ନୂଆଦିଲ୍ଲୀ, ୧୪ା୮: ବିଶ୍ବବିଜେତା ତଥା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ଜାଭଲିନ ରୌପ୍ୟ ପଦକ ବିଜେତା ଆଣ୍ଡରସନ୍ ପିଟର୍ସଙ୍କୁ ରବିବାର କିଛି ଅସାମାଜିକ ବ୍ୟକ୍ତି ଅଚାନକ ଆକ୍ରମଣ କରିବା ସହ ତାଙ୍କୁ ଡଙ୍ଗାରୁ ଫୋପାଡ଼ି ଦେଇଥିଲେ। ଫଳରେ ସେ ସାମାନ୍ୟ ଆହତ ହୋଇଥିଲେ। ଗ୍ରେନେଡାର ଏହି ତାରକା ଖେଳାଳିଙ୍କ ଉପରେ ହୋଇଥିବା ଆକ୍ରମଣକୁ ସେଠାକାର ପ୍ରଧାନମନ୍ତ୍ରୀ ଏବଂ ପ୍ରଶଂସକ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଗ୍ରେନେଡା ପୁଲିସ ଏହି ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେଇ ନଥିଲେ ମଧ୍ୟ ଏହି ଅପ୍ରତ୍ୟାଶିତ ଘଟଣାରେ ୬ଜଣ ଲୋକଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ତ୍ରିନିଦାଦର ନାଗରିକ ବୋଲି ଜଣାପଡ଼ିଛି। ତେବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଭିଡିଓରେ ପିଟର୍ସଙ୍କୁ ଡଙ୍ଗାଟିର କର୍ମଚାରୀ ହିଁ ଆକ୍ରମଣ କରିବା ସହ ତାଙ୍କୁ ପାଣିକୁ ଫିଙ୍ଗି ଦେଉଥିବା କଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏହି ଘଟଣା ସଂପୃକ୍ତ ବୋଟ୍‌ରେ ପାର୍ଟି ଚାଲିଥିଲା ବେଳେ ଘଟିଥିଲା ବୋଲି ଆମେରିକାର ଏକ ଖବରକାଗଜ ପ୍ରକାଶ କରିଛି। ଆକ୍ରମଣକାରୀ କେବଳ ପିଟର୍ସ ନୁହନ୍ତି, ତାଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ସଂପୃକ୍ତ ଖବର କାଗଜ କହିଛି। ସୋମବାର ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହେବାର ଅଛି। ଜାମିନ ନାମଞ୍ଜୁର ହେଲେ ପୁଲିସ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦେବ।