ବିସିସିଆଇ ବୈଠକ ଆଜି, ସେପ୍ଟେମ୍ବରରେ ୟୁଏଇରେ ହେବ ଆଇପିଏଲ୍‌!

ଆଇପିଏଲ୍‌ ସହ ୧୧ ସୂତ୍ରୀ ଏଜେଣ୍ଡା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ଚଳିତ ବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ଭାଗ୍ୟ ନିର୍ଧାରଣ ପାଇଁ ଆସନ୍ତାକାଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଶୀର୍ଷ ପରିଷଦ ବୈଠକ ଆୟୋଜିତ ହେବ। ବୈଠକରେ ଆଲୋଚିତ ହେବାକୁ ଥିବା ୧୧ ସୂତ୍ରୀ ଏଜେଣ୍ଡା ମଧ୍ୟରେ ଆଇପିଏଲ୍‌ ଆୟୋଜନ ପ୍ରମୁଖ ରହିବ। ଆଇପିଏଲ୍‌ ପାଇଁ ବାଟ ବାହାରକରିବା ବ୍ୟତୀତ ବୈଠକରେ ଘରୋଇ କ୍ରିକେଟ୍‌ ସୂଚୀ, ଏଫ୍‌ଟିପି (ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌) ବିଶେଷକରି ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ଶୃଙ୍ଖଳାର ପୁନଃସୂଚୀ, ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ପାଇଁ ଟିକସ ରିହାତି ସାର୍ଟିଫିକେଟ ବାଧ୍ୟତାମୂଳକ, ବେଙ୍ଗାଲୁରୁରେ ଏନ୍‌ସିଏ ସୁବିଧା, ବିସିସିଆଇ ଏବଂ ଆଇପିଏଲ୍‌ ଡିଜିଟାଲ ପ୍ଲାଟଫର୍ମ ପାଇଁ ଚୁକ୍ତି ମିଆଦ ବୃଦ୍ଧି, ବିହାର କ୍ରିକେଟ୍‌ ସଂଘର ପ୍ରାଶାସନିକ ବିଶୃଙ୍ଖଳା, ବିସିସିଆଇରେ ନୂଆ ‌ଷ୍ଟାଫ୍‌ଙ୍କ ନିଯୁକ୍ତି, ରାହୁଲ ଜୋହରିଙ୍କ ଇସ୍ତଫା ପରେ ନୂଆ ସିଓଇ ନିଯୁକ୍ତି ପ୍ରକ୍ରିୟା, ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ଅନୁଦାନ ଏବଂ ପୋଷାକ ସହଭାଗିତା ପାଇଁ ଟେଣ୍ଡର ଉପରେ ଆଲୋଚନା ହେବ।

ତୃତୀୟ ପଏଣ୍ଟ୍‌ ପାଇଁ ଆଲୋଚନା ବେଳେ ପୁରୁଷ ଦଳର ତିନିଟି ଶୃଙ୍ଖଳା (ବିଦେଶରେ ଶ୍ରୀଲଙ୍କା ଓ ଜିମ୍ବାୱେ ବିପକ୍ଷ ସୀମିତ ଓଭର, ଯାହାକି ବାତିଲ ହୋଇସାରିଛି ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା) ଉପରେ ଧ୍ୟାନ ଦିଆଯିବ। ସେହିପରି ସେପ୍ଟେମ୍ବର କିମ୍ବା ନଭେମ୍ବର ପ୍ରାରମ୍ଭରୁ ଆଇପିଏଲ୍‌ ଆୟୋଜନ ନେଇ ବାଟ ବାହାର କରାଯିବ। ଆଇପିଏଲ୍‌ ପାଇଁ ପ୍ରଥମ ଅଗ୍ରାଧିକାର ଭାରତକୁ ଦିଆଯିବ। ବିକଳ୍ପ ଭାବେ ୟୁଏଇ ଓ ଶ୍ରୀଲଙ୍କାକୁ ରଖାଯାଇଛି। ତଥାପି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଭାଗ୍ୟ ନିର୍ଧାରଣ ପରେ ସବୁକିଛି ଖୋଲା ହୋଇଯାଇପାରିବ ବୋଲି ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଆସନ୍ତା ସୋମବାର ବିସିସିଆଇ ବୋର୍ଡ ବୈଠକ ପୂର୍ବରୁ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କଠୁ ଟିକସ ରିହାତି ସାର୍ଟିଫିକେଟ ଶୁକ୍ରବାର ଆଲୋଚନାର ଅନ୍ୟତମ ପ୍ରସଙ୍ଗ ରହିବ। ସେହିପରି ‘ନାଇକ୍‌’ ସହ ଚୁକ୍ତି ମିଆଦ ଶେଷ ହେବା ସମୟ ଆସିଯାଇଥିବାରୁ ପୋଷାକ ସହଭାଗିତା ପାଇଁ ସାନି ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିବ।

