ଭୁବନେଶ୍ବର: ବିଶ୍ବର ଲୋକପ୍ରିୟ ଖେଳ ଫୁଟ୍ବଲ୍ ଓଡ଼ିଶାରେ ସେତେଟା ଲୋକପ୍ରିୟ ନୁହେଁ। ବିଗତ କିଛି ବର୍ଷ ହେବ ଓଡ଼ିଶା ଭିତ୍ତିକ ଆଇଏସ୍ଏଲ୍ ଦଳ ଓଡ଼ିଶା ଏଫ୍ସିର ଆଗମନ ଏହି ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଓଡ଼ିଶା ଏଫ୍ସିର ପ୍ରଦର୍ଶନ ରାଜ୍ୟରେ ଏହି ଖେଳର ପ୍ରଚାର ଓ ପ୍ରସାର ଦିଗରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଛି। ଆଇଏସ୍ଏଲ୍ରେ ନିଜ ଚତୁର୍ଥ ଋତୁରେ ଖେଳୁଥିବା ଓଡ଼ିଶା ଏଫ୍ସି କିନ୍ତୁ ଏହାର ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ। ଦଳ ପାଇଁ ମଧ୍ୟ ଏହା ଏତେ ପାଖ ଏତେ ଦୂର ହୋଇ ଲୁଚକାଳି ଖେଳିଛି। ବିଗତ ୩ ବର୍ଷ ଏହି ଦଳ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଚଳିତ ଋତୁରେ ପ୍ରଥମାର୍ଦ୍ଧରେ ଭଲ ଖେଳିଥିବା ଏହି ଦଳ ଏବେ ପୁଣି ଥରେ ଟାଇଟଲ୍ ହାସଲ କରିବାକୁ ନିଜ ଯୋଜନା ଓ ସଙ୍କଳ୍ପରେ ଅଗ୍ରସର ହୋଇଛି। ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍ ପ୍ରବଂଧକ ରାଜ ଅଥୱାଲ ଏବେ ଏହି କ୍ଲବ୍ର ସଭାପତି ଦାୟିତ୍ବରେ। ବ୍ରିଟେନ୍ରେ ଏକାଧିକ ଫୁଟ୍ବଲ୍ କ୍ଲବ୍ ସହ ଜଡ଼ିତ ଥିବାରୁ ପ୍ରଚୁର ଅଭିଜ୍ଞତା ରଖିଛନ୍ତି। ଓଡ଼ିଶା ଏଫ୍ସିର ଆଇଏସ୍ଏଲ୍ ଆଶା, ସାମଗ୍ରିକ ବିକାଶ, ଭବିଷ୍ୟତ ଯୋଜନା ସମ୍ପର୍କରେ ‘ସମ୍ବାଦ’କୁ ବିଶେଷ ସାକ୍ଷାତକାରରେ ବଖାଣିଛନ୍ତି ରାଜ।
ସମ୍ବାଦ: ଚଳିତ ୨୦୨୨-୨୩ ଆଇଏସ୍ଏଲ୍ ଋତୁରେ ଓଡ଼ିଶା ଏଫ୍ସି ଭଲ ଖେଳୁଛି। ବିଶେଷ କରି କଳିଙ୍ଗ ଷ୍ଟାଡିୟମ୍ ଘରୋଇ ପିଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ବିତୀୟାର୍ଦ୍ଧ ପାଇଁ କିଭଳି ଆଶା ରଖିଛନ୍ତି ?
ରାଜ ଅଥୱାଲ୍: ଆମେ ଆଶା ରଖିଛୁ ଏଭଳି ଖେଳ ଜାରି ରହିବ। ଆମ ଦଳ ମୂଳରୁ ମଧ୍ୟ ଆଶାବାଦୀ ରହିଛି। ଖେଳାଳିମାନେ ମାନସିକ ଓ ଶାରୀରିକ ଭାବେ ଦୃଢ଼ ଅଛନ୍ତି। ଖେଳାଳିଙ୍କ ମନ ଭିତରେ କେବଳ ବିଜୟ ହିଁ ରହିଛି। ପ୍ରଶିକ୍ଷକ ଯୋସେଫ୍ ଗମ୍ବାୟୁ ମଧ୍ୟ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି। ଆଇଏସ୍ଏଲ୍ ଟାଇଟଲ୍ ଜିତିବା ଆମର ଏକମାତ୍ର ଅଭିଳାଷ। ଶୀର୍ଷ ୪ରେ ପହଞ୍ଚିବା ପ୍ରଥମ ଲକ୍ଷ୍ୟ ହେବ। ଖେଳାଳି ଓ ପ୍ରଶିକ୍ଷକ ସମାନ ବିଚାରଧାରାରେ ରହିଛନ୍ତି। କ୍ଲବ୍ ପାଇଁ ସବୁ ଫଳାଫଳ ହାସଲ ସାଧ୍ୟ ବିକଳ୍ପ ରହିଛି।
ସମ୍ବାଦ: ଏଆଇଏଫ୍ଏଫ୍ ୟୁଥ୍ ଲିଗ୍ (୧୭ ବର୍ଷରୁ କମ୍)ରେ ଓଡ଼ିଶା ଏଫ୍ସି ମଧ୍ୟ ଖେଳିଛି। ରାଜ୍ୟରେ ଫୁଟ୍ବଲ୍ର ବିକାଶ ପାଇଁ ଅନ୍ୟ କ’ଣ ସବୁ ଯୋଜନା ରହିଛି ?
ରାଜ ଅଥୱାଲ୍: ଓଡ଼ିଶା ଏଫସି ଯୁବ ଦଳ ହିଁ ଆମ ଭବିଷ୍ୟତ ଭଳି। ଏହା ସୁଯୋଗ ଆଣିଦେବ। ଓଏଫ୍ସିକୁ ସନ୍ତୁଳିତ ଦଳ ପ୍ରଦାନରେ ସହଯୋଗ କରିପାରିବ। ବାସ୍ତବ ହେଉ କି ଦାର୍ଶନିକ ଦୃଷ୍ଟି କୋଣରୁ ଯୁବ ଖେଳାଳିମାନଙ୍କୁ ଶିକ୍ଷଣୀୟ ପଦ୍ଧତି ଭିତରେ ଆଗକୁ ବଢ଼ିବାକୁ ହେବ। କ୍ଲବ୍ ଫୁଟ୍ବଲ୍ ଏଭଳି ଭାବେ ହିଁ ଆଗକୁ ବଢ଼ିଥାଏ। ଆମ ନିକଟରେ ମଧ୍ୟ ଯୁବ ଏକାଡେମି ରହିଛି। ୧୩, ୧୫ ବର୍ଷରୁ କମ୍ ଆବାସିକ ବ୍ୟବସ୍ଥା ଅଛି। ୧୭ ବର୍ଷରୁ କମ୍ ଦଳ ପ୍ରସ୍ତୁତ ହୋଇ ସାରିଛନ୍ତି। ଗୋଲରକ୍ଷଣରେ ସଫଳତା ପାଇଁ ୧୭/୧୮ ବର୍ଷ ବେଳକୁ ତାଲିମପ୍ରାପ୍ତ ହେବା ଆବଶ୍ୟକ। ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କ ସହିତ ପ୍ରଶିକ୍ଷକଙ୍କୁ ଯୋଗ୍ୟ କରିବାକୁ ଆମେ ରୋଡମ୍ୟାପ୍ ପ୍ରସ୍ତୁତ କରିଛୁ। ଓଏଫ୍ସି ମହିଳା ଦଳ ମଧ୍ୟ ଓଡ଼ିଶା ମହିଳା ଲିଗ୍ (ଓଡବ୍ଲୁଏଲ୍)ରେ ଭଲ କରୁଛି। ମହିଳା ଖେଳାଳିମାନେ ୧୦୦ ପ୍ରତିଶତ ପେସାଦାର ଏବଂ ଗ୍ରାମୀଣ ଖେଳାଳି ବେଶ ପ୍ରତିଭାବାନ ଅଛନ୍ତି। ଭବିଷ୍ୟତରେ ୧୬ ଓ ୨୩ ବର୍ଷରୁ କମ୍ ବର୍ଗର ମହିଳା ଖେଳାଳିଙ୍କ ଉପରେ ନଜର ରହିବ।
ସମ୍ବାଦ: ଅବହେଳିତ ବର୍ଗର ଫୁଟ୍ବଲ୍ ଖେଳାଳିଙ୍କ ପାଇଁ କିଛି ଯୋଜନା ଅଛି କି?
