ଚେନ୍ନାଇ, ୧ା୪: ତିନି ଥର ବିଜେତା ସାଙ୍ଗକୁ ୫ ଥର ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଆଇପିଏଲ୍ର ଗତ ଋତୁରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଋତୁ ଆରମ୍ଭ ପୂର୍ବରୁ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ବିବାଦୀୟ ପରିସ୍ଥିତିରେ ଦୁବାଇରୁ ସ୍ବଦେଶ ଫେରିବା ସହ ଦଳରେ ବହୁ ବୟସ୍କ ଖେଳାଳିଙ୍କ ଉପସ୍ଥିତି ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଏହି ଦଳ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ସବୁଠାରୁ ବଡ଼ କଥା ହେଲା ଆଇପିଏଲ୍ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଯାଇପାରିନଥିଲା ଏହି ଦଳ। ଯାହା ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା। ବ୍ୟାଟିଂ ବିଫଳତା ପାଇଁ ହିଁ ଦଳ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏଥର କିନ୍ତୁ ଚେନ୍ନାଇ ତାର ପୁରୁଣା ଚକମ ଫେରି ପାଇବାକୁ ପୂରା ବ୍ୟଗ୍ର।
ଶକ୍ତି
ପ୍ରେରଣାଦାୟୀ ଅଧିନାୟକ ଧୋନିଙ୍କ ସହ ରାଇନା ଫେରିବା ସିଏସ୍କେକୁ ଅଧିକ ସନ୍ତୁଳିତ କରିଛି। ଫାଫ୍ ଡୁ’ପ୍ଲେସିସ୍, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ସାମ୍ କରନ ଏବଂ ନୂଆକରି ସାମିଲ ହୋଇଥିବା ମୋଇନ ଅଲ୍ଲୀ ଓ ଯୁବ ତାରକା ଋତୁରାଜ ଗାଏକ୍ବାଡ୍ଙ୍କୁ ନେଇ ଚେନ୍ନାଇ ସୁପରକିଙ୍ଗ୍ସ ବ୍ୟାଟିଂକ୍ରମ ତୁଳନାତ୍ମକ ଭାବେ ସୁଦୃଢ଼ ହୋଇଛି। ଲୁଙ୍ଗି ଏନ୍ଗିଡ଼ି, ଶାର୍ଦୁଳ ଠାକୁର, ଅଲରାଉଣ୍ଡର କରନ୍, ଦୀପକ ଚହରଙ୍କ ଉପସ୍ଥିତି ପାଇଁ ଚେନ୍ନାଇର ବୋଲିଂ ବାହିନୀ ମଧ୍ୟ ବେଶ୍ ଦକ୍ଷ ଓ ଶକ୍ତିଶାଳୀ।
ଦୁର୍ବଳତା
ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଆଇପିଏଲ୍ରେ ବୟସ୍କ ଖେଳାଳିଙ୍କୁ ନେଇ ଖେଳିବା ଗତ ଋତୁରେ ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅନ୍ୟଦଳଗୁଡ଼ିକ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଥିଲା ବେଳେ ଚେନ୍ନାଇ ବୟସ୍କଙ୍କ ଉପରେ ଆସ୍ଥା ପ୍ରକଟ କରି ଅଡ଼ୁଆରେ ପଡ଼ିଥିଲା। ମଜାଦାର କଥା ହେଲା ଏବେ ବି ଏହି ଦଳରେ ଅନେକ ପୁରୁଖା ଖେଳାଳି ଅଛନ୍ତି। ଧୋନି, ରାଇନା, ରାୟୁଡୁ ଓ ଇମ୍ରାନ ତାହିରଙ୍କ ଭଳି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଲେଣି। ଏମାନେ ଘରୋଇ କ୍ରିକେଟ୍ ବି ଖେଳୁନାହାନ୍ତି। ସେହିଭଳି ଧୋନିଙ୍କ ମ୍ୟାଚ୍ ଶେଷ କରିବା ଦକ୍ଷତା ମଧ୍ୟ ଦିନକୁ ଦିନ ଫିକା ପଡ଼ିବାରେ ଲାଗିଛି। ପୁଣି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ଶେଷ ମୁହୁର୍ତରେ ଆଇପିଏଲ୍ରୁ ଓହରିବା ଚେନ୍ନାଇ ପାଇଁ ଶକ୍ତ ଧକ୍କା ହୋଇଛି। ସେପଟେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ଆହତ ହୋଇ କ୍ରିକେଟ୍ ପଡ଼ିଆରୁ ଦୀର୍ଘ ଦିନ ଅନୁପସ୍ଥିତ ରହିବା ପରେ ଏବର୍ଷର ଆଇପିଏଲ୍ରେ ହିଁ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଓ ପେସାଦାର କ୍ରିକେଟ୍କୁ ଫେରିବାକୁ ଯାଉଛନ୍ତି। ୱେଷ୍ଟଇଣ୍ଡିଜ୍ର ଚର୍ଚ୍ଚିତ ଅଲରାଉଣ୍ଡର୍ ଡ୍ବେନ୍ ବ୍ରାଭୋ ବି ସମ୍ଭବତଃ ନିଜ ଶ୍ରେଷ୍ଠ ସମୟ ଅତିବାହିତ କରିସାରିଲେଣି। ସ୍ପିନର ପୀୟୂଷ ଚାୱଲା ଓ କର୍ଣ୍ଣ ଶର୍ମାଙ୍କ ନିଷ୍ପ୍ରଭ ବୋଲିଂ ମଧ୍ୟ ଦଳ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇପାରେ।
ସିଏସ୍କେ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦ୍ରୁତ ବୋଲର ଜୋସ ହାଜେଲଉଡ ଆଗାମୀ ଆଇପିଏଲ୍ରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ହେବାକୁଥିବା ଟି-୨୦ ବିଶ୍ବକପ୍ ଓ ଆସେସ ଶୃଙ୍ଖଳା ପୂର୍ବରୁ କ୍ରିକେଟ୍ରୁ କିଛି ଦିନ ବିରତି ନେଇ ନିଜକୁ ସତେଜ ରଖିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ମାସ ସେ ଘରେ ସମୟ କାଟିବେ ବୋଲି କହିଛନ୍ତି। ଗତ ବର୍ଷ ୟୁଏଇରେ ହୋଇଥିବା ଆଇପିଏଲ୍ରେ ଏହି ୩୦ ବର୍ଷୀୟ ଖେଳାଳି ସିଏସ୍କେ ପକ୍ଷରୁ ୩ଟି ମ୍ୟାଚ୍ ଖେଳିଥିଲେ। ‘‘ବିଭିନ୍ନ ସମୟରେ ମୋତେ ୧୦ ମାସରୁ ଅଧିକ ସମୟ ଜୈବ ବଳୟ ଓ ସଂଗରୋଧରେ କାଟିବାକୁ ପଡ଼ିଛି। ଏବେ ଏଥିରୁ ମୁକ୍ତ ହୋଇ କିଛି ଦିନ ଘରେ କାଟିବାକୁ ନିଷ୍ପତ୍ତି ନେଇଛି। ସତେଜ ହୋଇ ଜାତୀୟ ଦଳରୁ ଖେଳିବା ଲାଗି ପ୍ରସ୍ତୁତ ହେବି’’ ବୋଲି ହାଜେଲଉଡ କହିଛନ୍ତି। ହାଜେଲଉଡଙ୍କ ସହ ଜୋସ୍ ଫିଲିପ (ଆର୍ସିବି) ଏବଂ ମିଚେଲ ମାର୍ସ (ସନ୍ରାଇଜର୍ସ ହାଇଦ୍ରାବାଦ) ମଧ୍ୟ ଆଇପିଏଲ୍ରୁ ଓହରି ଯାଇଛନ୍ତି। ଆଗକୁ କିଛି ଅଷ୍ଟ୍ରେଲିଆ ଖେଳାଳି ଓହରିବା ସମ୍ଭାବନା ରହିଥିବା ଶୁଣାଯାଉଛି।
ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ଜର୍ସିରେ ରବୀନ୍ଦ୍ର ଜାଦେଜାଙ୍କ ସହ ସୁରେଶ ରାଇନା
ମୁମ୍ବାଇ: ଆଇପିଏଲ୍ ଆରମ୍ଭ ପୂର୍ବରୁ ବାଧ୍ୟତାମୂଳକ ସଙ୍ଗରୋଧରେ ଥିବା ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜାଙ୍କ ୭ ଦିନିଆ ଅବଧି ଗୁରୁବାର ଶେଷ ହୋଇଛି। ଏଥି ସହିତ ଜାଦେଜା ମଧ୍ୟ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଶିବିରରେ ଯୋଗ ଦେଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ବୁଢ଼ା ଆଙ୍ଗୁଠିରେ ଆଘାତପ୍ରାପ୍ତ ହେବା ପରଠାରୁ ଦଳଠୁ ଦୂରେଇ ରହିଥିବା ଜାଦେଜା ଗତ ମାସଠାରୁ ଅଭ୍ୟାସ ଆରମ୍ଭ କରିଥିଲେ। ଗୁରୁବାର ସିଏସ୍କେ ଏକ ଫଟୋ ପୋଷ୍ଟ କରିଥିଲା ଯେଉଁଥିରେ ସୁରେଶ ରାଇନାଙ୍କ ସହ ରବୀନ୍ଦ୍ର ଜାଦେଜା ହସ ହସ ମୁଖମଣ୍ଡଳରେ ରହିଥିଲେ। ଉଭୟ ସିଏସ୍କେର ନୂଆ ଜର୍ସିରେ ଥିଲେ। ସୂଚନାଯୋଗ୍ୟ, ଗତବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ଏପ୍ରିଲ୍ ୧୦ ତାରିଖରେ ନିଜ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟି ଅଭିଯାନ ଆରମ୍ଭ କରିବ।
ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଗୁରୁବାର ଦଳୀୟ ଶିବିରରେ ଯୋଗଦେବା ସହ ସଙ୍ଗରୋଧ ସପ୍ତାହ ଆରମ୍ଭ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାରଠାରୁ ମୁମ୍ବାଇର ସିସିଆଇ ପଡିଆରେ ପ୍ରଥମ ଅଭ୍ୟାସ ଆରମ୍ଭ କରିବା ଅବସରରେ ଦ୍ରୁତ ବୋଲର ଉମେଶ ଯାଦବ କହିଛନ୍ତି ଏହା ଉପଭୋଗ୍ୟ ରହିଥିଲା। ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି ସେ ମଧ୍ୟ କହିଥିଲେ। ଆହତ ଶ୍ରେୟସ ଆୟରଙ୍କ ବଦଳରେ ଋଷଭ ପନ୍ତ ଏଥର ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ପନ୍ତ୍ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବାକୁ ହକ୍ଦାର, କିନ୍ତୁ ଶ୍ରେୟସଙ୍କ ଅନୁପସ୍ଥିତି ଦୁର୍ଭାଗ୍ୟଜନକ ବୋଲି ପ୍ରଶିକ୍ଷକ ରିକି ପଣ୍ଟିଂ ପ୍ରକାଶ କରିଛନ୍ତି।
ନ ଖେଳି ଶ୍ରେୟସ ପାଇବେ ୭ କୋଟି
ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିବାରୁ ଶ୍ରେୟସ ଆୟର ଆଇପିଏଲ୍-୨୦୨୧ରୁ ଏକ ପ୍ରକାର ବାଦ୍ ପଡ଼ିଛନ୍ତି। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବା ସହ ଦଳକୁ ପ୍ଲେ ଅଫ୍ ନେଇଥିବା ଶ୍ରେୟସ ଆଦୌ ମ୍ୟାଚ୍ ଖେଳି ନପାରିଲେ ବି ଚୁକ୍ତି ମୁତାବକ ତାଙ୍କ ସମ୍ପୂର୍ଣ୍ଣ ଦରମା ୭ କୋଟି ପାଇବେ। ଶ୍ରେୟସଙ୍କ ଆଙ୍ଗୁଠିରେ ଏପ୍ରିଲ୍ ୮ ତାରିଖରେ ଅସ୍ତ୍ରୋପଚାର ହେବ। ଏଥିପାଇଁ ସେ ଚଳିତ ଋତୁରେ ଦିଲ୍ଲୀ ପାଇଁ ଖେଳିବା ସମ୍ଭାବନା ନାହିଁ। କିନ୍ତୁ କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳିମାନେ ବୀମାଭୁକ୍ତ ଥିବାରୁ ଶ୍ରେୟସଙ୍କ ଦରମା ପ୍ରଭାବିତ ହେବନାହିଁ। ୨୦୧୧ ମସିହାରୁ ଏହା ଲାଗୁ ରହିଛି। ଅତୀତରେ ପ୍ରମୁଖ କ୍ରିକେଟରଙ୍କ ମଧ୍ୟରୁ ଈଶାନ୍ତ ଶର୍ମା, ଜାହିର୍ ଖାନ୍, ଆଶିଷ ନେହେରା ମଧ୍ୟ ଏଭଳି ପରିସ୍ଥିତିରେ ପଡ଼ି ସମ୍ପୂର୍ଣ୍ଣ ଦରମା ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fh5fs6h456sf4h65fs4h56fs4h65h4fhsfhfhhf.jpg)