ଆଇପିଏଲ୍ ଫର୍ମାଟ୍ ବଦଳିବ: ବିସିସିଆଇକୁ ଅଧିକ ୪୮୦୦ କୋଟି ରାଜସ୍ବ ମିଳିବ

୨୦୨୨ ଋତୁରେ ୮ ପରିବର୍ତ୍ତେ ୧୦ ଦଳ, ଦୁଇଟି ଗ୍ରୁପ୍‌ରେ ରହିବେ ୫ଟି ଲେଖାଏଁ ଦଳ

ମୁମ୍ବାଇ: ବିଶ୍ବର ସବୁଠାରୁ ଧନୀ, ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍‌ ୨୦୨୨ରୁ ନୂଆ ରୂପରେ ଦେଖିବାକୁ ମିଳିବ। ଦଳ ସଂଖ୍ୟା ସହ ମ୍ୟାଚ୍ ଓ ପ୍ରତିଯୋଗିତା ଅବଧି ମଧ୍ୟ ସଂପ୍ରସାରିତ ହେବ। ଗୋଟିଏ ଦଶନ୍ଧି ପରେ ପୁଣି ଥରେ ୨୦୧୧ ମସିହାର ଫର୍ମାଟ୍‌କୁ ଫେରିବ ଆଇପିଏଲ୍। ୨୦୧୧ ଭଳି ୨୦୨୨ରେ ୮ ପରିବର୍ତ୍ତେ ୧୦ ଦଳ ଖେଳିବେ। ଦଳଗୁଡ଼ିକୁ ୫ ଦଳ ବିଶିଷ୍ଟ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପରେ ପଏଣ୍ଟ୍‌ ଭିତ୍ତିରେ ପ୍ରତ୍ୟେକ ଗ୍ରୁପର ଶୀର୍ଷ ୨ ଦଳ କ୍ବାଲିଫାୟରକୁ ଯିବେ। ଅବଶ୍ୟ ଏବେକାର ଗୋଟିଏ ଏଲିମିନେଟର ଏବଂ ଦୁଇଟି କ୍ବାଲିଫାୟର ପଦ୍ଧତି ପୂର୍ବଭଳି ଜାରି ରହିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ସଂପ୍ରତି ବିସିସିଆଇ ଲିଗ୍‌ର ନୂଆ ଫର୍ମାଟ ନେଇ ସତ୍ତ୍ବାଧିକାରୀ ବିଚାର ବିମର୍ଶ ଜାରି ରଖିଥିଲା ବେଳେ କିଛି ଦିନ ପରେ ଏହାର ଚୂଡ଼ାନ୍ତ ରୂପରେଖ ଘୋଷଣା କରାଯିବ। ଆଇପିଏଲ୍ ପାଇଁ ମିଳୁଥିବା ସମୟ ଝରକାକୁ ବଢ଼ାଇବା ଲାଗି ମଧ୍ୟ ଆଇସିସି ସହ ବିସିସିଆଇର ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଆଇସିସିର ‘ପ୍ରତ୍ୟେକ ବର୍ଷ ଗୋଟିଏ ଆଇସିସି ପ୍ରତିଯୋଗିତା’ ପ୍ରସ୍ତାବକୁ ଗ୍ରହଣ କରିବା ପ୍ରତିବଦଳରେ ଭବିଷ୍ୟତ ଗସ୍ତ ଓ କାର୍ଯ୍ୟସୂଚୀରେ ବିସିସିଆଇ ଆଇପିଏଲ୍ ପାଇଁ ଏକ ନିର୍ଦ୍ଦିଷ୍ଟ ଏବଂ ଉତ୍ସର୍ଗୀକୃତ ଝରକା ମାଗୁଥିବା ଜଣାପଡ଼ିଛି।

ଆଇପିଏଲ୍-୨୦୨୨କୁ ନେଇ ବିଚାରାଧୀନ ଥିବା ଆଉ ଏକ ବଡ଼ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସଂସ୍କରଣରେ ୬୦ ପରିବର୍ତ୍ତେ ୭୪ ମ୍ୟାଚ୍ ଖେଳାଯିବ। ପୂର୍ବରୁ ମ୍ୟାଚ୍ ସଂଖ୍ୟା ୯୪ କରିବାକୁ ବିସିସିଆଇର ଏକ ବିଶେଷଜ୍ଞ ଗୋଷ୍ଠୀ ପରାମର୍ଶ ଦେଇଥିଲେ। ତେବେ ‌ଏତେ ଅଧିକ ମ୍ୟାଚ୍ ସପକ୍ଷରେ ପ୍ରସାରଣକାରୀ ସଂସ୍ଥା ଏବଂ ସଭାପତି ଓ ସଂପାଦକ ନାହାନ୍ତି। ଏଣୁ ବୋର୍ଡର ଆଭ୍ୟନ୍ତରୀଣ ଚିଠା ପ୍ରସ୍ତାବରେ ୭୪ ମ୍ୟାଚ୍‌କୁ ନେଇ ସମ୍ମତି ହୋଇଥିବା ସୂଚନା ମିଳିଛି। ଏକଥା‌ ବିସିସିଆଇ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି। ତେବେ ଲିଗ୍‌ର ଅବଧିକୁ ୫୪ରୁ ୬୦କୁ ବଢ଼ାଇବା ଲାଗି ସମ୍ମତି ହୋଇସାରିଥିବା ସ୍ପଷ୍ଟ କରି ଦେଇଛନ୍ତି ସେ।

୨୦୨୨ ଋତୁରେ ୮ ପରିବର୍ତ୍ତେ ୧୦ ଦଳ
ଦୁଇଟି ଗ୍ରୁପ୍‌ରେ ରହିବେ ୫ଟି ଲେଖାଏଁ ଦଳ
ଗ୍ରୁପ୍‌ର ୫ଟି ଯାକ ଦଳ ପରସ୍ପର ବିପକ୍ଷରେ ୨ ମ୍ୟାଚ୍ ଖେଳିବେ
ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ୍‌ ଭିତ୍ତିକ ମାନ୍ୟତା
୧ ଏଲିମିଟେନର, ୨ କ୍ବାଲିଫାୟର ପଦ୍ଧତି ଜାରି ରହିବ
୬୦ ଦିନରେ ଖେଳାଯିବ ୭୪ ମ୍ୟାଚ୍

ବିସିସିଆଇକୁ ଅଧିକ ୪୮୦୦ କୋଟି ରାଜସ୍ବ ମିଳିବ
ଆଇପିଏଲ୍‌ରେ ଯଦି ଦୁଇଟି ନୂଆ ଦଳ ସାମିଲ ହୁଅନ୍ତି ତାହେଲେ ବିସିସିଆଇକୁ ୪୮୦୦ କୋଟି ଟଙ୍କାର ଅଧିକ ରାଜସ୍ବ ମିଳିବ। ୧୪ ଅଧିକ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପ୍ରସାରଣ ଅଧିକାରରୁ ୮୦୦  କୋଟି ଟଙ୍କା ଅର୍ଜନ କରିବ। ସେହିଭଳି ଦୁଇଟି ନୂଆ ଦଳର ନିଲାମରୁ ପାଖାପାଖି ୪,୦୦୦ କୋଟି ଟଙ୍କା ରୋଜଗାର କରିବ। ଦଳଗୁଡ଼ିକର ଖେଳାଳିଙ୍କ ଦରମା ସୀମା ୯୫ରୁ ୧୦୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇ ସାରିଥିବାରୁ ଆସନ୍ତା ଋତୁରେ ଖେଳାଳିଙ୍କ ରୋଜଗାର ବି ବଢ଼ିବ। ‌ତେବେ ଦଳଗୁଡ଼ିକୁ ମାତ୍ର ୪ ଜଣଙ୍କୁ ଆଇକନ୍ ଖେଳାଳି ଭାବେ ରଖିବାର ଅନୁମତି ମିଳିଥିବାରୁ କିଛି ନିର୍ଦ୍ଦିଷ୍ଟ ଦଳର ପ୍ରଶଂସକଙ୍କୁ ଏହା ନିରାଶ କରିଛି। କାରଣ ୨୦୨୨ରେ ହେବାକୁ ଥିବା ମେଗା ନିଲାମ ପରେ ସେମାନଙ୍କ ପ୍ରିୟ ଦଳର ଖେଳାଳି ଏକାଠି ରହିବାର ଆଶା କମ୍। ସବୁଦଳର ମୂଳ ବାହିନୀରେ ବ୍ୟାପକ ଅଦଳ ବଦଳ ହେବା ଏକ ପ୍ରକାର ନିଶ୍ଚିତ।

ସମ୍ବନ୍ଧିତ ଖବର