ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍‌ ପଦ୍ଧତି ବଦଳିଲା: ବିଜୟ ପାଇଁ ୧୨, ଅମୀମାଂସିତ ମ୍ୟାଚ୍ ଲାଗି ୬ ପଏଣ୍ଟ୍

ଭାରତ-ଇଂଲଣ୍ଡ ଶୃଙ୍ଖଳାରୁ ଆରମ୍ଭ

ଦୁବାଇ: ଆଗାମୀ ଋତୁରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ନୂଆ ପଏଣ୍ଟ୍‌ ବ୍ୟବସ୍ଥାରେ ଖେଳାଯିବ। ୨୦୨୧-୨୦୨୩ ଚକ୍ର ପାଇଁ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଲାଗି ଆଇସିସି ବିଭିନ୍ନ ଶୃଙ୍ଖଳା ଓ ପ୍ରତିଯୋଗିତା ପାଇଁ ମିଳୁଥିବା ପଏଣ୍ଟ ସଂଖ୍ୟା ଓ ବ୍ୟବସ୍ଥାରେ ବ୍ୟାପକ ଅଦଳ ବଦଳ କରିଛି। ଏଣିକି ଡବ୍ଲ୍ୟୁଟିସିର ପ୍ରତ୍ୟେକ ମ୍ୟାଚ୍ ଲାଗି ସମାନ ପଏଣ୍ଟ୍‌ ମିଳିବ। ଆଇସିସିର ଏହି ନୂଆ ପଏଣ୍ଟ୍‌ ବ୍ୟବସ୍ଥା ଅନ୍ତର୍ଗତ ପ୍ରତି ବିଜୟ ପାଇଁ ଦଳଗୁଡ଼ିକ ୧୨ ଏବଂ ଅମୀମାଂସିତ ମ୍ୟାଚ୍ ଲାଗି ୬ ପଏଣ୍ଟ ପାଇବେ। ପୂର୍ବରୁ ମ୍ୟାଚ୍ ସଂଖ୍ୟା ବ୍ୟତିରେକ ପ୍ରତ୍ୟେକ ଶୃଙ୍ଖଳାକୁ ସମାନ ପଏଣ୍ଟ ମିଳୁଥିଲା। ପଏଣ୍ଟ୍‌ ବ୍ୟବସ୍ଥାକୁ ସରଳ କରିବା ଲାଗି ଏଭଳି ପରିବର୍ତ୍ତନ କରାଯାଇଥିବା ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍ ଆଲାର ଡାଇସ୍ ସୂଚନା ଦେଇଛନ୍ତି। ଗତବର୍ଷର ଅଭିଜ୍ଞତା ପରେ କ୍ରିକେଟ୍ କମିଟି ପଏଣ୍ଟ୍‌ ବ୍ୟବସ୍ଥା ବଦଳାଇବାକୁ ସୁପାରିସ କରିଥିଲା। ଯାହାକୁ ଗ୍ରହଣ କରି ନିଆଯାଇଛି ବୋଲି ସେ କହିଛନ୍ତି। ତେବେ ପ୍ରଥମ ଋତୁ ଭଳି ଏଥର ମଧ୍ୟ ୯ଟି ଦଳ ପ୍ରତ୍ୟେକ ୬ଟି ଲେଖାଏଁ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବେ। ସେଥିମଧ୍ୟରେ ୩ଟି ଘରୋଇ ଏବଂ ୩ଟି ବିଦେଶ ମାଟିରେ ଖେଳିବେ।

ଭାରତ-ଇଂଲଣ୍ଡ ଶୃଙ୍ଖଳାରୁ ଆରମ୍ଭ
ଡବ୍ଲ୍ୟୁଟିସିର ଦ୍ବିତୀୟ ସଂସ୍କରଣ ଅଗଷ୍ଟ ୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ଟିକିଆ ଶୃଙ୍ଖଳାରୁ ଆରମ୍ଭ ହେବ। ଅର୍ଥାତ୍ ଉଭୟ ଘରୋଇ ଇଂଲଣ୍ଡ ଓ ଭାରତ ପାଇଁ ଏହି ଶୃଙ୍ଖଳାରେ ନୂଆ ପଏଣ୍ଟ୍‌ ପଦ୍ଧତି ଅନୁସାରେ ମୋଟ ୬୦ ବହୁମୂଲ୍ୟ ପଏଣ୍ଟ୍‌ ଅର୍ଜନ କରିବାର ସୁଯୋଗ ରହିବ। ଏହି ବିଷୟରେ ନିଜ ପ୍ରତିକ୍ରିୟା‌ ପ୍ରକାଶ କରି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ କହିଛନ୍ତି ଯେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଦ୍ବିତୀୟ ସଂସ୍କରଣ ଅଭିଯାନ ଆମେ ପ୍ରଥମ ସଂସ୍କରଣର ଫାଇନାଲିଷ୍ଟ ଭାରତ ବିପକ୍ଷରେ ଆରମ୍ଭ କରିବୁ। ଯାହା ଆମ ପାଇଁ ନିଶ୍ଚିତ ଭାବେ ଏକ ମଜାଦାର ଆହ୍ବାନ ହେବ ବୋଲି ‌ମୋର ଆଶା ଓ ବିଶ୍ବାସ। ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିଥିବାରୁ ଗର୍ବ ଅନୁଭବ କରୁଛି। ଏହା ନିଶ୍ଚିତ ଭାବେ ଏକ ସ୍ମରଣୀୟ ମୁକାବିଲା ଥିଲା। କେବଳ ଫାଇନାଲ୍ ନୁହେଁ ସମଗ୍ର ପ୍ରତିଯୋଗିତାରେ ଆମ ଖେଳାଳିମାନେ ଅପୂର୍ବ ଏକାଗ୍ରତାର ପରିଚୟ ଦେଇଥିଲେ। ବିଜେତା ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ମତ ଦେଇଥି‌ଲେ ଯେ ସାଉଥମ୍ପଟନଠାରେ ଗତ ମାସରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍ ଜିତିବା ଆମ ପାଇ ସ୍ବତନ୍ତ୍ର ଥିଲା। ଦ୍ବିତୀୟ ସଂସ୍କରଣ ଖେଳିବାକୁ ଆମେ ବେଶ୍ ଉତ୍ସାହିତ ଅଛୁ।

ସମ୍ବନ୍ଧିତ ଖବର