ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହୋଇଛି ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ତଥା କିଂବଦନ୍ତି ଆଥ୍ଲେଟ୍ ପିଟି ଉଷା ଯୋଗ ଦେଇ ମିଟ୍ ଆରମ୍ଭ ଘୋଷଣା କରିଥିଲେ। ଏହାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ସଚିବ ଆର୍ ଭିନିଲ କ୍ରିଷ୍ଣ, ଭାରତୀୟ ଦୌଡ଼କୁଦ ସଂଘର ମୁଖ୍ୟ ପ୍ରଶିକ୍ଷକ ରାଧାକୃଷ୍ଣ ନାୟାର ଅନ୍ୟ ଅତିଥି ଭାବେ ଏହି ଉତ୍ସବରେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଉଭୟ ପୁରୁଷ ଓ ମହିଳା ବର୍ଗର ୨୦ କିମି ଚାଲି ଓ ୧୦୦୦୦ ମିଟର ରେସ୍ ଫାଇନାଲ୍ ସହ ୧୦୦ ଓ ୪୦୦ ମିଟର ଦୌଡ଼ ଏବଂ ପୁରୁଷ ୮୦୦ ମିଟର ହିଟ୍ ଅନୁଷ୍ଠିତ ହୋଇଥିଲା।
ଶ୍ରାବଣୀ, ଅମିୟ, ଲାଲୁ ଦ୍ବିତୀୟ ରାଉଣ୍ଡରେ
ଉଦ୍ଘାଟନୀ ଦିବସରେ ଓଡ଼ିଶାର ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକ ଓ ଲାଲୁ ପ୍ରସାଦ ଭୋଇ ୧୦୦ ମିଟର ଦୌଡ଼ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ମହିଳା ୧୦୦ ମିଟରରେ ହିଟ୍-୨ରେ ଶ୍ରବାଣୀ ୧୧.୭୯ ସେକେଣ୍ଡରେ ରେସ୍ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୁଖୀ ବାସ୍କେ (୧୨.୫୩) ଏବଂ ବୋନିତା ଲାକ୍ରା (୧୨.୪୪) ନିଜ ନିଜ ହିଟ୍ରେ ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନରେ ରହି ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲେ। ପୁରୁଷ ୧୦୦ ମିଟରରେ ଅମିୟ (୧୦.୭୬) ଓ ଲାଲୁ (୧୦.୬୯) ନିଜ ନିଜ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୮୦୦ ମିଟରେ ଭାଗ ନେଇଥିବା ଓଡ଼ିଶାର ପଙ୍କଜ ମଣ୍ଡଳ (୧:୫୫.୯୨) ଓ ଅଶୋକ ଦଣ୍ଡସେନା (୧:୫୩.୫୬) ନିଜ ନିଜ ହିଟ୍ରେ ଯଥାକ୍ରମେ ନବମ ଓ ସପ୍ତମରେ ରହି ଆଗକୁ ବଢ଼ି ପାରିନାହାନ୍ତି।
କାର୍ତ୍ତିକ, ଗୁଲବୀର, ଅଞ୍ଜଳିଙ୍କୁ ଏସୀୟ କ୍ରୀଡ଼ା ଯୋଗ୍ୟତା
ପୁରୁଷ ୧୦୦୦୦ ମିଟର ରେସ୍ରେ ଉତ୍ତର ପ୍ରଦେଶର କାର୍ତ୍ତିକ କୁମାର (୨୯:୦୧.୮୪) ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ, ଗୁଲବୀର ସିଂହ (୨୯:୦୩.୭୮) ରୌପ୍ୟ ଜିତିବା ସହ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଥିଲେ। ଦିଲ୍ଲୀର ପ୍ରୀତମ କୁମାର (୨୯:୨୨.୩୬) କାଂସ୍ୟ ଜିତିଥିଲା ବେଳେ ମଧ୍ୟପ୍ରଦେଶର ହର୍ମନ ଜୋତ ସିଂହ (୨୯.୨୬.୮୬) ଚତୁର୍ଥ ସ୍ଥାନରେ ରହି ଏସୀୟ କ୍ରୀଡ଼ା ଯୋଗ୍ୟତା (୨୯:୩୦.୦୦) ମାର୍କ ଡେଇଁଥିଲେ। ହେଲେ ଭାରତରୁ ୨ ଜଣଙ୍କୁ ସୁଯୋଗ ଥିବାରୁ କାର୍ତ୍ତିକ ଓ ଗୁଲବୀରଙ୍କୁ ଏସୀୟ କ୍ରୀଡ଼ା ଟିକେଟ୍ ପାଇଥିଲେ। ମହିଳାରେ ହିମାଚଳ ପ୍ରଦେଶର ସୀମା (୩୪:୨୦.୦୧୨), ମହାରାଷ୍ଟ୍ରର ସଞ୍ଜୀବନୀ ବାବୁରାଓ ଯାଦବ (୩୪:୩୪.୧୦୩) ଓ ପୁନମ ଦିନକର ସୋନୁନେ (୩୪:୪୫.୪୨) ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ। କାର୍ତ୍ତିକ ଓ ଗୁଲବୀରଙ୍କ ସହ ପ୍ରଥମ ଦିନରେ ହରିୟାଣାର ୪୦୦ ମିଟର ଧାବିକା ଅଞ୍ଜଳି ଦେବୀ ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିଛନ୍ତି। ୪୦୦ ମିଟର ଦୌଡ଼ରେ ଏସୀୟ କ୍ରୀଡ଼ା ମାନଦଣ୍ଡ ୫୨.୯୬ ସେକେଣ୍ଡ ଥିଲା ବେଳେ ଅଞ୍ଜଳି ୫୨.୮୯ ସେକେଣ୍ଡ ସହ ନିଜ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରି ଏସୀୟ କ୍ରୀଡ଼ା ଯୋଗ୍ୟତା ସହ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ। ପୁରୁଷ ୨୦ କିମି ଚାଲିରେ ହରିୟାଣାର ସନ୍ଦୀପ କୁମାର (୧:୨୭:୧୨.୦୦) ସ୍ବର୍ଣ୍ଣ, ହରଦୀପ (୧:୨୮:୫୭.୦୦) କାଂସ୍ୟ ପଦକ ଜିତିଥିଲା ବେଳେ ତାମିଲନାଡ଼ୁର ସର୍ଭିମ ଏସ୍ (୧:୨୮:୨୧.୦୦) ରୌପ୍ୟ ପଦକ କରାୟତ୍ତ କରିଥିଲେ। ଏଥିରେ ଭାଗ ନେଇଥିବା ଓଡ଼ିଶାର କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ (୧:୪୧:୨୩.୦୦) ୧୨ତମ ସ୍ଥାନରେ ରହିଥିଲେ। ମହିଳା ୨୦ କିମି ଚାଲିରେ ରାଜସ୍ଥାନର ଭବାନୀ ଜାଟ (୧:୩୭:୦୩.୦୦) ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଉତ୍ତର ପ୍ରଦେଶର ପ୍ରିୟଙ୍କା ଗୋସ୍ବାମୀ (୧:୪୦:୩୩.୦୦) ରୌପ୍ୟ ଏବଂ କର୍ଣ୍ଣାଟକର ବନ୍ଦନା (୧:୪୧:୫୪.୦୦) କାଂସ୍ୟ ପାଇଥିଲେ।