ରାଉରକେଲା/ ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରକ୍ରିୟାକୁ ରାଜ୍ୟର ଅନ୍ତର୍ଜାତୀୟ ହକି ଖେଳାଳିମାନେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରିନାହାନ୍ତି। ଛାତ୍ରାବାସ ଗୁଡିକୁ ନିର୍ଦ୍ଧିଷ୍ଟ କ୍ରୀଡ଼ା କୈନ୍ଦ୍ରିକ କରାଯିବା ପ୍ରସ୍ତାବକୁ ଅଧିକାଂଶ ସମର୍ଥନ କରୁଥିବା ବେଳେ ୧୮ ବର୍ଷରୁ ଊର୍ଧ୍ବ ପିଲାମାନଙ୍କୁ ବାହାର କରିବା ଏବଂ ବରିଷ୍ଠ ବର୍ଗର ଛାତ୍ରାବାସକୁ ତେତେକ ସ୍ଥାନରୁ ହଟାଇବା ଲାଗି ଥିବା ପ୍ରସ୍ତାବକୁ ସେମାନେ ତୀବ୍ର ବିରୋଧ କରିଛନ୍ତି। ପ୍ରଥମ ଥର ପାଇଁ ହକି ଖେଳାଳିଙ୍କ ପ୍ରତିନିଧିତ୍ବ କରି ମିଳିତ ଭାବେ ମୁହଁ ଖୋଲିଛନ୍ତି ଅନ୍ତର୍ଜାତୀୟ ଖେଳାଳି ଅମିତ ରୋହିଦାସ, ଦୀପସାନ ତିର୍କି ଏବଂ କଳିଙ୍ଗ ଲାନ୍ସର୍ସର ଭିକ୍ଟର ଷ୍ଟାନଲି ମିଞ୍ଜ୍। ମଙ୍ଗଳବାର ଏକ ଟେଲିକନଫରେନସିଂରେ ହୋଇଥିବା ବାର୍ତାଳାପ ବେଳେ ଏହି ୩ ଖେଳାଳି ‘ସମ୍ବାଦ’ ନିକଟରେ ନିଜ ନିଜ ଆପତ୍ତି ଉଠାଇଥିଲେ। ସରକାର ହକି ପାଇଁ ବହୁ କାମ କରୁଛନ୍ତି ଯାହା ପ୍ରଶଂସନୀୟ; କିନ୍ତୁ ବିଗତ ୨ ମାସ ହେବ ଖବରକାଗଜଗୁଡିକରେ ପ୍ରକାଶିତ ରିପୋର୍ଟରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ସମ୍ପର୍କିତ କିଛି ତଥ୍ୟ ଆମକୁ ଚିନ୍ତିତ କରିଛି। ୧୮ ବର୍ଷରୁ ଊର୍ଧ୍ବ ବୟସର ଖେଳାଳିମାନଙ୍କୁ ସରକାର ଛାତ୍ରାବାସରୁ ବିଦା କରିଦେବାର ହୀନ ଚକ୍ରାନ୍ତ କରୁଛନ୍ତି। ଫଳରେ ପ୍ରତି ବର୍ଷ ଶହ ଶହ ହକି ଖେଳାଳିଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯିବ। ବାହାରିବାକୁ ଥିବା ଖେଳାଳିମାନେ ନା ଖେଳିପାରିବେ କି ପଢ଼ିପାରିବେ ସେ ନେଇ ଦୋଛକିର ଦ୍ବନ୍ଦ୍ବରେ ପଡ଼ିଯିବେ। ବିଶେଷ କରି ହକି ଖେଳାଳିମାନେ ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବାରୁ ଏମାନଙ୍କ ଭବିଷ୍ୟତ ନେଇ ନାନା ସଂଶୟ ସୃଷ୍ଟି ହେବ। ଏଥିରେ ପରିବର୍ତନ କରାନଗଲେ ସେମାନଙ୍କ ଖେଳ ଓ ପାଠ ଉଭୟ ଖୁବ୍ ପ୍ରଭାବିତ ହେବ ବୋଲି ପ୍ରକାଶ କରିଥିଲେ ଅମିତ ରୋହିଦାସ। ସରକାର ଛାତ୍ରାବାସରୁ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍ପିସି) କିମ୍ବା ଖେଲୋ ଇଣ୍ଡିଆ ଯୋଜନାରେ ଉଚ୍ଚସ୍ତରୀୟ ପ୍ରଦର୍ଶନ ପାଇଁ ସୁଯୋଗ ଦେବାକୁ କହୁଥିଲେ ମଧ୍ୟ ଏହି ସଂଖ୍ୟା ନିଶ୍ଚିତ ଭାବେ ୧୦/୧୫ ଜଣରେ ସୀମିତ ରହିବ। କାରଣ ଏଚପିସି ଓ ଖେଲୋ ଇଣ୍ଡିଆ ଯୋଜନା ସର୍ବଭାରତୀୟ ସ୍ତରରେ ପିଲାଙ୍କୁ ନେଇ ଚାଲିବ। ଫଳରେ ପ୍ରତିବର୍ଷ ୫୦/୬୦ ପିଲାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ଷ୍ଟାନଲି ମିଞ୍ଜ୍ ଆଶଙ୍କା ପ୍ରକଟ କରିଛନ୍ତି।
ରାଜ୍ୟ ସରକାର ସୁନ୍ଦରଗଡ଼ରେ ମହିଳା ଓ ପାନପୋଷରେ ପୁରୁଷଙ୍କ ହକି ଛାତ୍ରାବାସକୁ ପୂର୍ବଭଳି ଚାଲୁକରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବରିଷ୍ଠ ବର୍ଗର ଛାତ୍ରାବାସକୁ ଉଠାଇଦେବାକୁ କରୁଥିବା ଯୋଜନାକୁ ଏହି ଖେଳାଳିମାନେ ବିରୋଧ କରିଛନ୍ତି। ଗୋଟିଏ ପଟେ ହକିକୁ ନେଇ ସରକାର ବିଶ୍ବକପ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା କରୁଛନ୍ତି। ସୁନ୍ଦରଗଡ଼ର ପ୍ରତି ବ୍ଲକ୍ରେ ଟର୍ଫ ବିଛାଇବା ଲାଗି ଯୋଜନା କରିଛନ୍ତି। ଏହି ସମୟରେ ଅଧିକରୁ ଅଧିକ ଖେଳାଳି ବାହାରିବେ। ଠିକ୍ ସେହି ସମୟରେ ବରିଷ୍ଠ ବର୍ଗର ଛାତ୍ରାବାସ ଅନ୍ତେବାସୀଙ୍କୁ ହଟାଇବା ସହିତ ସ୍ଥାନ ସଂଖ୍ୟାକୁ ସୀମିତ କରିବା ଯୋଜନା ବଡ଼ ବିଡ଼ମ୍ବନା ବୋଲି କହିଥିଲେ ଅନ୍ତର୍ଜାତୀୟ ତାରକା ଦୀପସାନ୍ ତିର୍କି।
ପୁନମ ଟପ୍ପୋ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି
‘ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି କଦାପି ଗ୍ରହଣୀୟ ନୁହେଁ। ୧୮ ବର୍ଷରୁ ଉର୍ଦ୍ଧ୍ବ ଖେଳାଳି କୁଆଡ଼େ ଯିବେ? ସେମାନଙ୍କର ଭବିଷ୍ୟତ କ’ଣ ହେବ? ଏସବୁ ବିଷୟରେ ଚିନ୍ତା କରାଯାଇଛି କି? ସରକାରଙ୍କ ଏହି ନିଷ୍ପତ୍ତି ବହୁ ହକି ଖେଳାଳିଙ୍କୁ ନିରୁତ୍ସାହିତ କରିବ। ସବୁ ପିଲା ୧୮ ବର୍ଷ ବୟସରୁ ନିଯୁକ୍ତି ପାଇବାର ବି ସୁନିଶ୍ଚିତତା ନଥାଏ। ଯଦି ଏହି ସମୟରେ ତାଙ୍କୁ ଛାତ୍ରାବାସରୁ ବାହାର କରିଦିଆଯିବ, ତା’ହେଲେ ସେମାନଙ୍କର କ୍ରୀଡ଼ା ଜୀବନ ସହ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବ।’
ସରିତା ଲାକ୍ରା, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି
‘ବହୁତ ଦୁଃଖର କଥା। ବ୍ୟକ୍ତିଗତ ଭାବେ ବି ଏହି ନିଷ୍ପତ୍ତି ମନକୁ ଦୁଃଖ ଦେଇଛି। ଛୋଟବେଳୁ ହକି ଖେଳୁଥିବା, ହକିରେ ନାଁ କରି ନିଜ ତଥା ଅଞ୍ଚଳ ପାଇଁ ଗୌରବ ଆଣିବାକୁ ଦିନରାତି ସ୍ବପ୍ନ ଦେଖୁଥିବା ବହୁ ଖେଳାଳିଙ୍କ ସ୍ବପ୍ନ ପୂରଣ ହୋଇପାରିବନି। ଅସଂଖ୍ୟ ଖେଳାଳିଙ୍କ ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯିବ। ପୂର୍ବାପେକ୍ଷା ଏବେ ରାଜ୍ୟରୁ କମ୍ ସଂଖ୍ୟକ ଜାତୀୟ, ଅନ୍ତର୍ଜାତୀୟ ଖେଳାଳି ବାହାରୁଛନ୍ତି। ଏଭଳି ସ୍ଥିତିରେ ସାଂପ୍ରତିକ କ୍ରୀଡ଼ା ଭିତ୍ତିଭୂମି, ସୁବିଧାରେ ଆହୁରି ବିକାଶ ଆଣିବାର ଆବଶ୍ୟକତା ରହିଛି। ତେବେ ଏହାର ଓଲଟା ପଦକ୍ଷେପ ନିଆଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି କେବଳ ହକି ଖେଳ ନୁହେଁ, ବରଂ ବହୁ ହକି ଖେଳାଳିଙ୍କୁ ନକାରାତ୍ମକ ବାର୍ତ୍ତା ଦେବ।’