ହରାରେ: ଜିମ୍ବାୱେ ଗସ୍ତରେ ଥିବା ଶୁବମନ୍‌ ଗିଲ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଯୁବ କ୍ରିକେଟ୍ ଦଳର ଜୟଯାତ୍ରା ଜାରି ରହିଛି। ରବିବାର ପଞ୍ଚମ ତଥା ଶେଷ ମୁକାବିଲାକୁ ୪୨ ରନ୍‌ରେ ଜିତି ଭାରତୀୟ ଦଳ ଲଗାତାର ଚତୁର୍ଥ ବିଜୟ ହାସଲ କରିବା ସହ ଶୃଙ୍ଖଳା ବିଜୟ ବ୍ୟବଧାନକୁ ୪-୧କୁ ବଢ଼ାଇଛି। ସେହିଭଳି ପ୍ରଥମ ମ୍ୟାଚ୍‌କୁ ଲଜ୍ଜାଜନକ ଭାବେ ହାରିବା ପରେ ପରବର୍ତ୍ତୀ ଚାରିଟି ଲଢ଼େଇରେ ଆତ୍ମବିଶ୍ବାସରେ ଭରପୂର ଭାରତୀୟ କ୍ରିକେଟ୍ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି ବିଦେଶ ମାଟିରେ ନୂଆ ଇତିହାସ ରଚିଛି। ପ୍ରକୃତରେ ଭାରତ ଚତୁର୍ଥ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ବିଜୟର ସ୍ବାଦ ଚାଖି ସାରିଥିଲା। ଫଳରେ ଆଜି ଜିମ୍ବାୱେ ପାଖରେ ସମ୍ମାନର ସହ ଶୃଙ୍ଖଳା ଶେଷ କରିବାର ସୁଯୋଗ ଥିଲା। ‌‌ହେଲେ ଭାରତୀୟ ଖେଳାଳି ଅପୂର୍ବ ତାଳମେଳରେ ଖେଳି ଜିମ୍ବାୱେକୁ ବିଜୟ ଧାରାକୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ।

Advertisment

ରବିବାର ଓପନିଂ ବିଫଳତା ସତ୍ତ୍ବେ ସଂଜୁ ସାମସନ (୫୮)ଙ୍କ ଦାୟିତ୍ବବାନ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା ଭାରତ। ଏହା ପରେ ଘରୋଇ ଜିମ୍ବାୱେକୁ ୯ ବଲ୍‌ ପୂର୍ବରୁ ମାତ୍ର ୧୨୫ ରନ୍‌ରେ ଅଲଆଉଟ୍ କରି ସ୍ମରଣୀୟ ବିଜୟ ପାଇଥିଲା। ଦ୍ରୁତ ବୋଲର ମୁକେଶ କୁମାର ମାତ୍ର ୨୨ ରନ୍‌‌ରେ ୪ ୱିକେଟ୍ ନେଇ ଜିମ୍ବାୱେର ବିପର୍ଯ୍ୟୟ ଘଟାଇଥିଲେ। ଏହା ମଧ୍ୟ ଟ୍ବେଣ୍ଟି-୨୦ରେ ତାଙ୍କର ‌ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ତେବେ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଶିବମ ଦୁବେ (୨୬ ରନ୍ ୧୨ ବଲ୍, ୨/୨୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତୀୟ ଦଳର ଅନ୍ୟତମ ସଫଳ ଅଲ୍‌ରାଉଣ୍ଡର୍ ୱାସିଂଟନ୍ ସୁନ୍ଦର (୨୮ ରନ୍, ୮ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥ‌ିଲେ। ‌ଭାରତୀୟ ଖେଳାଳିମାନେ ଟ୍ରଫି ବିଜୟ ଖୁସିରେ ମସଗୁଲ୍ ଥିଲା ବେଳେ ଜିମ୍ବାୱେର ଦୁଇ ଖେଳାଳି ଅଧିନାୟକ ସିକନ୍ଦର ରାଜା ଓ ଅଲରାଉଣ୍ଡର୍ ରିଚାର୍ଡ ଏନ୍‌ଗାର୍‌ଭା ମଧ୍ୟ ଆଇସିସି ପକ୍ଷରୁ ସ୍ବତନ୍ତ୍ର ଟୋପି ଉପହାର ପାଇଥିଲେ। ଆଇସିସି ବର୍ଷର ଶ୍ରେଷ୍ଠ ପୁରୁଷ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଥିବାରୁ ଉଭୟଙ୍କୁ ଏହି ପୁରସ୍କାର ମିଳିଥିଲା।

ଗୋଟିଏ ବଲ୍‌ରୁ ୧୩ ରନ୍

ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ଜିମ୍ବାୱେ ବିପକ୍ଷ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ନିଆରା ବିଶ୍ବ କୀର୍ତ୍ତିମାନ କରିଥିଲେ। ଭାରତୀୟ ପାଳିର ପ୍ରଥମ ଓଭରର ପ୍ରଥମ ବଲ୍‌ରୁ ସେ ଅବିଶ୍ବସନୀୟ ଭାବେ ୧୩ ରନ୍ ଅମଳ କରି ନେଇଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏପରି କରିବାରେ ପ୍ରଥମ ଖେଳାଳି ହୋଇଥିଲେ ସେ। ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ମ୍ୟାଚ୍‌ର ପ୍ରଥମ ବଲ୍‌ ଫୁଲ୍‌ଟସ୍ ପକାଇଥିଲେ। ଜୟସ୍ବାଲ ଏହି ଉପହାରକୁ ହୃଦୟ ଖୋଲି ଗ୍ରହଣ କରିବା ସହ ସ୍ଲଗ୍ ସୁଇପ୍ ଜରିଆରେ ମିଡ୍ ୱିକେଟ୍ ଉପରେ ଛକା ମାରିଥିଲେ। ଓଭର ଷ୍ଟେପିଂ ପାଇଁ ଅମ୍ପାୟାର ଏହି ବଲ୍‌କୁ ଫ୍ରି-ହିଟ୍ ଡାକିବା ତାଙ୍କ ଖୁସିକୁ ଆହୁରି ବଢ଼ାଇ ଦେଇଥିଲା। ଜୟସ୍ବାଲ ପ୍ରଥମ ବଲ୍‌ରୁ ମୋଟ ୭ ରନ୍‌ ପାଇବା ପରେ ରାଜାଙ୍କ ମୁଣ୍ଡ ଉପରେ ଛକା ମାରି ଗୋଟିଏ ବୈଧ ତଥା ଆଇନ ସମ୍ମତ ବଲ୍‌ରୁ ୧୩ ରନ୍ କରି ନେଇଥିଲେ। ମାତ୍ର ଗୋଟିଏ ବଲ୍‌ରେ ୧୩ ରନ୍ ଖର୍ଚ୍ଚ କରିବାର ଅପଯଶ ମୁଣ୍ଡାଇଥିବା ରାଜା ଅବଶ୍ୟ ମାତ୍ର ତିନିଟି ବଲ୍ ପରେ ଜୟସ୍ବାଲଙ୍କୁ ଚତୁରତାର ସହ ବୋଲ୍ଡ କରି ନିଜ ଅପମାନର ମଧୁର ପ୍ରତିଶୋଧ ନେଇଥିଲେ।