ରାଜ ଅଥୱାଲ୍: ବିଭିନ୍ନ ବର୍ଗରୁ ଖେଳାଳିଙ୍କୁ ପାଇବା ଆମ ପାଇଁ ବଡ଼ କଥା। ଅବହେଳିତ, ଉପେକ୍ଷିତ ଗୋଷ୍ଠୀ ତଥା ବସ୍ତି ପିଲାଙ୍କୁ ଉପଯୁକ୍ତ ପ୍ରତିଯୋଗିତା ସ୍ତରକୁ ଆଣିବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛୁ। ସେମାନଙ୍କୁ ଅଭିଳାଷ ରଖିବାକୁ ଉତ୍ସାହିତ କରିବାକୁ ମଧ୍ୟ ଆମେ ଖସଡ଼ା ପ୍ରସ୍ତୁତ କରିଛୁ।
ସମ୍ବାଦ: ଓଡ଼ିଶାରେ ଫୁଟ୍ବଲ୍ ସଂସ୍କୃତିକୁ କିଭଳି ଦେଖୁଛନ୍ତି ଓ ସରକାର କିଭଳି ସମର୍ଥନ ଦେଉଛନ୍ତି ?
ରାଜ ଅଥୱାଲ୍: କେବଳ ଓଡ଼ିଶା ନୁହେଁ ଭାରତରେ ମଧ୍ୟ ଫୁଟ୍ବଲ୍ ସଂସ୍କୃତି ବ୍ୟାପକ ଭାବେ ନାହିଁ। ଠାଏ ଠାଏ ଏହା ଲୋକପ୍ରିୟ ରହିଛି। କେରଳ କୁହନ୍ତୁ କି କଟକ। ଅଣଫୁଟ୍ବଲ୍ କ୍ଲବ୍ ଏହି ଖେଳର ପରିଚାଳନାରେ ସମ୍ପୃକ୍ତ ଅଛନ୍ତି। ସ୍କୁଲ୍ ଓ ଜୁନିୟର ସ୍ତରରୁ ଏହାର ପ୍ରଚାର ଓ ପ୍ରସାର ଆବଶ୍ୟକ। ଫୁଟ୍ବଲ୍ ପାଇଁ କିନ୍ତୁ ଭଲ ପ୍ରଶଂସକ ରହିଛନ୍ତି ଓଡ଼ିଶାରେ। ରାଜ୍ୟରେ ଥିବା ଷ୍ଟାଡିୟମ୍, ପିଚ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଶରେ ଅନ୍ୟତମ ଶ୍ରେଷ୍ଠ। ଓଡ଼ିଶା ସରକାରଙ୍କ ୧୦୦ ପ୍ରତିଶତ ପ୍ରୟାସ ଗର୍ବର କଥା। କେବଳ ଫୁଟ୍ବଲ୍ ନୁହେଁ ସରକାର ମଧ୍ୟ ଅନ୍ୟ ଖେଳକୁ ପ୍ରୋତ୍ସାହିତ କରୁଛନ୍ତି।
ସମ୍ବାଦ: ଓଏଫ୍ସିର ରିଜର୍ଭ ଟିମ୍ ଯୋଜନା ଅଛି କି ?
ରାଜ ଅଥୱାଲ୍: ନିଶ୍ଚିତ। ଏ କ୍ଷେତ୍ରରେ ଆମେ ବିକଶିତ ହେଉଛୁ। ଫଳରେ ଖେଳାଳି ଆଘାତ ସମସ୍ୟାରେ ପଡ଼ିଲେ କ୍ଲବ୍ ପାଇଁ ବଦଳ ଖେଳାଳି ବିକଳ୍ପ ଉନ୍ମୁକ୍ତ ରହିବ। ଯୁବ ଦଳରୁ ମଧ୍ୟ ପ୍ରତିଭାବାନ ଖେଳାଳି ମୁଖ୍ୟ ଦଳକୁ ଆସିପାରିବେ।
ସମ୍ବାଦ: ଓଏଫ୍ସିରେ ଏ ପର୍ଯ୍ୟନ୍ତ ଜଣେ ମାତ୍ର ଓଡ଼ିଆ ଶୁଭମ ଷଡ଼ଙ୍ଗୀଙ୍କୁ ନିଆଯାଇଛି। ଅଧିକ ଖେଳାଳିଙ୍କୁ ସୁଯୋଗ ନମିଳିବାର କାରଣ କ’ଣ। ଏପରିକି ଓଡ଼ିଶା ପ୍ରଶିକ୍ଷକ କି ସପୋର୍ଟ ଷ୍ଟାଫଙ୍କୁ ନିଆଯାଉନି କାହିଁକି ?
ରାଜ ଅଥୱାଲ୍: ଶୁଭମ ଷଡ଼ଙ୍ଗୀ ଅଛନ୍ତି। ଅଧିକ ଖେଳାଳିଙ୍କୁ ନେବାକୁ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରିବାକୁ ଉଦ୍ୟମ କରୁଛୁ। ପରବର୍ତୀ ୨/୩ ବର୍ଷ ଭିତରେ ନିଶ୍ଚିତ ଏହି ଅଭାବ ପୂରଣ ହୋଇପାରିବ। କାରଣ ଦଳର ସନ୍ତୁଳନ ରକ୍ଷା କରିବା ସହ ଉଚ୍ଚସ୍ତରର ଫୁଟ୍ବଲ୍ ଖେଳିବାକୁ ଦକ୍ଷତାର ଆବଶ୍ୟକତା ରହିଛି। ତଥାପି ଏହାକୁ ଆମେ କ୍ଷମାର କାରଣ କହିପାରିବୁ ନାହିଁ।
ସମ୍ବାଦ: ଭାରତର ଫୁଟ୍ବଲ୍ ଦୃଶ୍ୟପଟ୍ଟକୁ କିଭଳି ଦେଖୁଛନ୍ତି ?
ରାଜ ଅଥୱାଲ୍: ଆମ ନିକଟରେ ପ୍ରତିଭାର ଅଭାବ ନାହିଁ। ଶୀର୍ଷସ୍ତରର ପ୍ରଶିକ୍ଷଣ ଆବଶ୍ୟକତା ରହିଛି। ୧୩, ୧୫, ୧୭ ବର୍ଷରୁ କମ୍ ଖେଳାଳିଙ୍କୁ ତାଲିମ ଦେଇ ଗଢ଼ି ହେବ। ଏଆଇଏଫ୍ଏଫ୍ ଏବେ ନୂଆ ଶୁଭାରମ୍ଭ କରିବାକୁ ଯାଉଛି। ଭିତ୍ତିଭୂମିର ବିକାଶ ସହିତ ପ୍ରତି କ୍ଲବ୍ର ଯୁବ ବର୍ଗର ସେଟ୍ ଅପ୍ ଆବଶ୍ୟକ। ଯୁବ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଗଢ଼ି ତୋଳିବାକୁ ଯୋଜନା ହେଉଛି। ଫୁଟ୍ବଲ୍ ଏକ ପ୍ରକ୍ରିୟା, ଏକ ଯାତ୍ରା।
ସମ୍ବାଦ: ଓଡ଼ିଶା ଏଫ୍ସିର ପ୍ରଶଂସକ କ୍ଲବ୍ ଜଗରନଟ୍ସ ସମ୍ପର୍କରେ କିଛି କହିବେ?
ରାଜ ଅଥୱାଲ୍: ଜଗରନଟ୍ସ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସକଙ୍କୁ ବି ଆକର୍ଷିତ କରିବାରେ ସେତୁ ପାଲଟିଥାଏ। କୌଣସି କ୍ଲବ୍ ନିକଟରେ ସ୍ବତନ୍ତ୍ର ଫ୍ୟାନ୍ କ୍ଲବ ରହିବା ନିଶ୍ଚିତ ଚମତ୍କାର କଥା। ଏମାନେ କ୍ଲବ୍ ପାଇଁ ‘ଦ୍ବାଦଶ ଖେଳାଳି’ର ଭୂମିକା ତୁଲାଇଥାନ୍ତି।
ସମ୍ବାଦ: ଶେଷରେ ଆପଣଙ୍କ ରଚିତ ପୁସ୍ତକ ‘ଏ ବ୍ରିଟିସ୍ ରାଜ: ମାଇଁ ଲାଇଫ୍ ଇନ୍ ଫୁଟ୍ବଲ୍ ବିହାଇଣ୍ଡ୍ କ୍ଲୋଜ୍ଡ ଡୁଅର୍ସ’ ସମ୍ପର୍କରେ କିଛି କହିବେ।
ରାଜ ଅଥୱାଲ୍: ଭାରତୀୟ ତଥା ଦକ୍ଷିଣ ଏସୀୟ ବ୍ୟକ୍ତିମାନେ କିଭଳି ବ୍ରିଟେନ୍ରେ ଆଗରୁ ସଂଘର୍ଷ କରୁଥିଲେ ଏଥିରେ ବର୍ଣ୍ଣିତ ହୋଇଛି। ଉତ୍କଟ ବେକାରୀ, ବର୍ଣ୍ଣବୈଷମ୍ୟର ଶିକାର ହୋଇ ଭାରତୀୟମାନେ ବ୍ରିଟେନରେ ବିତାଇଥିବା ତିକ୍ତତାପୂ୍ର୍ଣ୍ଣ ଜୀବନ ଏଥିରେ ପ୍ରତିଫଳିତ ହୋଇଛି। ବ୍ୟକ୍ତିଗତ ଭାବେ ମୁଁ ଏହାକୁ ଅଙ୍ଗେ ନିଭାଇଛି। ଫୁଟ୍ବଲ୍ କିଭଳି ସେଠାରେ ପ୍ରଭାବୀ ବ୍ୟକ୍ତି ଓ କୋଟି କୋଟି ପାଉଣ୍ଡ୍ ପ୍ରାୟୋଜକଙ୍କ ଦ୍ବାରା ପରିଚାଳିତ ମଧ୍ୟ ମୁଁ ଏଥିରେ ଉଲ୍ଲେଖ କରିଛି। ଏହି ପୁସ୍ତକ ଏକ ସାଧାରଣ ଫୁଟ୍ବଲ୍ ଆତ୍ମଜୀବନୀ ନୁହେଁ। ନଛୋଡ଼ବନ୍ଧା ହେବା, ସଚ୍ଚୋଟପଣିଆ, ନୀତିନିଷ୍ଠ ରହି ବିଶ୍ବାସ ରଖିବା ଏହି ପୁସ୍ତକରୁ ସାମାଜିକ ବାର୍ତା ଦେଇଛି।