କଳିଙ୍ଗରେ ଖୋଲିଲା ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ସମେତ ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ, କେରଳ, ତେଲେଙ୍ଗାନା, ନାଗାଲାଣ୍ଡ ଓ କର୍ଣ୍ଣାଟକରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର (କେଆଇଏସ୍‌ସିଇ) ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଭର୍ଚୁଆଲ୍‌ ମାଧ୍ୟ‌ମରେ ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟିତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସଂପୃକ୍ତ ରାଜ୍ୟଗୁଡ଼ିକର କ୍ରୀଡ଼ାମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାର ଭୁବନେଶ୍ବରସ୍ଥିତ ‌କଳିଙ୍ଗ ଷ୍ଟାଡିୟମରେ ଏହି କେନ୍ଦ୍ର ସ୍ଥାପିତ ହୋଇଛି। ୬୬ ଏକର ଜାଗାରେ ଗଢ଼ି ଉଠିଥିବା ଏହି ଉତ୍କର୍ଷ କେନ୍ଦ୍ରରେ ୩ଟି ଇଭେଣ୍ଟ ହକି, ଭାରୋତ୍ତୋଳନ ଓ ଦୌଡ଼କୁଦ ଉପରେ ତାଲିମ ପ୍ରଦାନ କରାଯିବ। ୨୦୨୮ ଅଲିମ୍ପିକ୍ସକୁ ନଜରରେ ରଖି ଏହି କେନ୍ଦ୍ର ଗଠନ କରାଯାଇଛି। ଏଠାରେ ବିଶ୍ବସ୍ତରୀୟ ତାଲିମ ପ୍ରଦାନ କରାଯିବ। ଏହି ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣ, ଅନ୍ତର୍ଜାତୀୟ ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

କେଉଁ ରାଜ୍ୟରେ କେଉଁ ଖେଳ
ଓଡ଼ିଶା: ହକି, ଭାରୋତ୍ତୋଳନ, ଦୌଡ଼କୁଦ। ଅରୁଣାଚଳ ପ୍ରଦେଶ: ଭାରୋତ୍ତୋଳନ, ତୀରନ୍ଦାଜି, ଜୁଡ଼ୋ। କେରଳ: ଦୌଡ଼କୁଦ, ମୁଷ୍ଟିଯୁଦ୍ଧ, ଜୁଡ଼ୋ। ମଣିପୁର: ତୀରନ୍ଦାଜି, ହକି, ମୁଷ୍ଟିଯୁଦ୍ଧ। ତେଲେଙ୍ଗାନା: କୁସ୍ତି, ଭା‌ରୋତ୍ତୋଳନ, ଅସିଚାଳନା। ନାଗାଲାଣ୍ଡ: ତୀରନ୍ଦାଜି, ମୁଷ୍ଟିଯୁଦ୍ଧ, କୁସ୍ତି। ମିଜୋରାମ: ମୁଷ୍ଟିଯୁଦ୍ଧ, ଜୁଡ଼ୋ, ଭାରୋତ୍ତୋଳନ। କର୍ଣ୍ଣାଟକ: ସେଲିଂ, ବନ୍ଧୁକଚାଳନା, ଦୌଡ଼କୁଦ।

ସମ୍ବନ୍ଧିତ ଖବର