ମୁମ୍ବାଇ: କରୋନା ମହାମାରୀ ସଙ୍କଟ ପାଇଁ ସ୍ଥଗିତ ହୋଇଥିବା ବିଶ୍ବର ସବୁଠାରୁ ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ‘ଆଇପିଏଲ୍’ ୟୁଏଇରେ ଆୟୋଜିତ ହେବା ଖବର ଆସିବା ପରେ କ୍ରିକେଟ୍ ପ୍ରେମୀଙ୍କ ଖୁସି କହିଲେ ନସରେ। ଆଇପିଏଲ୍‌ର ବହୁ ପ୍ରତୀକ୍ଷିତ ତ୍ରୟୋଦଶ ସଂସ୍କରଣକୁ ନେଇ ଦିନକୁ ଦିନ ସେମାନଙ୍କ ମନରେ ଉତ୍ସୁକତା ବଢ଼ି ଚାଲିଛି। ସେହିଭଳି ଆଇପିଏଲ୍‌ରେ କେଉଁ ଦଳ ବିଜେତା ହେବ, କେଉଁ ବ୍ୟାଟ୍ସମ୍ୟାନ୍ ସର୍ବାଧିକ ରନ୍ କରିବ ଏବଂ କିଏ ସବୁଠାରୁ ବେଶି ୱିକେଟ୍ ନେବ, ସେ ନେଇ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିବା ମଧ୍ୟ ଆରମ୍ଭ କରି ଦେଲେଣି। ଏହି ପରିପ୍ରେକ୍ଷୀରେ ଆଇପିଏଲ୍‌ର ଗତ ୧୨ ସଂସ୍କରଣରେ ସର୍ବାଧିକ ଅର୍ଧଶତକ ଓ ଶତକ ସହ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ତାଲିକା‌ ପ୍ରସ୍ତୁତ କରିବାର ଆବଶ୍ୟକତା ‌ଦେଖା ଦେଇଛି। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ ଖେଳିଥିବା ଖେଳାଳି (ଶୀର୍ଷ ୫)ଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ।

Advertisment

ଡେଭିଡ୍ ୱାର୍ନର: ୪୮
ଦିଲ୍ଲୀ ଡେୟାର ଡେଭିଲ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ
ଆଇପିଏଲ୍ ଇତିହାସରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ‌ଡେଭିଡ୍ ୱାର୍ନର ଅନ୍ୟତମ। ଜଣେ ବିସ୍ଫୋରକ ପ୍ରାରମ୍ଭିକ ବ୍ୟା‌ଟ୍ସମ୍ୟାନ୍ ଭାବେ ପରିଚିତ ୱାର୍ନର ଯେମିତି କୌଣସି ପ୍ରତିପକ୍ଷକୁ ଖାତିର କରନ୍ତି ନାହିଁ। ସଂସ୍କରଣ ପରେ ସଂସ୍କରଣ ସେ ନିଜ ପତିଆରା ଜାହିର କରି ଆସିଛନ୍ତି। ଦିଲ୍ଲୀ ଡେୟାର ଡେଭିଲ୍ସ (ଏବେକାର ଦିଲ୍ଲୀ କ୍ୟାପିଟାଲ୍ସ)ରୁ ଆଇପିଏଲ୍ ଖେଳିବା ଆରମ୍ଭ କରିଥିବା ୱାର୍ନର କିନ୍ତୁ ନିଜ ଅସଲ ଚମକ ସନରାଇଜର୍ସ ହାଇଦ୍ରାବାଦରେ ରହି ଦେଖାଇଛନ୍ତି। ତାଙ୍କ ନେତୃତ୍ବରେ ସନରାଇଜର୍ସ ଥରେ ଆଇପିଏଲ୍ ବିଜେତା ମଧ୍ୟ ହୋଇ ସାରିଛି। ୱାର୍ନରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୨୬ ରନ୍ ହୋଇଥିଲା ବେଳେ ସେ ୪୮ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ୨୦୦୯ରୁ ୨୦୧୯ ମଧ୍ୟରେ ୧୨୬ ମ୍ୟାଚ୍ ଖେଳି ୱାର୍ନର ୪୩.୧୭ ହାରରେ ୪୭୦୬ ରନ୍ କରିଛନ୍ତି। ସେଥିମଧ୍ୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୨ ରହିଛି। ସେହିଭଳି ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ତାରକା ୪୪ ଅର୍ଧଶତକ ହାସଲ କରିଥିଲା ବେଳେ ୪ଟି ଶତକର ଅଧିକାରୀ ହୋଇଛନ୍ତି। ଆଇପିଏଲ୍ ଶତକ ତାଲିକାରେ ସେ କେବଳ କ୍ରିସ୍ ଗେଲ୍ ଓ ବିରାଟ ‌କୋହଲିଙ୍କ ପଛରେ ରହିଛନ୍ତି।

ବିରାଟ କୋହଲି: ୪୧
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆରମ୍ଭରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଅଛନ୍ତି। ୨୦୧୩ ମସିହାରୁ ସେ ମଧ୍ୟ ଏହି ଦଳର ନେତୃତ୍ବ ନେଉଛନ୍ତି। ପାଖାପାଖି ଏକ ଦଶନ୍ଧି ହେବ ୱାର୍ନର ଆର୍‌ସିବି ବ୍ୟାଟିଂର ମେରୁଦଣ୍ଡ ହୋଇ ରହି ଆସିଛନ୍ତି। ଅଧିକାଂଶ ସମୟରେ ଶୀର୍ଷ ୩ ସ୍ଥାନ ଭିତରେ ଖେଳିଥିବା କୋହଲି ଆଇପିଏଲ୍‌ରେ ସର୍ବାଧିକ ୫୪୧୨ ରନ୍ କରିଛନ୍ତି। ୧୭୭ ମ୍ୟାଚ୍ ଖେଳି ସେ ୪୧ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ସେଥିମଧ୍ୟରେ ୩୬ ଅର୍ଧଶତକ ଥିଲା ବେଳେ ୫ଟି ଦର୍ଶନୀୟ ଶତକ ବି ରହିଛି। ୱାର୍ନରଙ୍କ ଭଳି କୋହଲି ମଧ୍ୟ ନିଜ ଦଳ ପାଇଁ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି। ତେବେ ଦୁର୍ଭାଗ୍ୟଜନକ ଭାବେ ଥରେ ହେଲେ ବି ଆରସିବିକୁ ବିଜେତା କରାଇ ପାରି ନାହାନ୍ତି। କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ବହୁତ ଭଲ ଅର୍ଥାତ୍ ୧୩୧ ରହିଛି। ସର୍ବାଧିକ ସଂଖ୍ୟକ ୫୦ରୁ ଅଧିକ ରନ୍‌ ପାଳି ଖେଳିବାରେ ସେ ୱାର୍ନରଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଅଛନ୍ତି।

publive-image

ସୁରେଶ ରାଇନା: ୩୯
ଚେନ୍ନାଇ ସୁପରକିଙ୍ଗ୍ସ, ଗୁଜରାଟ ଲାୟନ୍ସ
ଆଇପିଏଲ୍‌ରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାରେ ଉତ୍ତରପ୍ରଦେଶ ତାରକା ସୁରେଶ ରାଇନା ନିଜ ଜାତୀୟ ଅଧିନାୟକ ବିରାଟ କୋହଲିଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ୍ ଦୁଇଟି ଦଳ ଯଥା ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଲାୟନ୍ସରୁ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ରାଇନା ଏହି ଦୁଇ ଦଳ ପକ୍ଷରୁ ୧୯୩ ମ୍ୟାଚ୍ ଖେଳି ୩୯ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ସେଥିମଧ୍ୟରେ ୨୦୧୩ ମସିହାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସେ ଖେଳିଥିବା ୫୩ ବଲ୍‌ର ଧୂଆଁଧାର ଶତକ ମଧ୍ୟ ରହିଛି। ରାଇନା ସର୍ବମୋଟ ୫୩୬୮ ରନ୍ କରିଛନ୍ତି। ଏପରିକି ତାଙ୍କ ଷ୍ଟ୍ରାଇକ୍ ରେଟ୍ (୧୩୭) କୋହଲିଙ୍କଠାରୁ ମଧ୍ୟ ଭଲ। ଗତ ୧୨ ସଂସ୍କରଣ ମଧ୍ୟରେ ରାଇନା ଅଗଣିତ ଥର ନିଜ ଦଳକୁ ବିପଦରୁ ଉଧାର କରିଛନ୍ତି।

ଶିଖର ଧାୱନ ଓ ରୋହିତ ଶର୍ମା: ୩୭
ଡେକାନ ଚାର୍ଜର୍ସ, ଦିଲ୍ଲୀ କ୍ୟାପିଟାଲ୍ସ/ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ଡେକାନ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲର ସର୍ବାଧିକ ସଂଖ୍ୟକ ୫୦ କିମ୍ବା ତା’ଠାରୁ ଅଧିକ ରନ୍‌ର ପାଳି ଖେଳିବା ତାଲିକାରେ ଭାରତୀୟ କ୍ରିକେଟର ଦୁଇ ବିସ୍ଫୋରକ ତାରକା ଶିଖର ଧାୱନ ଓ ରୋହିତ ଶର୍ମା ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଉଭୟ ବଡ଼ ପାଳି ଖେଳିବା ଲାଗି ପରିଚିତ ହୋଇଥିଲା ବେଳେ ଆଇପିଏଲ୍‌ରେ ମଧ୍ୟ ସେମାନେ ଠିକ୍ ସେହି କଥା‌ କରିଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ଧାୱନ ଚାରିଟି ଭିନ୍ନ ଭିନ୍ନ ଦଳରୁ ଖେଳିଛନ୍ତି।୧୫୯ ମ୍ୟାଚ୍‌ରୁ ୩୭ ଥର ୫୦ ରନ୍ ଛୁଇଁଛନ୍ତି କିମ୍ବା ଟପିଛନ୍ତି। ହେଲେ ଶତକ ଅର୍ଜନ କରି ପାରି ନାହାଁନ୍ତି। ସେପଟେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ହେଉଛନ୍ତି ଆଇପିଏଲ୍ ଇତିହାସର ସଫଳତମ ଅଧିନାୟକ। ତାଙ୍କ ନେତୃ୍ତ୍ବରେ ମୁମ୍ବାଇ ଚାରି ଥର ଆଇପିଏଲ୍ ବିଜେତା ହୋଇଛି। ଡେକାନ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୮୮ ମ୍ୟାଚ୍ ଖେଳି ରୋହିତ ମଧ୍ୟ ସେହି ୩୭ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ଗୋଟିଏ ଶତକ। ତାଙ୍କ ସର୍ବାଧିକ ବ୍ୟକ୍ତିଗତ ରନ୍ ହେଉଛି ୧୦୯*।

ଏବି ଡି’ଭିଲିୟର୍ସ ଓ ଗୌତମ ଗମ୍ଭୀର: ୩୬
ଦିଲ୍ଲୀ ଡେୟାର ଡେଭିଲ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ
ଆଇପିଏଲ୍‌ର ଅନ୍ୟତମ ଲୋକପ୍ରିୟ ବିଦେଶୀ ଖେଳାଳି ଏବି ଡି’ଭିଲିୟର୍ସ ଅସଂଖ୍ୟ ଥର ପ୍ରଶଂସକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀ ୧୫୪ ମ୍ୟାଚ୍ ଖେଳି ୩୬ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ୧୫୧.୨୩ର ଷ୍ଟ୍ରାଇକ୍ ରେଟ୍ ସହ ୪୩୯୫ ରନ୍ କରିଛନ୍ତି। ଆଇପିଏଲ୍‌ର ତିନିଟି ଶତକ ମଧ୍ୟ ତାଙ୍କ ନାଁରେ ରହିଛି।

କୋଲକାତା ନାଇଟ୍ ରାଇଡର୍ସର ସଫଳତମ ଅଧିନାୟକ ଗୌତମ ଗମ୍ଭୀର ମଧ୍ୟ ୩୬ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ତାଙ୍କ ‌ନେତୃତ୍ବରେ କୋଲକାତା ଦୁଇ ଥର (୨୦୧୨, ୨୦୧୪) ଆଇପିଏଲ୍ ବିଜେତା ହୋଇଛି। ୧୦ ବର୍ଷର ଆଇପିଏଲ୍ ଜୀବନ ଭିତରେ ଗମ୍ଭୀର ନିଜକୁ ଜଣେ ସଫଳ ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବେ ଗଢ଼ି ତୋଳିଥିଲେ। ତେବେ ‌ଏହି ଦିଲ୍ଲୀ ତାରକା ଶତକ ଅର୍ଜନ କରିବାକୁ ସକ୍ଷମ ହୋଇ ନାହାଁନ୍ତି। ଗମ୍ଭୀର ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ କିଛି ମ୍ୟାଚ୍ ଖେଳିଛନ୍ତି।