ସାଉଥାମ୍ପଟନ୍: ଇଂଲଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ପାଳିରେ ନିର୍ଣ୍ଣାୟକ ଅଗ୍ରଣୀ ନେବାକୁ ଯାଉଛି। ଦ୍ବିତୀୟ ଦିନ ଇଂଲଣ୍ଡ ନିଜ ପ୍ରଥମ ପାଳିରେ ୨୦୪ ରନ୍ କରିଥିଲା। ଜବାବରେ ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ତା’ର ପ୍ରଥମ ପାଳିରେ ୩୧୮ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି। ଏଥିସହିିତ ଜାସନ୍ ହୋଲଡରଙ୍କ ମଣକାରୀ ଦଳ ମଧ୍ୟ ୧୧୪ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇ ସ୍ଥିତି ଦୃଢ଼ କରିଛି। ଘେରାଇ ସଳ ଅଧିନାୟକ ବେନ୍ ଷ୍ଟୋକ୍ସ ସର୍ବାଧିକ ୪, ଅଭିଜ୍ଞ ଜେମ୍ସ ଆଣ୍ଡରସନ୍ ୩ ଏବଂ ଯୁବ ସ୍ପିନ୍ ଅଲରାଉଣ୍ଡର୍ ଡୋମିନିକ୍ ବେସ୍ ୨ ୱିକେଟ୍ ଦଖଲ କରିଥିଲା ବେେଳ ଦ୍ରୁତ ବୋଲର ମାର୍କ ଉଡ୍ ଶେଷ ୱିକେଟ୍ଟି ଅକ୍ତିଆର କରିଥିଲେ। ସେ ସାନନ୍ ଗାବ୍ରିଏଲ୍କୁ ଆଉଟ୍ କରି ଇଣ୍ଡିଜ୍ ପାଳି ଶେଷ କରିଦେଇଥିଲେ।
ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ଏହାର ପୂର୍ବଦିନର ଅସମାପ୍ତ ପାଳି ୫୭/୧ରୁ ଖେଳିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ କ୍ରେଗ୍ ବ୍ରାଥ୍ୱେଟ୍ ଏବଂ ସାଇ ହୋପ୍ ଆଉ ୱିକେଟ୍ ନ ହରାଇ ଦଳକୁ ୧୦୦ ପାର କରାଇଥିଲେ। ହୋପ୍ କିନ୍ତୁ ସ୍ପିନର୍ ଡୋମିନିକ୍ ବେସଙ୍କ ଶିକାର ହୋଇଥିଲେ। କିଛି ସମୟ ପରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କ୍ରେଗ୍ ବ୍ରାଥ୍ୱେଟ୍ (୬୫, ୧୨୫ ବଲ୍)ଙ୍କୁ ଅଧିନାୟକ ବେନ୍ ଷ୍ଟୋକ୍ସ ଲେଗ୍ ବିଫୋର୍ ୱିକେଟ୍ (ଏଲ୍ବିଡବଲ୍ୟୁ) କରିଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ସାମରା ବ୍ରୁକ୍ସ (୩୯, ୭୧ ବଲ୍) ଏବଂ ଜର୍ମାଇନ୍ ବ୍ଲାକହୁଡ୍ (୧୨)ଙ୍କ ୱିକେଟ୍ର ପତନ ହେବାରୁ ଇଂଲଣ୍ଡକୁ ପ୍ରତ୍ୟାବର୍ତନ ସୁଯୋଗ ମିଳିଥିଲା। ୧୮୬ ରନ୍ରେ ଇଣ୍ଡିଜ୍ ପଞ୍ଚମ ୱିକେଟ୍ ହରାଇବାରୁ ଉଭୟ ଦଳ ସମାନ ସ୍ଥିତିରେ ରହିବା ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ରସ୍ତନ୍ ଚେଜ୍ (୪୭, ୧୪୨ ବଲ୍, ୬ ଚୌକା) ଏବଂ ସନ୍ ଡାଓରିଚ୍ ଷଷ୍ଠ ୱିକେଟ୍ ଭାଗୀଦାରିରେ ୮୧ ରନ୍ ଯୋଡ଼ିବାରୁ ଇଣ୍ଡିଜ୍ ବଡ଼ ଅଗ୍ରଣୀ ନେବାର ସୁଯୋଗ କାଏମ ରଖିଥିଲା। ଦ୍ବିତୀୟ ନୂଆ ବଲ୍ ଆସିବା ପରେ ରସ୍ତନ ଚେଜ୍ ଏବଂ ଜାସନ୍ ହୋଲଡର (୫)ଙ୍କୁ ଯଥାକ୍ରମେ ଆଣ୍ଡରସନ୍ ଓ ଷ୍ଟୋକ୍ସ ଆଉଟ୍ କରିଦେଇଥିଲେ। ଫଳରେ ପ୍ରଥମ ପାଳିରେ ଦୁଇ ପ୍ରତିଦ୍ବନ୍ଦ୍ବୀ ଅଧିନାୟକ ଜାସନ୍ ହୋଲଡର୍ ଓ ବେନ୍ ଷ୍ଟୋକ୍ସ ପରସ୍ପରର ୱିକେଟ୍ ଦଖଲର ସଂଯୋଗ ଆଣିଛନ୍ତି। କ୍ରେଗ୍ ବ୍ରାଥ୍ୱେଟ୍ଙ୍କ ପରେ ୱିକେଟରକ୍ଷକ ସନ୍ ଡାଓରିଚ୍ ଇଣ୍ଡିଜ୍ ପାଳିର ଦ୍ବିତୀୟ ବ୍ୟାଟସମ୍ୟାନ୍ ଭାବେ ୫୦ ଅତିକ୍ରମ କରିଥିଲେ। ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୦୪ (ବେନ୍ ଷ୍ଟୋକ୍ସ-୪୩, ଜାସନ୍ ହୋଲଡର-୬/୪୨, ସାନନ୍ ଗାବ୍ରିଏଲ୍-୪/୬୨)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୦୨ ଓଭରରେ ୩୧୮ (କ୍ରେଗ୍ ବ୍ରାଥ୍ୱେଟ୍-୬୫, ସନ୍ ଡାଓରିଚ୍-୬୧, ରସ୍ତନ ଚେଜ୍-୪୭, ସାମରା ବ୍ରୁକ୍ସ-୩୯, ବେନ୍ ଷ୍ଟୋକ୍ସ-୪/୪୯, ଜେମ୍ସ ଆଣ୍ଡରସନ୍-୩/୬୨, ଡୋମିନିକ୍ ବେସ୍-୨/୫୧, ମାର୍କ ଉଡ୍-୧/୭୪ )।
ସାଉଥମ୍ପଟନ୍: କୋଭିଡ୍-୧୯ ମହାମାରୀ ପରବର୍ତୀ ଆନ୍ତର୍ଜାତିକ କ୍ରିକେଟ୍ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ମାଧ୍ୟମରେ ଫେରିଛି। ତେବେ ମ୍ୟାଚ୍ ବେଳେ ବୋଲର କିମ୍ବା କ୍ଷେତ୍ରରକ୍ଷକ କେହି ବି ବଲ୍କୁ ଚିକ୍କଣ କରିବା ପାଇଁ ଲାଳର ବ୍ୟବହାର କରିପାରିବେନି ବୋଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) କଟକଣା ଜାରି କରିଛି। ଏପରିସ୍ଥଳେ ଜୈବ ସୁରକ୍ଷିତ ପରିବେଶରେ ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍ରେ ବଲ୍କୁ ଚିକ୍କଣ କରିବା ପାଇଁ ଇଂଲଣ୍ଡ ବୋଲରମାନେ ପିଠିର ଝାଳକୁ ବ୍ୟବହାର କରୁଥିବା ଦେଖାଯାଇଛି। ଲାଳ ବାସନ୍ଦ ପରେ ସାଂପ୍ରତିକ ମୁହୂର୍ତ୍ତରେ ପିଠିର ଝାଳ ହିଁ ଅନ୍ୟ ବିଳକ୍ପ ବୋଲି କହିଛନ୍ତି ଇଂଲଣ୍ଡ ଦ୍ରୁତ ବୋଲର ମାର୍କ ଉଡ୍। ଅବଶ୍ୟ ନିଜ ଦେହର ପଛପଟେ ବାହାରୁଥିବା ଝାଳକୁ ଆମେ ବଲ୍ ଉପରେ ବ୍ୟବହାର କରୁଛୁ। ପୁଣି ଆଣ୍ଡରସନ୍ ଏବଂ ଆର୍ଚରଙ୍କ ଝାଳ ମଧ୍ୟ ପ୍ରୟୋଗ କରୁଛି ବୋଲି କହିଛନ୍ତ ଉଡ୍। ଲାଳ କଟକଣା ଯୋଗୁଁ ବଲ୍କୁ ସୁଇଂ କରିବାରେ ଆମକୁ ଅସୁବିଧା ହେଉଛି। ପିଠିର ଝାଳ ବଲ୍କୁ ମଳିନ କରିଦେଉଛି। ତଥାପି ଆମେ ଲାଇନ୍ ଓ ଲେନ୍ଥ ଉପରେ ଅଧିକ ଧ୍ୟାନ ଦେଉଛୁ ବୋଲି ଇଂଲଣ୍ଡ ବୋଲରମାନେ କହିଛନ୍ତି।
ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବାରୁ ବ୍ରଡ୍ କ୍ଷୁବ୍ଧ
ସାଉଥମ୍ପଟନ୍: କରୋନା ପରେ ସାଉଥମ୍ପଟନ୍ରେ ଚାଲିଥିବା ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବା ପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ କ୍ଷୁବ୍ଧ ଏବଂ ନିରାଶ ହୋଇଛନ୍ତି। ବ୍ରଡ୍ ୧୩ ଜଣିଆ ଦଳରେ ଥିଲେ। ହେଲେ ସଫଳ ବୋଲର ଜେମ୍ସ ଅଣ୍ଡରସନ୍ ଫେରିବା ଏବଂ ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ଙ୍କ ସହ କାମଚଳା ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ମିଶାଇ ୪ ଦ୍ରୁତ ବୋଲର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିଲେ। ଫଳରେ ଦଳ ବ୍ରଡ୍ଙ୍କୁ ବାହାରେ ରଖିବାକୁ ବାଧ୍ୟ ହୋଇଥିଲା। ଶୁକ୍ରବାର ମ୍ୟାଚ୍ର ତୃତୀୟ ଦିନ ପୂର୍ବରୁ ବ୍ରଡ୍ ସ୍କାଏ ସ୍ପୋର୍ଟ୍ସ ସହ ଏକ ଖୋଲା ସାକ୍ଷାତକାରରେ ତାଙ୍କ ବାଦ୍ ପଡ଼ିବା ନେଇ କ୍ରୋଧ ପ୍ରକାଶ କରିଛନ୍ତି।
ମ୍ୟାଚ୍ ଆରମ୍ଭର ପୂର୍ବ ଦିନ ରାତି ୬ଟାରେ ମୁଁ ଦଳରେ ନାହିଁ ବୋଲି ଜାଣିବାକୁ ପାଇଲି। ଷ୍ଟୋକ୍ସ ମୋତେ କହିଲେ ଯେ ଏହି ପରିବେଶରେ ଆମେ ଅତିରିକ୍ତ ଗତି ରଖିଥିବା ବୋଲରଙ୍କୁ ଚୂଡ଼ାନ୍ତ ଦଳରେ ନେଇଛୁ। ଏହାପରେ ମୋର ଭବିଷ୍ୟତ ବିଷୟରେ କିଛି ସ୍ପଷ୍ଟ ଚାହିଁଥିଲି ଏବଂ ମୋତେ ସକାରାତ୍ମକ ମତାମତ ମିଳିଥିଲା। ହେଲେ ଗତ ଦୁଇ ଦିନ ମୋତେ ବହୁତ କଷ୍ଟ ଲାଗିଥିଲା। ନିରାଶ ହେବା କଥା କହିବା ଅବମାନନା ହେବ... ମୁଁ ହତାଶ, କ୍ରୋଧିତ ହୋଇଛି ବୋଲି ପୂର୍ବତନ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ଙ୍କ ପୁତ୍ର ଷ୍ଟୁଆର୍ଟ କହିଛନ୍ତି। ଏହା ବୁଝିବା କଷ୍ଟସାଧ୍ୟ। ମୁଁ ଗତ ଦୁଇ ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲିଂ କରିଥିଲି। ଫିଟ୍ ମଧ୍ୟ ଅଛି। ଦଳରେ ସ୍ଥାନ ପାଇବାକୁ ମଧ୍ୟ ଯୋଗ୍ୟ। ସେହିଦୃଷ୍ଟିରୁ ଦ୍ବିତୀୟ ଟେଷ୍ଟ୍ ପାଇଁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଆଶା ରଖିଛି ବୋଲି ୩୪ ବର୍ଷୀୟ ବ୍ରଡ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/west-indies.jpg)