ରୟାଲ୍‌ସକୁ ରୋକିଲା ନାଇଟ୍‌ ରାଇଡର୍ସ

ଦୁବାଇ: ଚଳିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଦ୍ବାଦଶ ମ୍ୟାଚ୍‌ ବୁଧବାର ଖେଳାଯାଇଥିଲା। ଏଥିରେ ପଏଣ୍ଟ୍‌ ତାଲିକାର ଶୀର୍ଷରେ ଥିବା ଅପରାଜେୟ ରାଜସ୍ଥାନ ରୟାଲ୍‌ସ ଏବଂ ସପ୍ତମ ସ୍ଥାନରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେଇଥିଲେ। ଉଭୟ ଦଳ ମଧ୍ୟ ଅପରିବର୍ତିତ ସହ ପଡ଼ିଆକୁ ଓହ୍ଲାଇଥିଲେ। ଏଥିରେ ରୟାଲ୍‌ସର ବିଜୟ ଧାରାକୁ ନାଇଟ୍‌ ରାଇଡର୍ସ ରୋକି ଦେଇଥିଲା। ଟମ୍‌ କରନ୍‌ ଏବଂ ଅଙ୍କିତ ରାଜପୁତ ଶେଷ ଦୁଇ ଓଭରରେ ଛକା ଓ ଚୌକା ମାରି ୩୧ ରନ୍ ଯୋଡ଼ିଥିଲେ ମଧ୍ୟ ରାଜସ୍ଥାନ ୩୭ ରନ୍‌ରେ ପରାସ୍ତ ହେଲା। କୋଲ୍‌କାତା ନାଇଟ୍‌ ରାଇଡର୍ସର ୧୭୪/୬ ଜବାବରେ ରାଜସ୍ଥାନ ରୟାଲ୍‌ସ ୧୩୭/୯ରେ ଅଟକି ଗଲା। ରୟାଲ୍‌ସ ହ୍ୟାଟ୍ରିକ୍‌ ବିଜୟରୁ ବଞ୍ଚିତ ହୋଇଥିଲା ବେଳେ କୋଲ୍‌କାତା କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିନେଲା। ଏହି ପରାଜୟ ସହ ରାଜସ୍ଥାନ ପଏଣ୍ଟ୍‌ ତାଲିକାର ଶୀର୍ଷରୁ ତୃତୀୟ ସ୍ଥାନକୁ ଖସି ଯାଇଥିଲା ବେଳେ କୋଲ୍‌କାତା ସପ୍ତମରୁ ସିଧାସଳଖ ଦ୍ବିତୀୟ ସ୍ଥାନକୁ ଉଠିଛି।

ବୁଧବାର ୧୭୫ ରନ୍‌ର ପିଛା କରିଥିବା ରାଜସ୍ଥାନ ରୟାଲ୍‌ସକୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ବୋଲରମାନେ ପାଣି ପିଆଇଦେଲେ। ପାୱାର ପ୍ଲେ’ ମଧ୍ୟରେ ୨ଟି ଏବଂ ଏହାର ଦୁଇ ଓଭର ମଧ୍ୟରେ ଆଉ ଦୁଇଟି ୱିକେଟ୍‌ ଦଖଲ କରିନେଇ ରାଜସ୍ଥାନକୁ ସଂକଟରେ ପକାଇ ଦେଇଥିଲେ। ଦ୍ବିତୀୟ ଓଭରର ଶେଷ ବଲ୍‌ରେ ଅଧିନାୟକ ସ୍ମିଥ୍‌ଙ୍କୁ ପ୍ୟାଟ୍‌ କମିନ୍ସ ଆଉଟ୍‌ କରିଦେବା ପରେ ସଂଯୋଗବଶତଃ ପଞ୍ଚମ, ସପ୍ତମ ଓ ଅଷ୍ଟମ ଓଭରର ପ୍ରଥମ ବଲ୍‌ରେ ହିଁ ଯଥାକ୍ରମେ ପ୍ରଥମ ଦୁଇ ମ୍ୟାଚ୍‌ର ନାୟକ ସଞ୍ଜୁ ସାମ୍‌ସନ୍‌, ଜୋସ୍‌ ବଟ୍ଟଲର୍‌ ଏବଂ ରବିନ୍‌ ଉଥପ୍ପା ପାଭିଲିୟନ୍‌ ଫେରି ଯାଇଥିଲେ। ସାମ୍‌ସନ୍‌ ଓ ବଟଲର୍‌ଙ୍କୁ ଶିଭମ୍‌ ମାଭି ଶିକାର କରିନେଇ ରୟାଲ୍‌ସକୁ ସଂଘର୍ଷ କରାଇଥିଲେ। ଅନ୍ୟପକ୍ଷରେ ଉଥପ୍ପାଙ୍କ ସହିତ ରିୟାନ୍‌ ପରାଗଙ୍କୁ ଗୋଟିଏ ଓଭରରେ ତଥା ୩ ବଲ୍‌ ବ୍ୟବଧାନରେ ପାଭିଲିୟନ୍‌ ପଠାଇ ଦେଇଥିଲେ କମଳେଶ ନାଗରକୋଟୀ। ଦଳୀୟ ସ୍କୋର୍‌ ୪୩ ବେଳକୁ ପ୍ରଥମ ୫ ୱିକେଟ୍‌ ହରାଇଥିବା ରୟାଲ୍‌ସ ପାଇଁ ଆଉ ମ୍ୟାଚ୍‌କୁ ଫେରିବା କଷ୍ଟକର ହୋଇପଡ଼ିଥିଲା। ଏହାପରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ସେଲ୍‌ଡନ୍‌ କୋଟ୍ରେଲଙ୍କୁ ଗୋଟିଏ ଓଭରରେ ୫ ଛକା ମାରି ରାତାରାତି ନାୟକ ପାଲଟି ଯାଇଥିବା ରାହୁଲ ତେୱାତିଆ କିନ୍ତୁ ନାଇଟ୍‌ ରା‌ଇଡର୍ସ ବିପକ୍ଷରେ କିଛି ବି କରିସ୍ମା ଦେଖାଇ ପାରିନଥିଲେ। ସେ ୧୦ ବଲ୍‌ରେ ୧୪ ରନ୍‌ କରିଥିଲା ବେଳେ ବରୁଣ ଚକ୍ରବର୍ତୀଙ୍କ ଦ୍ବାରା ବୋଲ୍‌ଡ ହୋଇଯାଇଥିଲେ। ଏହିଠାରେ ହିଁ ରୟାଲ୍‌ସର ବିଜୟ ଆଶା ପୂରା ମଉଳି ଯାଇଥିଲା। ୱିକେଟ୍‌ ଝଡ଼ି ଚାଲିଥିଲା ବେଳେ ୧୫ ଓଭରରେ ୯୦ ରନ୍‌ ବେଳକୁ ଦଳ ୮ ୱିକେଟ୍‌ ହରାଇ କେବଳ ପରାଜୟକୁ ଅପେକ୍ଷା କରିଥିଲା। ତେବେ ଟମ୍‌ କରନ୍‌ ଶେଷ ଭାଗରେ ଏକାକୀ ଲଢ଼ିବାରୁ ଦଳ ୧୦୦ ରନ୍‌ ଟପି ପାରିଥିଲା। କରନ୍‌ ୩ ଛକା ଓ ୧ ଚୌକା ବଳରେ ୩୫ ବଲ୍‌ରୁ ଅର୍ଧଶତକ ପୂରଣ କରିଥିଲେ। ଏହା ମଧ୍ୟ ପୂରା ମ୍ୟାଚ୍‌ରେ ଉଭୟ ଦଳ ପକ୍ଷରୁ ଏକମାତ୍ର ଅର୍ଧଶତକ ଥିଲା। ହେଲେ ରାଜସ୍ଥାନ ପରାଜୟରୁ ବର୍ତି ପାରିନଥିଲା। ଶେଷରେ ୧୩୭/୯ରେ ପାଳି ଶେଷ ହୋଇଥିଲା।

ସ୍ମିଥ୍‌ ଟସ୍‌ ଜିତି ପ୍ରଥମେ କୋଲ୍‌କାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଶୁବବନ୍‌ ଗିଲ୍‌ ଓ ସୁନୀଲ ନରିନ୍‌ ପାଳି ଆରମ୍ଭ କରିଥିଲେ। ନରିନ୍‌ଙ୍କୁ ପଞ୍ଚମ ଓଭରରେ ଆଉଟ୍‌ କରି ଜୟଦେବ ଉନାଦ୍‌କଟ୍‌ ଯୋଡ଼ି ଭାଙ୍ଗିଥିଲେ। ଏହାପରେ ଗିଲ୍‌ ଓ ନୀତୀଶ ରାଣା ଦ୍ବିତୀୟ ୱିକେଟ୍‌ରେ ୪୬ ରନ୍ ‌‌ଯୋଡ଼ି ସ୍ଥିତି ସୁଧାରିବାର ଚେଷ୍ଟା କରିଥିଲେ। ହେଲେ ରାଣାଙ୍କୁ ରାହୁଲ ତେୱାତିଆ ଓ ଗିଲ୍‌ଙ୍କୁ ଜୋଫ୍ରା ଆର୍ଚର ଆଉଟ୍‌ କରିଦେବା ପରେ ବିଗ୍‌ ହିଟର ଆନ୍ଦ୍ରେ ରସେଲ୍‌ଙ୍କୁ ଅଙ୍କିତ ରାଜପୁତ ପାଭିଲିୟନ୍‌ ପଠାଇ ଦେଇଥିଲେ। କିନ୍ତୁ ଅଧିନାୟକ କାର୍ତ୍ତିକ ପୁନର୍ବାର ନିରାଶ କରି ମାତ୍ର ୧ ରନ୍‌ରେ ବିଦାୟ ନେଇଥିଲେ। ତାଙ୍କୁ ଆର୍ଚର ଦ୍ବିତୀୟ ଶିକାର କରିଥିଲେ। ଏକ ସମୟରେ ୧୧୫ ରନ୍‌ରେ ୫ ୱିକେଟ୍‌ ହରାଇ ସଂଘର୍ଷ କରିଥିବା କୋଲ୍‌କାତା ଦଳକୁ ଇଅନ୍‌ ମୋର୍ଗାନ୍‌ ସମ୍ମାନଜନକ ୧୭୪/୬ର ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇ ଦେଇଥିଲେ। ମୋର୍ଗାନ୍‌ ଏବଂ କମଳେଶ ନାଗରକୋଟୀ ଶେଷ ଦୁଇ ଓଭରରୁ ୨୫ ରନ୍‌ ଆଦାୟ କରିଥିଲେ। ଆର୍ଚର ୪-୦-୧୮-୨ର ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର