କିସ୍‍-ଫିଫା ଫାଉଣ୍ଡେସନ୍‍ ବୁଝାମଣା: ଭାରତ ଓ ଦକ୍ଷିଣ ଏସିଆରେ ସ୍କୁଲ୍‍-ଫୁଟବଲ୍‍ର ପ୍ରସାର କରିବ କିସ୍‍

ଭୁବନେଶ୍ବର: ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ୍‍ସ୍ତରରେ ଫୁଟ୍‍ବଲ୍‍ର ବିକାଶ କରିବ କିସ୍‍। ଏଥି ନିମନ୍ତେ ବୁଧବାର ଫିଫା ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ସୁଇଜରଲାଣ୍ଡର ଜୁରିକ୍‍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍‍ ପକ୍ଷରୁ ଏହାର ସିଇଓ ୟୁରି ଜୋରେକଫ୍‍ ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥିରେ ସ୍ୱାକ୍ଷର କରିଥିଲେ। ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମରେ ଫିଫା ଫାଉଣ୍ଡେସନ୍‍ କୌଣସି ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିବାରେ ଏହା ହେଉଛି ବିଶ୍ୱରେ ପ୍ରଥମ ଓ ଅନନ୍ୟ। ସମଗ୍ର ବିଶ୍ୱରେ ଏଭଳି ବୁଝାମଣା ପ୍ରଥମ ଥର ଲାଗି ସ୍ୱାକ୍ଷରିତ ହୋଇଛି। ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ କାର୍ଯ୍ୟକ୍ରମରେ ଫୁଟ୍‍ବଲ୍‍ ପ୍ରସାର ଓ ପ୍ରଚାର ଦିଗରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆ ପାଇଁ କିସ୍‍ ଜୋନାଲ୍‍ ଏଜେନ୍‍ସୀ ଭାବେ କାର୍ଯ୍ୟ କରିବ। ଏଥିରେ ସନ୍ତୋଷ ବ୍ୟକ୍ତ କରି ଫିଫା ଫାଉଣ୍ଡେସନ୍‍ର ସିଇଓ ୟୁରି କହିଛନ୍ତି, ଏହା ଦ୍ୱାରା ଭାରତ ସମେତ ଦକ୍ଷିଣ ଏସିଆର ପ୍ରାୟ ୭୦ କୋଟି ସ୍କୁଲ୍‍ ପିଲା ଉପକୃତ ହେବେ।

ଏହି କାର୍ଯ୍ୟକ୍ରମ ଏବେ ଦକ୍ଷିଣ ଆମେରିକା, ଆଫ୍ରିକା, ପୂର୍ବ ଏସିଆ, କାରିବେନ୍‍ ଓ ଆରବ ରାଷ୍ଟ୍ରଗୁଡ଼ିକରେ ଚାଲୁ ରହିଛି। ଫୁଟ୍‍ବଲ୍‍ର ପ୍ରସାର ଦିଗରେ ଏହି ବୁଝାମଣା ନିଶ୍ଚିତ ଭାବେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ୟୁରି କହିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ କାର୍ଯ୍ୟ ହାତକୁ ନେଇଥିବାରୁ ଓଡ଼ିଶାରେ ଫୁଟ୍‍ବଲ୍‍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କିସ୍‍କୁ ନୋଡାଲ୍‍ ଏଜେନ୍‍ସୀ ଭାବେ ଚୟନ କରାଯାଇଛି ବୋଲି ୟୁରି କହିଥିଲେ। ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି, ବିଶ୍ୱରେ ଅଧିକ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟ୍‍ବଲ୍‍। ଫିଫା ସହ ସହବନ୍ଧିତ ହେବା ଫଳରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆରେ ଫୁଟ୍‍ବଲ୍‍ର ପ୍ରସାର ଓ ପ୍ରଚାର ପାଇଁ କିସ୍‍କୁ ଏକ ସୁଯୋଗ ମିଳିଲା। ଏଥିପାଇଁ ଡକ୍ଟର ସାମନ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏଭଳି ଏକ ସମ୍ମାନ ଓଡ଼ିଶା ତଥା ଭାରତ ପାଇଁ ଆଣିଥିବାରୁ ଫୁଟ୍‍ବଲ୍‍ପ୍ରେମୀମାନେ କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବଧାଇ ଜଣାଇଛନ୍ତି। ସୂଚନାଯୋଗ୍ୟ, ଫିଫା ଫାଉଣ୍ଡେସନ୍‍ ସହଯୋଗରେ ଗତବର୍ଷ ଅକ୍ଟୋବର ମାସରେ ଫିଫା ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ କିସ୍‍ ଆରମ୍ଭ କରିଥିଲା। ପରେ ଉଭୟ ଅନୁଷ୍ଠାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଏହି କାର୍ଯ୍ୟକ୍ରମ ଆହୁରି ଆଗକୁ ଯିବ।

ସମ୍ବନ୍ଧିତ ଖବର