାରିଆ ସୁସି ଏକ ଚମତ୍କାର ପ୍ରୟାସରେ ଗୁରଜିତଙ୍କୁ ବ୍ୟକ୍ତିଗତ ଭାବେ ଏବଂ ଭାରତ ପକ୍ଷରୁ ଦ୍ବିତୀୟ ଗୋଲ୍ ଦେବା‌ରୁ ରୋକି ଦେଇଥିଲେ। ଭାରତର ରେଫରାଲକୁ ମଧ୍ୟ ଟିଭି ଅମ୍ପାୟାର ନାକଚ କରି ଦେଇଥିଲେ। ଫଳରେ ଟିମ୍ ଇଣ୍ଡିଆର ଫାଇନାଲ୍ ଆଶା ସେହିଠାରୁ ମଉଳି ଯାଇଥିଲା।

ନେଦରଲାଣ୍ଡ୍ସ-ଆର୍ଜେଣ୍ଟିନା ଫାଇନାଲ୍
‌ଟୋକିଓ ଅଲିମ୍ପିକ୍ସ ମହିଳା ହକିର ଫାଇନାଲ୍‌ରେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା‌ ମୁହାଁମୁହିଁ ହେବେ। ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଭାରତକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ନେଦରଲାଣ୍ଡ୍ସ ଅନ୍ୟ ସେମିଫାଇନାଲ୍‌ରେ ଏକତରଫା ଭାବେ ଗ୍ରେଟ୍ ବ୍ରିଟେନକୁ ୫-୧ ‌ଗୋଲ୍‌ରେ ପରାସ୍ତ କରି ଟାଇଟଲ ଲଢ଼େଇରେ ଅବତୀର୍ଣ୍ଣ ହେବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଆର୍ଜେଣ୍ଟିନା ନିଜ ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟରେ ଥିଲା ବେଳେ ନେଦରଲାଣ୍ଡ୍ସ ଲଗାତାର ପଞ୍ଚମ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛି। ୨୦୦୮ ଓ ୨୦୧୨ରେ ସ୍ବର୍ଣ୍ଣ ପଦକ ଜିତିବା ନେଦରଲାଣ୍ଡ୍ସ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିଲା। ଟୋକିଓରେ ପୁଣି ଥରେ ସ୍ବର୍ଣ୍ଣ ବିଜୟ ଧାରାକୁ ଫେରିବାକୁ ଏହି ଦଳ ଲକ୍ଷ୍ୟ ରଖିଛି। ଫାଇନାଲ୍ ମ୍ୟାଚ୍ ଶୁକ୍ରବାର ଖେଳାଯିବ।

ସମ୍ବନ୍ଧିତ ଖବର