ବ୍ରିସ୍‌ବେନ୍‌: ଆସନ୍ତା ୨୩ ତାରିଖ ରବିବାର ଏସିଆ ମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଖେଳି ଉଭୟ ଦଳ ମଧ୍ୟ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବେ। ତେବେ ଏହି ପ୍ରତୀକ୍ଷିତ ମୁକାବିଲା ପୂର୍ବରୁ ପ୍ରତି ଦଳ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲା ବେଳେ ବୁଧବାର ପ୍ରବଳ ବର୍ଷା ବାଧକ ସାଜିଥିଲା। ବୁଧବାର ନ୍ୟୁଜିଲାଣ୍ଡ ସହିତ ଭାରତ ଏବଂ ଆଫ୍‌ଗାନିସ୍ତାନ ସହିତ ପାକିସ୍ତାନର ଅଭ୍ୟାସ ମ୍ୟାଚ୍‌ ରହିଥିଲା। ହେଲେ ବ୍ରିସ୍‌ବେନ୍‌ରେ ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଆଦୌ ଟସ୍‌ ପଡ଼ିନପାରି ବାତିଲ ହୋଇଥିଲା ବେଳେ ପାକିସ୍ତାନ-ଆଫ୍‌ଗାନିସ୍ତାନ ମ୍ୟାଚ୍‌ ଅଧାରୁ ବିନା ଫଳାଫଳରେ ଶେଷ ହୋଇଥିଲା। ଏହା ପୂର୍ବରୁ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଭାରତ ୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ବେଳେ ପାକିସ୍ତାନ ଇଂଲଣ୍ଡ ନିକଟରୁ ୬ ୱିକେଟ୍‌ରେ ହାରିଥିଲା।

Advertisment

ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ରେ ଟସ୍‌ ଜିତି ପ‌ାକିସ୍ତାନ ପ୍ରଥମେ ବୋଲିଂ ନେଇଥିଲା। ସାହିନ ଆଫ୍ରିଦି (୪-୦-୨-୨), ହାରିସ୍‌ ରୌଫ୍‌ (୪-୦-୩୪-୨) ଓ ମହମ୍ମଦ ନୱାଜ (୨-୦-୭-୧)ଙ୍କ ଚମତ୍କାର ବୋଲିଂ ସତ୍ତ୍ବେ ଆଫ୍‌ଗାନିସ୍ତାନ ୧୫୪/୬ ସ୍କୋର୍‌ କରିନେଇଥିଲା। ଅଧିନାୟକ ମହମ୍ମଦ ନବୀ (୫୧*, ୩୭ ବଲ୍‌, ୫ ଚୌକା, ୧ ଛକା)ଙ୍କ ଦ୍ରୁତ ଅର୍ଦ୍ଧଶତକ ବ୍ୟତୀତ ଇବ୍ରାହିମ ଜଦ୍ରାନ (୩୫) ଓ ଉସ୍‌ମାନ ଘନି (୩୨*) ଉପଯୋଗୀ ପାଳି ଖେଳିଥିଲେ। ନବୀ ଓ ଘନି ଅସମାପ୍ତ ସପ୍ତମ ୱିକେଟ୍‌ରେ ୭୨ ରନ୍ ଯୋଡ଼ିଥିଲେ। ଜବାବରେ ପାକିସ୍ତାନ ୨.୨ ଓଭରରେ କୌଣସି ୱିକେଟ୍‌ ନହରାଇ ୧୯ ରନ୍‌ କରିଥିଲା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଯାଇଥିଲା।

ଆଫ୍ରିଦିଙ୍କ ଘାତକ ୟର୍କରରେ ଆଫଗାନ୍‌ ବ୍ୟାଟର ଘାଇଲା
ବ୍ରିସ୍‌ବେନ୍‌: ପାକିସ୍ତାନ ବାମହାତୀ ଦ୍ରୁତ ବୋଲର ସାହିନ୍‌ ଆଫ୍ରିଦି ବୁଧବାର ତାଙ୍କ ଘାତକ ବୋଲିଂ ଜରିଆରେ ଭାରତ ପାଇଁ ସତର୍କ ସନ୍ଦେସ ପଠାଇଛନ୍ତି। ବ୍ରିସ୍‌ବେନ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆଫ୍ରିଦିଙ୍କ ଘାତକ ୟର୍କର ପ୍ରତିପକ୍ଷଙ୍କୁ ଭୟଭୀତ କରାଇବାକୁ ଯଥେଷ୍ଟ ଥିଲା। କାରଣ ଏହି ମ୍ୟାଚ୍‌ରେ ତାଙ୍କର ଏକ ୟର୍କର ରହମନୁଲ୍ଲା ଗୁରବାଜ୍‌ଙ୍କୁ ସିଧା ହସ୍‌ପିଟାଲ୍‌ ପଠାଇଦେଇଥିଲା। ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ଆଫ୍ରିଦିଙ୍କ ଏହି ଘାତକ ୟର୍କରକୁ ଗୁରବାଜ୍‌ ଖେଳିପାରିନଥିଲେ। ବଲ୍‌ ତାଙ୍କ ବାମ ଗୋଡ଼ ଜୋତାରେ ବାଜିବା ପରେ ଆଫ୍ରିଦି ଅପିଲ୍‌ କରିବାରୁ ଅମ୍ପାୟାର ତାହାକୁ ଆଉଟ୍‌ ଘୋଷଣା କରିଥିଲେ। କିନ୍ତୁ ୟର୍କର ଏତେ ଶକ୍ତ ଥିଲା ଯେ ଗୁରବାଜ୍‌ ପ୍ରବଳ ଯନ୍ତ୍ରଣାରେ ଛଡ଼ପଟ ହେଉଥିବା ଦେଖାଯାଉଥିଲା। ତାଙ୍କୁ ପଡ଼ିଆରୁ ନେବା ପାଇଁ ଦଳର ଫିଜିଓ ଓ ଅନ୍ୟ ସହକାରୀମାନେ ଆସିବାକୁ ପଡ଼ିଥିଲା। ତାଙ୍କୁ ମଧ୍ୟ ପଡ଼ିଆରୁ ହସ୍ପିଟାଲକୁ ନିଆଯାଇଥିଲା। ଫଳରେ ମ୍ୟାଚ୍‌କୁ କିଛି ସମୟ ପାଇଁ ବନ୍ଦ ରଖିବାକୁ ପଡ଼ିଥିଲା। ମ୍ୟାଚ୍‌ରେ ଆଫ୍ରିଦି ୪ ଓଭର ବୋଲିଂ କରିଥିଲା ବେଳେ ୨୯ ରନ୍‌ ବିନିମୟରେ ୨ ୱିକେଟ୍‌ ଅକ୍ତିଆର କରିଥିଲେ।