ଆଇପିଏଲ୍ ଅଧାରୁ ସ୍ଥଗିତ, ସେପ୍ଟେମ୍ବର ଶେଷ ଭାଗରେ ଆୟୋଜନ ଯୋଜନା

ସନ୍‌ରାଇଜର୍ସ ଓ କ୍ୟାପିଟାଲ୍ସରେ ପଶିଲା କରୋନା, ରିଦ୍ଧିମାନ, ଅମିତ ପଜିଟିଭ୍

ମୁମ୍ବାଇ: ଚାରିଟି ଦଳର ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବିସିସିଆଇ ଶେଷରେ ବାଧ୍ୟହୋଇ ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗ୍ସର କିଛି ଖେଳାଳି ଓ ସଦସ୍ୟ କରୋନା ପୀଡ଼ିତ ଥିଲେ। ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଲେଖାଏଁ ଖେଳାଳି କରୋନା ପଜିଟିଭ୍ ଆସିବା ପରେ ଆଇପିଏଲ୍‌କୁ ଆଉ ଆଗକୁ ନବଢ଼ାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ଆଇପିଏଲ୍ ମୁଖ୍ୟ ବ୍ରିଜେଶ ପଟେଲ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି। ଆଇପିଏଲ୍‌ର ସମସ୍ତ ସତ୍ତ୍ବାଧିକାରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ସେ। ଆଇପିଏଲ୍ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବିସିସିଆଇର ବରିଷ୍ଠ ଅଧିକାରୀ ଏବଂ ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ଲିଗ୍‌ରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ମାମଲାକୁ ନେଇ ଚିନ୍ତା ଜାହିର କରିଥିଲେ। ମଙ୍ଗଳବାର ବସିଥିବା ଜରୁରୀକାଳୀନ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପର୍ଯ୍ୟାଲୋଚନା ପରେ ସର୍ବସମ୍ମତିକ୍ରମେ ଚଳିତବର୍ଷର ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା। ଖେଳାଳି, ସହକାରୀ ଅଧିକାରୀ ଓ ଆଇପିଏଲ୍‌ ସହ ଜଡ଼ିତ ଥିବା ଜଣେ ହେଲେ ବି ବ୍ୟକ୍ତିଙ୍କ ସୁରକ୍ଷାକୁ ନେଇ ବିସିସିଆଇ କେବେ ବି କୌଣସି ସାଲିସ କରିବ ନାହିଁ। ସମଗ୍ର ବିଶ୍ବ ବିଶେଷ କରି ଭାରତବର୍ଷ ଏବେ କଠିନ ସମୟ ଦେଇ ଗତି କରୁଛି। ଆମେ ପ୍ରଶଂସକଙ୍କ ମନରେ କିଛିଟା ହସ ଫୁଟାଇବାକୁ ଚେଷ୍ଟା କରିଥିଲୁ। ନକାରାତ୍ମକ ଭାବନା ନୁହେଁ ବରଂ ସକାରାତ୍ମକ ଚିନ୍ତା ଭରିବାକୁ ପ୍ରୟାସ କରିଥିଲୁ। ହେଲେ ବାସ୍ତବତା ହେଉଛି ସଂପ୍ରତି ଆଇପିଏଲ୍‌କୁ ସ୍ଥଗିତ ରଖାଗଲା। ସମସ୍ତେ ନିଜ ନିଜ ଘରକୁ ଫେରି ପ୍ରିୟଜନଙ୍କ ସହ କିଛିଟା ଭଲ ସମୟ କଟାନ୍ତୁ ବୋଲି ଆମେ ଚାହୁଛୁ। ସେହିଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଯେଭଳି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିବେ ସେ ବ୍ୟବସ୍ଥା ବିସିସିଆଇ କରିବ ବୋଲି ବିଜ୍ଞପ୍ତିରେ ଆଇପିଏଲ୍ ପରିଚାଳନା ପରିଷଦ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି।

ବିସିସିଆଇର ଏହି ନିଷ୍ପତ୍ତିକୁ କିନ୍ତୁ ଚାରିଆଡ଼ୁ ସ୍ବାଗତ କରାଯାଇଛି। ତେବେ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଏହା ଖଟାମିଠା ଅନୁଭବ ନେଇ ଆସିଛି। କରୋନା ପାଇଁ ହେଉଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ବେଳେ ଘରେ ରହି ଅନ୍ତତଃ କିଛି ସମୟ କ୍ରିକେଟ୍‌ର ମଜା ନେଉଥିଲେ ସେମାନେ। ଏଣୁ କିଛି କ୍ରିକେଟ୍‌ପ୍ରେମୀ ନିରାଶ ହୋଇଛନ୍ତି। ତେବେ ଏବେକାର କଠିନ ଓ କଠୋର ସମୟରେ ଆମୋଦ ପ୍ରମୋଦରେ ନମାତି ଦେଶବାସୀଙ୍କ ପାଇଁ ଲଢ଼ିବାର ସମୟ ଆସିଯାଇଛି। ଏଣୁ ଆଇପିଏଲ୍‌ ବାତିଲ ଖବରକୁ ସ୍ବାଗତ କରିଛନ୍ତି ଅନେକ କ୍ରିକେଟ୍‌ ପ୍ରଶଂସକ। ସେପଟେ ଲିଗ୍‌ରେ ଅଂଶଗ୍ରହଣ କରୁଥିବା ବିଦେଶୀ ଖେଳାଳିମାନେ କିଭଳି ଓ କେମିତି ଘରକୁ ଫେରିବେ ସେ ଚିନ୍ତାରେ ରହିଛନ୍ତି। ଭାରତରୁ ଯାଉଥିବା ଯାତ୍ରୀଙ୍କ ଉପରେ ଅଷ୍ଟ୍ରେଲିଆ କଡ଼ା କଟକଣା ଜାରି କରିଥିଲା ବେଳେ ଇଂଲଣ୍ଡ ମଧ୍ୟ ଭାରତରୁ ଯାଉଥିବା ବିମାନ ଓ ଯାତ୍ରୀଙ୍କ ଉପରେ ଅଙ୍କୁଶ ଜାରି କରିଛି। ଏଭଳି ସ୍ଥିତିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ସହ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାଇଁ ଭାରତରୁ ସିଧାସଳଖ ସ୍ବଦେଶ ଫେରିବା ଆଦୌ ସହଜ ହେବନି। କରୋନା ଭୟରେ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ, ରାଜସ୍ଥାନ ରୟାଲ୍ସର ଆଣ୍ଡ୍ୟୁ ଟାଏ, ଲିଆମ ଲିଭିଂଷ୍ଟୋନ୍, ଆର୍‌ସିବିର କେନ୍ ରିଚାର୍ଡସନ୍, ଆଦାମ ଜାମ୍ପା, ଅମ୍ପାୟାର ନିତିନ ମେନନ, ପଲ୍ ରିଫେଲ ପ୍ରମୁଖ ଚଳିତବର୍ଷର ଆଇପିଏଲ୍‌ ଅଧାରୁ ଓହରି ଯାଇଥିଲେ।

ସୂଚନାଯୋଗ୍ୟ ଯେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଗତବର୍ଷ ୟୁଏଇରେ ସରୁଖୁରୁରେ ଶେଷ ହୋଇଥିଲା। ଏହାର ମାତ୍ର ପାଞ୍ଚ ମାସ ପରେ ଚଳିତବର୍ଷର ଚତୁର୍ଦ୍ଦଶ ସଂସ୍କରଣ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇଥିଲା। ମାସାଧିକ କାଳ ଭଲରେ ଭଲରେ ଚାଲିବା ପରେ ସୋମବାର ହଠାତ୍ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। କରୋନାର ଭୟଙ୍କର ମାଡ଼ ସାଧାରଣ ଜନ ଜୀବନକୁ ସଂପୂର୍ଣ୍ଣ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲା ବେଳେ ବିସିସିଆଇ ଆଇପିଏଲ୍‌ ଆୟୋଜନକୁ ବିରୋଧ କରି ବନ୍ଦନା ଶାହା ନାମକ ଜଣେ ଅଇନଜୀବୀ ବମ୍ବେ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଏଥିରେ ଆଇପିଏଲ୍ ପାଇଁ ଲୋକମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ବିସିସିଆଇକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ସନ୍‌ରାଇଜର୍ସ ଓ କ୍ୟାପିଟାଲ୍ସରେ ପଶିଲା କରୋନା, ରିଦ୍ଧିମାନ, ଅମିତ ପଜିଟିଭ୍
କୋଲକାତା ନାଇଟ୍ ରାଇଡର୍ସର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହୋଇଥିବା ଖବର ପଦାକୁ ଆସିବା ପରେ ବିସିସିଆଇ ଓ ଆଇପିଏଲ୍ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏଥିଲାଗି ସୋମବାରର କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମ୍ୟାଚ୍‌କୁ ମଧ୍ୟ ବାତିଲ କରି ଦିଆଯାଇଥିଲା। ଏହା ପରେ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀଙ୍କ ସହ ଚେନ୍ନାଇ ସୁପରକିଙ୍ଗ୍ସର ତିନି ଜଣ ସଦସ୍ୟ କରୋନା ପଜିଟିଭ୍ ହୋଇଥିବାର ଖବର ପଦାକୁ ଆସିଥିଲା। ବାଲାଜୀ ମେ’ ପହିଲାରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳାଳିଙ୍କ ଡଗ୍‌ଆଉଟ୍‌କୁ ଯାଇଥିବାରୁ ମୁମ୍ବାଇ ମଧ୍ୟ ଚିନ୍ତାରେ ପଡ଼ି ଯାଇଥିଲା। ଏହି ଦୁଇ ଦଳ ସହ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସର କିଛି ଖେଳାଳି କରୋନା ପୀଡ଼ିତ ଥିବା ମଙ୍ଗଳବାର ସ୍ପଷ୍ଟ ହୋଇଯାଇଥିଲା। ଫଳରେ ‌ସୋମବାର ସୁଦ୍ଧା ଲିଗ୍ ଯେକୌଣସି ପରିସ୍ଥିତିରେ ଚାଲୁରଖିବାକୁ ଦମ୍ଭ ଭରୁଥିବା ଫ୍ରାଞ୍ଚାଇଜଗୁଡ଼ିକ ନିଜ ଆଭିମୁଖ୍ୟ କୋହଳ କରିଥିଲେ। ବିସିସିଆଇ, ଅଂଶଗ୍ରହଣକାରୀ ଦଳ, ଆଇପିଏଲ୍ ପରିଚାଳନା ପରିଷଦ, ପ୍ରସାରଣକାରୀ ସଂସ୍ଥା ମିଳିତ ଭାବେ ଲିଗ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ତିନିଟି ଦଳର ଖେଳାଳି କରୋନା ପଜିଟିଭ୍ ହେବା ପରେ କିନ୍ତୁ ବିସିସିଆଇ ଜୈବ ବଳୟର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ମାତ୍ର ୮ ଦିନ ତଳେ ସବୁ ଦଳର ଜୈବ ବଳୟ ସୁରକ୍ଷିତ ବୋଲି ବିସିସିଆଇ ଦୃଢ଼ ପ୍ରତିଶ୍ରୁତି ଦେଇଥିଲା। ଦିନ କେଇଟା ଭିତରେ କିନ୍ତୁ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇଛି। ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦର ଋଦ୍ଧିମାନ ସାହା ଓ ଦିଲ୍ଲୀ କ୍ୟାପିଟାଲ୍ସର ବରିଷ୍ଠ ସ୍ପିନର ଅମିତ ମିଶ୍ରା କରୋନା ସଂକ୍ରମିତ ହେବା ସହ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ର କିଛି କର୍ମଚାରୀ କରୋନା ସଂକ୍ରମିତ ହୋଇ ସାରିଥିବା ସୂଚନା ସବୁ ଦଳକୁ ଦୋହଲାଇ ଦେଇଥିଲା।

ସମ୍ବନ୍ଧିତ ଖବର