‘କିଙ୍ଗ୍ କୋହଲି’ ପାଇଁ ଧରାପଡ଼ିଲେ ବୃଦ୍ଧାଙ୍କ ହତ୍ୟାକାରୀ

ବେଙ୍ଗାଲୁରୁ: ବିରାଟ କୋହଲିଙ୍କ ଖ୍ୟାତି ପାଇଁ ଜଣେ ୮୨ ବର୍ଷୀୟା ବୃଦ୍ଧାଙ୍କ ହତ୍ୟାକାରୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅକ୍ଟୋବର ୨୭ ତାରିଖରେ କର୍ଣ୍ଣାଟକର ମହାଲକ୍ଷ୍ମୀପୁରମ ଅଞ୍ଚଳରେ ୮୨ ବର୍ଷୀୟା ବିଧବା କମଳା ଏନ୍ ରାଓଙ୍କୁ ୩ ଜଣ ଯୋଜନା କରି ହତ୍ୟା କରିବା ସହ ତାଙ୍କ ଘରୁ ସବୁକିଛି ଲୁଟ୍ ପାଟ କରିନେଇଥିଲେ। ପାଣି ପାଇପ ମିସ୍ତ୍ରୀ ଭାବେ ପ୍ରଥମେ ସମ୍ପୃକ୍ତ ବୃଦ୍ଧାଙ୍କ ଘରକୁ ଆସିବା ପରେ ୪୦ ବର୍ଷୀୟ ଆର୍ ଅଶୋକ ଜାଣପାରିଥିଲେ କମଳା ତାଙ୍କ ସ୍ବାମୀଙ୍କୁ ଗତବର୍ଷ ଅକ୍ଟୋବରରେ ହରାଇଛନ୍ତି ଏବଂ ଏକୁଟିଆ ରହୁଛନ୍ତି। ଏହି କଥାକୁ ସେ ତାଙ୍କର ଅନ୍ୟ ଦୁଇ ସାଙ୍ଗକୁ କହିବା ସହ ଏକ ବାରରେ ଷଡ଼୍‌ଯନ୍ତ୍ର ରଚିଥିଲେ। ସିଏମ ସିଦ୍ଦାରାଜୁ (୩୪ ବର୍ଷ) ଏବଂ ସି ଅଞ୍ଚନାମୂର୍ତି (୩୩ ବର୍ଷ) ଏଥିରେ ସାମିଲ ହୋଇଥିଲେ।

ଅଶୋକ ବୃଦ୍ଧାଙ୍କ ଘରକୁ ଜଗିବା ପରେ ଅନ୍ୟ ଦୁଇ ଜଣ କମଳାଙ୍କ ହାତଗୋଡ଼କୁ ବାନ୍ଧିବା ସହ ମୁହଁରେ ପଟି ପକାଇ ଦେଇଥିଲେ। ସୁନାଗହଣା ଲୁଟିବା ପରେ ହତ୍ୟା କରି ଫେରାର ହୋଇଯାଇଥିଲେ। ପୁଲିସ ତଦନ୍ତ କରିବା ପରେ ସିସିଟିଭି ଫୁଟେଜରୁ ଜାଣିପାରିଥିଲା ହତ୍ୟା ଦିନ ସକାଳେ ଏକ ଅଟୋରିକ୍ସା କମଳାଙ୍କ ଘର ଆଗରେ ବାରମ୍ବାର ଚକ୍କର କାଟୁଥିଲା। ଏହାର ନମ୍ବର ପ୍ଲେଟ ନଥିଲା। ବାସ୍ତବରେ ଏହି ଅଟୋରିକ୍ସାଟି ଅଞ୍ଚନାମୂର୍ତିଙ୍କର ଥିଲା ଏବଂ ଏହା ପଛରେ ‘କିଙ୍ଗ କୋହଲି’ ‌ଲେଖାଥିଲା। କିନ୍ତୁ ଅନ୍ୟ ଏକ ଫୁଟେଜ୍‌ରୁ ପୁଲିସ ଜାଣିପାରିଥିଲା ସେଦିନ ସକାଳେ ସେହି ଅଟୋରିକ୍ସାରୁ ନମ୍ବର ପ୍ଲେଟକୁ ଲିଭାଯାଇଥିଲା। କିନ୍ତୁ କିଙ୍ଗ୍ କୋହଲି ଲେଖା ରହିଯାଇଥିଲା। ଏହି ଲିଙ୍କରୁ ୩ ଅଭିଯୁକ୍ତଙ୍କୁ କରିଫ କରାଯିବା ସମ୍ଭବ ହୋଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଶିବ ପ୍ରକାଶ ଦେବାରାଜୁ ପ୍ରକାଶ କରିଛନ୍ତି। ମହୀଶୂରରୁ ଏହି ୩ ହତ୍ୟାକାରୀଙ୍କୁ ଗିରଫ କରାଯିବା ପରେ ହ‌ାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର