ପୁଣି ଘାଇଲା କଲା କଙ୍ଗାରୁ ସେନା, ଲଗାତାର ପରାଜୟ ସହ ଶୃଙ୍ଖଳା ହାରିଲା କୋହଲି ବାହିନୀ

ସିଡ୍‌ନି: କଙ୍ଗାରୁ ସେନାର ଭୟଙ୍କର ରନ୍‌ ସ୍ଖଳନରେ ପୁଣି ଥରେ ପୋତି ହୋଇଯାଇଛି କୋହଲି ବାହିନୀ। କୋ‌ଭିଡ୍ ସଙ୍କଟ ପରର ପ୍ରଥମ ଶୃଙ୍ଖଳାରେ ଲଗାତାର ପରାଜୟ ବରଣ କରି ସିଡ୍‌ନିରେ ଶୃଙ୍ଖଳା ହାରିଛି ଟିମ୍ ଇଣ୍ଡିଆ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଭାରତ ଅଦ୍ଭୂତପୂର୍ବ କଟକଣା ଓ କଠୋର ଜୈବ ବଳୟ ଭିତରେ ଖେଳିଥିବା ପ୍ରଥମ ମ୍ୟାଚ୍‌କୁ ୬୬ ରନ୍‌ରେ ହାରିଥିଲା। ରବିବାର ନିର୍ଣ୍ଣାୟକ ଦ୍ବିତୀୟ ମୁକାବିଲାକୁ ୫୧ ରନ୍‌ରେ ହାରି କୋଭିଡ୍-୧୯ ପରର ପ୍ରଥମ ଶୃଙ୍ଖଳାରେ ପୂରା ଆ‌ତ୍ମସମର୍ପଣ କରିବାର ଅପଯଶ ମୁଣ୍ଡାଇଛି। ଭାରତ ଯେ ଚଳିତ ଗସ୍ତରେ ସବୁଦିଗରୁ ଦୁର୍ବଳ ପ୍ରଦର୍ଶନ କରୁଛି ସେକଥା ଅଧିନାୟକ କୋହଲି ମ୍ୟାଚ୍ ଶେଷ ପରେ ହତାଶାର ସହ ସ୍ବୀକାର କରିଥିଲେ।

ସେପଟେ ପୂର୍ବତନ ଅଧିନାୟକ ତଥା ତେଜସ୍ବୀ ତାରକା ଷ୍ଟିଭେନ୍ ସ୍ମିଥ୍ (୧୦୪ ରନ୍, ୬୪ ବଲ୍, ୧୪ ଚୌକା, ୨ ଛକା) ଆଉ ଏକ ଚିତ୍ତାକର୍ଷକ ଶତକ ହାସଲ କରି ଅଷ୍ଟ୍ରେଲିଆକୁ ମ୍ୟାଚ୍ ସହ ଶୃଙ୍ଖଳା ବିଜୟ ଉପହାର ଦେଇଛନ୍ତି। ୫୦ ପ୍ରତିଶତ ଆସନ ପୂରଣ ହୋଇଥିବା ସିଡ୍‌ନି ପଡ଼ିଆର ୧୭୫୭୩ ଦର୍ଶକଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆ ୨୦୧୬-୧୭ ଋତୁରେ ପାକିସ୍ତାନକୁ ପରାସ୍ତ କରିବା ପରେ ଘରୋଇ ପରିବେଶରେ ପ୍ରଥମ ଦ୍ବିପାକ୍ଷିକ ଏକଦିବସୀୟ ଶୃଙ୍ଖଳା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଦୁଇଟି ବଡ଼ ପରାଜୟ ପରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ବୁଧବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ସମ୍ମାନ ରକ୍ଷା ସହ ସାନ୍ତ୍ବନାମୂଳକ ବିଜୟ ହାସଲ କରିବାର ଶେଷ ସୁଯୋଗ ହେବାକୁ ଯାଉଛି। ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ଏବଂ ଦୁଇ ଥର ଯାକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା କିନ୍ତୁ ସ୍ମିଥ୍‌ଙ୍କ ପାଇଁ ସ୍ମରଣୀୟ ଅଭିଜ୍ଞତା ଛାଡ଼ିଛି। ଭାରତ ବିପକ୍ଷରେ ନିଜ ଅସାଧାରଣ ଓ ଅନନ୍ୟ ପ୍ରଦର୍ଶନର ଧାରାକୁ ସେ ମଧ୍ୟ ଅତୁଟ ରଖିଛନ୍ତି।

ରବିବାର ୩୯୦ ରନ୍‌ର ବିରାଟ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି ମୟଙ୍କ ଅଗ୍ରୱାଲ (୨୮ ରନ୍, ୨୬ ବଲ୍, ୪ ଚୌକା) ଓ ଶିଖର ଧାୱନ (୩୦ ରନ୍, ୨୩ ବଲ୍, ୫ ଚୌକା) ପ୍ରଥମ ୱିକେଟ୍‌ରେ ୫୮ ରନ୍ ଯୋଡ଼ିଥିଲେ। ଅଧିନାୟକ ବିରାଟ କୋହଲି (୮୯ ରନ୍, ୮୭ ବଲ୍, ୭ ଚୌକା, ୨ ଛକା)ଙ୍କ ବ୍ୟାଟ୍ ଚଳିତ ଗସ୍ତରେ ପ୍ରଥମ ଥର ପାଇଁ କଥା କହିଥିଲା। ହେଲେ ଠିକଣା ସମୟରେ ତାଙ୍କ ୱିକେଟ୍ ନେଇ ଜୋସ୍ ହାଜେଲଉଡ୍ ଭାରତକୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। କୋହଲି ଅବଶ୍ୟ ଏହା ଭିତରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୨୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ। କେଏଲ୍ ରାହୁଲ (୭୬ ରନ୍, ୬୬ ବଲ୍, ୪ ଚୌକା, ୫ ଛକା) ଭଲ ବ୍ୟାଟିଂ କରିଥିଲେ। ଶ୍ରେୟସ୍ ଆୟର (୩୮ରନ୍, ୩୬ ବଲ୍, ୫ ଚୌକା), ହାର୍ଦିକ ପାଣ୍ଡ୍ୟା (୨୮ ରନ୍, ୩୧ ବଲ୍, ୧ ଚୌକା, ୧ ଛକା) ବି ଭଲ ଆରମ୍ଭ ପାଇଥିଲେ। ହେଲେ ବଢ଼ି ବଢ଼ି ଚାଲିଥିବା ପାହାଡ଼ ଭଳି ରନ୍ ରେଟ୍ ପାଇଁ ବିପଜ୍ଜନକ ବ୍ୟାଟିଂ କରି ନିଜ ନିଜ ୱିକେଟ୍ ହରାଇଥିଲେ। ଶେଷରେ ଭାରତ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୮ ରନ୍‌ରେ ଅଟକି ଯାଇଥିଲା। ବୃହତ୍ ଲକ୍ଷ୍ୟର ପଶ୍ଚାତଧାବନ ବେଳେ ଭାରତ ପୁଣି ଥରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲା। ବୋଲର କିନ୍ତୁ କ୍ରମାଗତ ଦ୍ବିତୀୟ ଦିନିକିଆରେ ଅଧିନାୟକ କୋହଲିଙ୍କୁ ନିରାଶ କରିଥିଲେ। ନିର୍ଧୂମ ଛେଚା ଖାଇ ସେମାନେ ମାତ୍ରାଧିକ ରନ୍ ବ୍ୟୟ କରିଥିଲେ ଏବଂ ଅଷ୍ଟ୍ରେଲିଆ ମାତ୍ର ୪ ୱିକେଟ୍ ହରାଇ ୩୮୯ ରନ୍‌ର ବିଶାଳ ସ୍କୋର କରି ନେଇଥିଲା।

ଅଷ୍ଟ୍ରେଲିଆ ପୂର୍ବ ମୁକାବିଲା ଭଳି ଆଜି ବି ଟସ୍ ଜିତି ଖୁସୀରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ପୂର୍ବତନ ବିଶ୍ବବିଜୟୀ ଦଳର ଦୁଇ ପ୍ରାରମ୍ଭିକ ତାରକା ଡେଭିଡ୍ ୱାର୍ନର (୮୩ ରନ୍, ୭୭ ବଲ୍, ୭ ଚୌକା, ୩ ଛକା) ଓ ଆରୋନ ଫିଞ୍ଚ୍ (୬୦ ରନ୍, ୬୯ ବଲ୍, ୬ ଚୌକା, ୧ ଛକା) ଶୃଙ୍ଖଳାରେ ଦ୍ବିତୀୟ ଥର ପାଇଁ ଶତକୀୟ ଭାଗୀଦାରି କରିଥିଲେ। ସେହିଭଳି ସ୍ମିଥ୍ ଓ ମାର୍ଲନ ଲବୁସାନେ (୭୦ ରନ୍, ୬୧ ବଲ୍, ୫ ଚୌକା) ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ଏଥର ଆଇପିଏଲ୍‌ର ବିଫଳ ତାରକା ଗ୍ଲେନ୍ ମ୍ୟାକ୍ସୱେଲ୍‌ (୬୩* ରନ୍, ୨୯ ବଲ୍, ୪ ଚୌକା. ୪ ଛକା)ଙ୍କ ଧମାକାଦାର ଅର୍ଧଶତକ ପାଇଁ ଅଷ୍ଟ୍ରେଲିଆ ୪୦୦ ରନ୍‌ର ନିକଟତର ହୋଇଥିଲା। ସେହିଭଳି ପ୍ରଥମ ୫୦ ରନ୍ ୩୮ ବଲ୍‌ରେ ହାସଲ କରିଥିବା ରନ୍ ମେସିନ ସ୍ମିଥ୍ ଦ୍ବିତୀୟ ୫୦କୁ କେବଳ ୨୪ ବଲ୍‌ରେ ହାସଲ କରି ଦିନିକିଆ କ୍ରିକେଟ୍‌ରେ ଏକାଦଶ ଶତକ ପୂରଣ କରିଥିଲେ। ଭାରତ ବିପକ୍ଷରେ ଏହା ତାଙ୍କର ପଞ୍ଚମ ଶତକ ଥିଲା। ଅଷ୍ଟ୍ରେଲିଆର ୫ ଜଣ ବ୍ୟାଟ୍ସମ୍ୟାନ୍ ୫୦ରୁ ଅଧିକ ରନ୍ କରିଥିଲେ। ଅଷ୍ଟ୍ରେଲିଆ ଅଲରାଉଣ୍ଡର ମୋଜେସ୍ ହେନରିକ୍ ଦୀର୍ଘ ୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିଲେ ମଧ୍ୟ ୭ ଓଭରରେ ମାତ୍ର ୩୪ ରନ୍ ଦେଇ ଶ୍ରେୟସ୍ ଆୟରଙ୍କୁ ଶିକାର କରିଥିଲେ। ସେ ମଧ୍ୟ ଏକ ଚକିତ କଲା ଭଳି କ୍ୟାଚ୍‌ ନେଇ କୋହଲିଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଯାହା ଭାରତ ପରାଜୟର ପ୍ରମୁଖ କାରଣ ପାଲଟିଥିଲା।

ସମ୍ବନ୍ଧିତ ଖବର