ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ହେଉଛି ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ଅନ୍ୟତମ ସଫଳତମ ଫ୍ରାଞ୍ଚାଇଜ୍। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଏହି ଦଳ ଗତ ୧୨ ଋତୁ ମଧ୍ୟରେ ତିନି ଥର ଟ୍ରଫି ବିଜେତା ହୋଇଛି। ସିଏସ୍କେ ପକ୍ଷରୁ ଖେଳିବା ସବୁଠୁ ବଡ଼ ସୁଯୋଗ। ବିଶେଷକରି କ୍ରିକେଟ୍ ଦୁନିଆର ମହାନ୍ ଖେଳାଳିଙ୍କ ଗହଣରେ ଖେଳିବାର ଅନୁଭୁତି ମଧ୍ୟ ନିଆରା। ଯୁବ ଖେଳାଳିମାନଙ୍କ ପାଇଁ ଧୋନି, ଷ୍ଟିଫେନ୍ ଫ୍ଲେମିଂ ଏମଂ ମାଇକେଲ ହସିଙ୍କ ଭଳି କିଛି ଶ୍ରେଷ୍ଠ କ୍ରିକେଟ୍ ମସ୍ତିସ୍କଙ୍କଠୁ ଅନେକ କିଛି ଶିଖିବାର ସୁଯୋଗ ଥାଏ। ଏପରିସ୍ଥଳେ ଆଇପିଏଲ୍ ହେଉଛି ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଟୁର୍ନାମେଣ୍ଟ ଏବଂ ସେହି ଦଳର ସଦସ୍ୟ ହୋଇପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ନିକଟରେ ଏକ ବାର୍ତାଳାପରେ କହିଛନ୍ତି ନ୍ୟୁଜିଲାଣ୍ଡ୍ ସ୍ପିନ୍ ଅଲ୍ରାଉଣ୍ଡର ମିଚେଲ ସାଣ୍ଟ୍ନର୍। ପୁଣି ସିଏସ୍କେ ଅଧିନାୟକ ଧୋନିଙ୍କ ସହ ଡ୍ରେସିଂ ରୁମ୍ ବାଣ୍ଟିବାର ଅଭିଜ୍ଞତା ମଧ୍ୟ ଚମତ୍କାର ବୋଲି ସେ କହିଛନ୍ତି। ମୁଁ ଯେତେବେଳେ ୨୦୦୮ରେ ସିଏସ୍କେ ପକ୍ଷରୁ ବଛାଗଲି ଖୁବ୍ ଉତ୍ସାହିତ ହୋଇପଡ଼ିଥିଲି। ସେହି ଦଳରେ ହରଭଜନ ସିଂହ, ରବୀନ୍ଦ୍ର ଜାଦେଜା ଏବଂ ଇମ୍ରାନ୍ ତାହିରଙ୍କ ଭଳି ବିଶ୍ବସ୍ତରୀୟ କେତେକ ସ୍ପିନର ଥିଲେ।
ସେମାନଙ୍କ ସହ କଥାବାର୍ତା ହେବା ଏବଂ ଖେଳିବାର ମଜା ରହିଥିଲା। ତେବେ ଯେତେବେଳେ ମୁଁ ପ୍ରଥମ ବର୍ଷ ଆହତ ହୋଇଥିଲି ଖୁବ୍ ନିରାଶ ହୋଇଥିଲି। କିନ୍ତୁ ଗତଥର ମୋତେ ସୁଯୋଗ ମିଳିଥିଲା। ଗତବର୍ଷ ଚେପକ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସିଏସ୍କେ ପକ୍ଷରୁ ମୁଁ ଖେଳି ୨ ଓଭରରେ ୨୬ ରନ୍ ବ୍ୟୟ କରିଥିଲି। ଏହା ମୋର ଆଇପିଏଲ୍ ପଦାର୍ପଣର ପ୍ରଥମ ମ୍ୟାଚ୍ ଥିଲା। ଆମେ ବିଳମ୍ବରେ ନ୍ୟୁଜିଲାଣ୍ଡ୍ ଦାୟିତ୍ବ ସାରି ଆଇପିଏଲ୍ରେ ଯୋଗ ଦେଇଥିଲୁ। ଭାରତ ପହଞ୍ଚିବାର ଦିନେ କି ଦୁଇ ଦିନ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳିଥିଲି। ତେଣୁ ମ୍ୟାଚ୍ ପର୍ଯ୍ୟନ୍ତ ସେତେଟା ଅଭିଜ୍ଞତା ପାଇନଥିଲି। ସିଏସ୍କେ ଅବଶ୍ୟ ଏହି ମ୍ୟାଚ୍ ଜିତି ନେଇଥିଲା। କିନ୍ତୁ ମୋ ପାଇଁ ସେହି ମ୍ୟାଚ୍ ଅତ୍ୟନ୍ତ କଷ୍ଟକର ଥିଲା ବୋଲି ସ୍ବୀକାର କରିଥିଲେ ସାଣ୍ଟ୍ନର। ଏହା ଏକ ଅବିଶ୍ବସନୀୟ ଟୁର୍ନାମେଣ୍ଟ ଏବଂ ବିଭିନ୍ନ ପିଚ୍ରେ ବୋଲିଂ କରିବାକୁ ଖୁବ୍ ଭଲ ଲାଗେ ବୋଲି କହିଛନ୍ତି ସାଣ୍ଟ୍ନର୍। ଶେଷରେ ଧୋନିଙ୍କ ସହ ଡ୍ରେସିଂ ରୁମ୍ ବାଣ୍ଟିବା ମୋ ପାଇଁ ବଡ଼ ଅଭିଜ୍ଞତା ଥିଲା। ମୁଁ ଧୋନିଙ୍କ ବିପକ୍ଷରେ ଯଥେଷ୍ଟ ଖେଳିଛି। ତେଣୁ ଏକାଠି ଖେଳିବାର ସୁଯୋଗ ପାଇବା ପରେ ତାଙ୍କ ସହ କଥାବାର୍ତା କରିବା ଏବଂ ଡ୍ରେସିଂ ରୁମ୍ ବାଣ୍ଟିବା ଚମତ୍କାର ରହିଥିଲା ବେଲି ସାଣ୍ଟ୍ନର କହିଛନ୍ତି।