ସେପ୍ଟେମ୍ବରରେ ୟୁଏଇରେ ହେବ ଆଇପିଏଲ୍‌!
ନୂଆଦିଲ୍ଲୀ: ଆସନ୍ତାକାଲି ବିସିସିଆଇ ଶୀର୍ଷ ପରିଷଦ ବୈଠକ ବସି ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଭାଗ୍ୟ ନିର୍ଧାରଣ କରିବାର ଆଶା ବାନ୍ଧିଥିଲା ବେଳେ ଆଗାମୀ ସେପ୍ଟେମ୍ବରରେ ୟୁଏଇ (ୟୁନାଇଟେଡ୍‌ ଆରମ ଏମିରେଟ୍‌ସ)ରେ ଏହି ଲିଗ୍‌ ଖେଳାଯାଇପାରେ ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି। କରୋନା ମହାମାରୀ ଯୋଗୁଁ ଯଦି ଆଇପିଏଲ୍‌ ଆଦୌ ହୋଇନପାରେ ତାହାଲେ ବିସିସିଆଇ ୪୦୦୦ କୋଟି କ୍ଷତି ସହିବ ବୋଲି ଏହାର ସଭାପତି ସୌରଭ ଗାଙ୍ଗୁଲି ପୂର୍ବରୁ କହିସାରିଛନ୍ତି। ପୁଣି ଆଇପିଏଲ୍‌କୁ ଭାରତରେ ଆୟୋଜନ କରିବାକୁ ଅଗ୍ରାଧିକାର ଦିଆଯିବ ବୋଲି ସେ ମତ ରଖିଛନ୍ତି। ଏପରିକି ଫ୍ରାଞ୍ଚାଇଜ୍‌ ମାଲିକମାନେ ମଧ୍ୟ ଆଇପିଏଲ୍‌ ବନ୍ଦ ହେବା ପରିବର୍ତେ ବିଦେଶକୁ ଗଲେ ସେମାନଙ୍କର ଅମଙ୍ଗ ହେବାରେ ନାହିଁ ବୋଲି କହିଛନ୍ତି। ତଥାପି ବିସିସିଆଇ ଏହାକୁ ଆୟୋଜନ କରିବା ପାଇଁ ସେପ୍ଟେମ୍ବର-ନଭେମ୍ବର ଉପରେ ନଜର ରଖିଛି। ତେବେ କରୋନା ମହାମାରୀ ସତ୍ତ୍ବେ ୟୁଏଇରେ ଆଇପିଏଲ୍‌ ଫାଙ୍କା ଷ୍ଟାଡିୟମ୍‌ (ବିନା ଦର୍ଶକ)ରେ ଖେଳାଯାଇପାରିବ। ସେଥିରେ କିଛି ସମସ୍ୟା ରହିବନି। କାରଣ ଆଇପିଏଲ୍‌ ଅଧିକତଃ ଟିଭି ଉପରେ ଭରସା କରିବ। ଷ୍ଟାଡିୟମ୍‌କୁ ଦର୍ଶକ ନଆସିଲେ ବି ଘରେ ବସି ଉପଭୋଗ କରିପାରିବେ ବୋଲି ଜଣେ ଫ୍ରାଞ୍ଚାଇଜ୍‌ ମାଲିକ କହିଛନ୍ତି। ତେଣୁ ବିଦେଶରେ ବିଶେଷକରି ୟୁଏଇକୁ ଅଧିକ ପସନ୍ଦ କରିବେ ବୋଲି ସଂପୃକ୍ତ ମାଲିକ କହିଛନ୍ତି। ପୁଣି ୟୁଏଇରେ ଷ୍ଟାଡିୟମ୍‌ଗୁଡ଼ିକ (ଦୁବାଇ, ସାର୍‌ଜା ଓ ଆବୁଧାବି) ପରସ୍ପରଠୁ କମ୍‌ ଦୂରତାରେ ରହିଛି। ଖେଳାଳି, ଅଧିକାରୀ ଏବଂ ପ୍ରସାରଣ ସଂସ୍ଥାର ଅଧିକାରୀମାନଙ୍କ ରହଣୀ ପାଇଁ ସେଗୁଡ଼ିକରେ ଯଥେ‌ଷ୍ଟ ଭିତ୍ତିମୂମି ସୁବିଧା ରହିଛି। ତେବେ ପ୍ରତିଯୋଗିତା ଆରମ୍ଭର ମାସକ ପୂର୍ବରୁ ଆଇପିଏଲ୍‌ ଦଳଗୁଡ଼ିକ ୟୁଏଇରେ ପହଞ୍ଚିବାର ଆଶା କରାଯାଇଛି। ଆମେ ପ୍ରସ୍ତୁତି ପାଇଁ ଗୋଟିଏ ମାସ ଦରକାର କରିବୁ କିନ୍ତୁ ବିଦେଶୀ ଖେଳାଳିମାନେ ଖେଳିବାକୁ ପ୍ରସ୍ତୁତ ହେବା ଦରକାର ବୋଲି ଏକ ଦଳର ମାଲିକ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୟୁଏଇରେ ଆଇପିଏଲ୍‌ ଆୟୋଜନ କରିବା ବିସିସିଆଇ ପାଇଁ ନୂଆ ନୁହେଁ। ୨୦୧୪ରେ ଭାରତରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଇପିଏଲ୍‌ ୟୁଏଇରେ ହୋଇଥିଲା। ଏହା ପୂର୍ବରୁ ୨୦୦୯ରେ ମଧ୍ୟ ସମାନ ସାଧାରଣ ନିର୍ବାଚନ ପାଇଁ ପୂରା ଆଇପିଏଲ୍‌ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର