ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ନିଜର ପ୍ରଥମ ଦିବାରାତ୍ର ଟେଷ୍ଟ୍ (ଗୋଲାପି ବଲ) ଖେଳିବ ବୋଲି ସୂଚନା ମିଳିଛି। ପର୍ଥରେ ଏହି ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପ୍ରାରମ୍ଭିକ ସୂଚନା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଘୋଷଣା କରିଛି। ପର୍ଥରେ ପୂର୍ବରୁ କେବେ ବି ଦିବାରାତ୍ର ଟେଷ୍ଟ୍ ଖେଳାଯାଇନାହିଁ। ମହିଳା କ୍ରିକେଟ୍ ପ୍ରତି ଆମ ସଙ୍କଳ୍ପବଦ୍ଧତାକୁ ଆଗକୁ ନେବା ଦିଗରେ ଏହା ସହାୟକ ହେବ ବୋଲି ଶାହା ଟ୍ବିଟ୍ କରିଛନ୍ତି।
ଦୀର୍ଘ ୭ ବର୍ଷ ପରେ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଭରତୀୟ ମହିଳା ଦଳ ପ୍ରଥମ ଟେଷ୍ଟ୍ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ଗସ୍ତରେ ଦଳ ଆଉ ଏକ ଟେଷ୍ଟ୍ ଖେଳିବା ସୂଚନା ମିଳିବା ପରେ ଖେଳାଳିଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ଭରତ ୩ ଦିନିକିଆ (ସେପ୍ଟେମ୍ବର ୧୯ରୁ ୨୪) ଏବଂ ୩ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ (ଅକ୍ଟୋବର ୭ରୁ ୧୧) ମ୍ୟାଚ୍ ମଧ୍ୟ ଖେଳିବ। ଶେଷ ଥର ପାଇଁ ଭାରତ ୨୦୦୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ମହିଳା କ୍ରିକେଟ୍ ଇତିହାସରେ ଦ୍ବିତୀୟ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍ ଦିବାରାତ୍ର ବିଶିଷ୍ଟ ଖେଳାଯିବ। ୨୦୧୭ ମସିହା ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ତଥା ଏକମାତ୍ର ଦିବାରାତ୍ର ଟେଷ୍ଟ୍ ଅମୀଂମାସିତ ରହିଥିଲା।
ଟେଷ୍ଟ୍ ମ୍ୟାଚ୍ ପ୍ରସ୍ତୁତି ଭାରତୀୟ ଦଳ ପାଇଁ ଆହ୍ବାନ ହେବ। କାରଣ ଭାରତୀୟ ଦଳ ଘରୋଇ ସର୍କିଟରେ ବି କୌଣସି ଲାଲ୍ ବଲ୍ କ୍ରିକେଟ୍ ଖେଳୁନାହାନ୍ତି। ତେଣୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ଟେଷ୍ଟ୍ ଆହ୍ବାନ ଆଣିଥିଲେ ବି ମହିଳାମାନଙ୍କୁ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ମିଳିଥିବାରୁ ଖୁସି’ ବୋଲି ଜଣେ ପୂର୍ବତନ ଖେଳାଳି ପ୍ରକାଶ କରିଛନ୍ତି। କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମହିଳା ଆସେସ୍ରେ ଟେଷ୍ଟ୍ରେ ଅଂଶଗ୍ରହଣ କରୁଥିବାରୁ ନିୟମିତ ଟେଷ୍ଟ୍ ମ୍ୟାଚ୍ ଖେଳିବା ଅଭିଜ୍ଞତା ରଖିଛନ୍ତି। ଭାରତ ପାଇଁ କିଛି ଅଭ୍ୟାସ ମ୍ୟାଚ୍ର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।