ପ୍ୟାରିସ୍‌: ଭାରତୀୟ ଟେବୁଲ ଟେନିସ ଦଳର ପ୍ୟାରିସ୍‌ ଅଲିମ୍ପିକ୍ସ ଅଭିଯାନ ‌ଶେଷ ହୋଇଛି। ବୁଧବାର କ୍ବାର୍ଟରଫାଇନାଲ୍‌ରେ ମନିକା ବାତ୍ରା, ଶ୍ରୀଜା ଅକୁଲା ଓ ଅର୍ଚ୍ଚନା କାମଥଙ୍କୁ ନେଇ ଗଠିତ ଭାରତୀୟ ଦଳ ୧-୩ରେ ଜର୍ମାନୀଠୁ ହାରିଯାଇଛି। ଯୁଗଳରେ ଶ୍ରୀଜା ଓ ଅର୍ଚ୍ଚନା ୧-୩ (୫-୧୧, ୧୧-୮, ୧୦-୧୨, ୬-୧୧)ରେ ୟୁଆନ୍‌ ୱାନ୍‌ ଓ ଜିଆଓନା ସାନ୍‌ଙ୍କଠୁ ହାରିଯାଇଥିଲେ। ପ୍ରଥମ ଏକକରେ ମନିକା ୧-୩ (୧୧-୮, ୫-୧୧, ୭-୧୧, ୫-୧୧)ରେ ଆନେଟ କୌଫମାନଙ୍କଠୁ ପରାସ୍ତ ହୋଇଥି‌ଲେ। ତେବେ ଦ୍ବିତୀୟ ଏକକରେ ଅର୍ଚ୍ଚନା ୩-୧ (୧୯-୧୭, ୧-୧୧, ୧୧-୫, ୧୧-୯)ରେ ଜିଆଓନାଙ୍କୁ ହରାଇ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ଚତୁର୍ଥ ମ୍ୟାଚ୍‌ରେ ଶ୍ରୀଜା ୦-୩ (୬-୧୧, ୭-୧୧, ୭-୧୧)ରେ ଆନେଟଙ୍କଠୁ ପରାସ୍ତ ହେବାରୁ ଭାରତର ଅଭିଯାନ ଏହିଠାରେ ଶେଷ ହୋଇଥିଲା।

Advertisment

ଭାରତୀୟ ମହିଳା କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଗଲଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ବୁଧବାର ମହିଳା ୫୩ କେଜି ଫ୍ରିଷ୍ଟାଇଲ୍‌ ପ୍ରିକ୍ବାର୍ଟରଫାଇନାଲ୍‌ରେ ଅନ୍ତିମ ୦-୧୦ରେ ତୁର୍କିର ଜେନେପ ୟେତଗିଲ୍‌ଙ୍କଠୁ ହାରି ଯାଇଛନ୍ତି। ୟେତ୍‌ଗିଲ କ୍ବାର୍ଟରଫାଇନାଲ୍‌ରେ ହାରିଯିବାରୁ ‌ଏସୀୟ କ୍ରୀଡ଼ା କାଂସ୍ୟ ବିଜୟିନୀ ଅନ୍ତିମଙ୍କ ରିପିଚେଜ୍‌ ଖେଳିବା ଆଶା ମଧ୍ୟ ମରିଯାଇଛି।

publive-image

ସର୍ବେଶ, ସୂରଜ-ପ୍ରିୟଙ୍କା ବିଫଳ
ଉଚ୍ଚଡିଆଁଳି ସର୍ବେଶ ଅନୀଲ କୁଶାରେ ଏବଂ ସୂରଜ ପନୱାର ଓ ପ୍ରିୟଙ୍କା ଗୋସ୍ବାମୀଙ୍କୁ ନେଇ ଗଠିତ ମାରାଥନ ରେସ୍‌ ୱାକ୍‌ ମିଶ୍ରିତ ରିଳେ ଦଳ ମଧ୍ୟ ବିଫଳ ହୋଇଛନ୍ତି। ଉଚ୍ଚଡିଆଁ ଯୋଗ୍ୟତା ପର୍ଯ୍ୟାୟରେ ସର୍ବେଶ ୨.୧୫ ମିଟର ଡେଇଁ ଗ୍ରୁପ୍‌-ବି’ରେ ୧୩ ଓ ମୋଟ ଉପରେ ୨୫ତମ ସ୍ଥାନରେ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଛନ୍ତି। ସେ ତାଙ୍କ ଋତୁ ଶ୍ରେଷ୍ଠ ୨.୨୫ ମିଟର ପ୍ରଦର୍ଶନ ଏଠାରେ ମଧ୍ୟ ଦେଇ ପାରି ନଥିଲେ। ସୂରଜ ଓ ପ୍ରିୟଙ୍କା ଯୋଡ଼ି ରେସ୍‌ ଶେଷ ନକରିପାରି ବିଦାୟ ନେଇଛନ୍ତି।

ଅଭିଜ୍ଞ ଭାରତୀୟ ମହିଳା ଜାଭ୍‌ଲିନ୍‌ ଫିଙ୍ଗାଳି ଅନୁ ରାଣୀ ଏବଂ ଯୁବା ବାଧାଦୌଡ଼ ଧାବିକା ଜ୍ୟୋତି ୟାରାଜୀ ପ୍ୟାରିସ୍‌ରେ ଆଗକୁ ବଢ଼ି ପାରି ନାହାନ୍ତି। ବୁଧବାର ଜାଭ୍‌ଲିନ୍‌ ଯୋଗ୍ୟତା ରାଉଣ୍ଡରେ ୩୧ ବର୍ଷୀୟା ଜାତୀୟ କୀର୍ତ୍ତିମାନଧାରୀ ଅନୁ ୫୫.୮୧ ମିଟର ଜାଭ୍‌ଲିନ୍‌ ପିଙ୍ଗି ୧୬ ଜଣିଆ ଗ୍ରୁପ୍‌-ଏ’ରେ ୧୫ତମ ଏବଂ ମୋଟ ଉପରେ ୨୬ତମ ସ୍ଥାନରେ ରହିଥିଲେ। ସେ ତାଙ୍କ ଋତୁ ଶ୍ରେଷ୍ଠ (୬୦.୬୮ ମିଟର) ଓ ଜାତୀୟ କୀର୍ତ୍ତିମାନ (୬୩.୮୨ ମିଟର)ଠୁ ବହୁ ଦୂରରେ ରହିଥିଲେ। ମହିଳା ୧୦୦ ମିଟର ବାଧାଦୌଡ଼ ରାଉଣ୍ଡ-୧ରେ ଜ୍ୟୋତି (୧୩.୧୬ ସେକେଣ୍ଡ) ନିଜ ହିଟ୍‌ରେ ଚତୁର୍ଥ ଏବଂ ମୋଟ ୪୦ ଧାବିକାଙ୍କ ମଧ୍ୟରେ ୩୫ରେ ରହିଛନ୍ତି। ଫଳରେ ଏହି ଇଭେଣ୍ଟ୍‌ରେ ଭାରତର ପ୍ରଥମ ଖେଳାଳି ଭାବେ ଅଲିମ୍ପିକ୍ସ ପଦାର୍ପଣ କରିଥିବା ୨୪ ବର୍ଷୀୟା ୟାରାଜୀ ସିଧାସଳଖ ସେମିଫାଇନାଲ୍‌ ପ୍ରବେଶ କରିପାରି ନାହାନ୍ତି। ନୂଆ ନିୟମ ଅନୁଯାୟୀ ଜାତୀୟ କୀର୍ତ୍ତିମାନଧାରୀ ୟ‌ାରାଜୀ ଗୁରୁବାର ରିପିଚେଜ୍‌ ରାଉଣ୍ଡରେ ଖେଳି ସେମିଫାଇନାଲ୍‌ ପହଞ୍ଚିବାକୁ ଚେଷ୍ଟା କରିବେ।

ଇତିହାସ ଆଶାରେ ନୀରଜ

ପ୍ୟାରିସ୍‌: ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଗୁରୁବାର ଇତିହାସ ରଚିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଏହି ଭାରତୀୟ ତାରକା ‌ପ୍ୟାରିସ୍‌ରେ ଏହାକୁ ବଜାୟ ରଖିବାକୁ ଚେଷ୍ଟା କରି‌ବେ। ଯଦି ସେ ସ୍ବର୍ଣ୍ଣ ଜିତି ନିଅନ୍ତି ତେବେ ବ୍ୟକ୍ତିଗତ ବର୍ଗରେ ୨ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ଆଥ୍‌ଲେଟ୍‌ ହେବାର ଗୌରବ ଅର୍ଜନ କରିବେ। ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଜାଭ୍‌ଲିନ ଫିଙ୍ଗି ସିଧାସଳଖ ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ ଏହି ବିଶ୍ବବିଜେତା ଖେଳାଳି। ୧୨ ଜଣିଆ ଫାଇନାଲ୍‌ରେ ସେ ତାରକା ଖେଳାଳି ଟୋକିଓ ରୌପ୍ୟ ବିଜେତା ଚେକ୍‌ଗଣରାଜ୍ୟର ଜାକୁବ ‌ଭାଡଲେଚ୍‌, ଜର୍ମାନୀର ଜୁଲିଆନ୍‌ ୱେବର୍‌, ଦୁଇ ଥରର ବିଶ୍ବ ବିଜେତା ଗ୍ରେନାଡାର ଆଣ୍ଡରସନ ପିଟର୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ପାକିସ୍ତାନର ଅର୍ଶଦ ନଦୀମଙ୍କ ସହ ସ୍ବର୍ଣ୍ଣ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ।