ପରାକ୍ରମୀ ପାଣ୍ଡ୍ୟା; ଆଇପିଏଲ୍‌ ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ

ଅହମଦାବାଦ: ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଫାଇନାଲ୍ ପାଇଁ ହିଁ ନିଜ ବୋଲିଂ କମାଲ ସାଇତି ରଖିଥିଲେ। ରବିବାର ଫାଇନାଲ୍‌ରେ ପ୍ରତିପକ୍ଷ ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ଦୁଇ ବିପଜ୍ଜକନ ବ୍ୟାଟର୍ ଜୋସ୍ ବଟଲର୍ (୩୯) ଏବଂ ସିମରନ୍ ହେଟମେୟର (୧୧)ଙ୍କୁ ଶିକାର କରିନେଇ ରାଜସ୍ଥାନ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ସେ। ଅନ୍ୟପଟୁ ସାଇ କିଶୋର ଏବଂ ଅଭିଜ୍ଞ ମହମ୍ମଦ ସାମି ମଧ୍ୟ ଚାପ କମିବାକୁ ଦେଇ ନଥିଲେ। ସେପଟେ ଲୋକି ଫର୍ଗୁସନ୍ ୱିକେଟ୍ ପାଇ ନଥିଲେ ମଧ୍ୟ ଏବର୍ଷର ସବୁଠାରୁ ଦ୍ରୁତତମ ବଲ୍ (ଘଣ୍ଟାପ୍ରତି ୧୫୭.୩ କିଲୋମିଟର) ପକାଇବାର କୀର୍ତ୍ତିମାନ ନିଜ ନାଁରେ କରି ନେଇଥିଲେ। ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଧମାକାଦାର ବୋଲିଂ ପ୍ରଦର୍ଶନ କରିବା ପରେ ରାଜସ୍ଥାନ ଆଇପିଏଲ୍ ଫାଇନାଲ୍‌ର ଦ୍ବିତୀୟ ସର୍ବନିମ୍ନ ଦଳଗତ ସ୍କୋର ୧୩୦/୯ରେ ଅଟକି ଯାଇଥିଲା। ବ୍ୟାଟ୍‌ରେ ବି ପାଣ୍ଡ୍ୟା ଆଜି କମାଲ୍‌ କରିଥିଲେ। ୩୪ ରନ୍‌ର ଦାୟିତ୍ବବାନ ପାଳି ଖେଳି ନିଜ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆଇପିଏଲ୍‌ ଜିତିବାରେ ଚତୁର୍ଥ ଭାରତୀୟ ଅଧିନାୟକ
-ଭାରତୀୟ ଅଧିନାୟକ ଭାବେ ଆଇପିଏଲ୍‌ ଟ୍ରଫି ଜିତିବାରେ ହାର୍ଦିକ୍‌ ପାଣ୍ଡ୍ୟା ଚତୁର୍ଥ ହୋଇଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି, ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମା ଆଇପିଏଲ୍‌ ଟ୍ରଫି ଜିତିଥିଲେ।

‌- ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତିଆର କରିବା ପରେ ଟ୍ରଫି ଜିତିବାରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ ଇତିହାସରେ ତୃତୀୟ ଦଳ ହୋଇଛି। ଏହା ପୂର୍ବରୁ ୨୦୦୮ରେ ରାଜସ୍ଥାନ ରୟାଲ୍ସ ଏବଂ ୨୦୧୭, ୨୦୧୯ ଓ ୨୦୨୦ରେ ତିନି ଥର ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ରହି ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଥିଲା।

-ତୃତୀୟ ଥର ପାଇଁ ଗୋଟିଏ ଦଳର ଦୁଇ ଜଣ ଖେଳାଳି ଗୋଟିଏ ଆଇପିଏଲ୍‌ ଋତୁରେ ଉଭୟ କମଳା ଓ ବାଇଗଣୀ ଟୋପି ଜିତିବାର ଗୌରବ ବହନ କରିଛନ୍ତି। ଚଳିତ ଋତୁରେ ଉପବିଜେତା ରାଜସ୍ଥାନ ରୟାଲ୍‌ସ ବ୍ୟାଟର ଜୋସ୍‌ ବଟଲର୍‌ ଏବଂ ସ୍ପିନର ୟୁଝବେନ୍ଦ୍ର ଚହଲ ଯଥାକ୍ରମେ କମଳା ଓ ବାଇଗଣୀ ଟୋପି ହାସଲ କରିଥିଲେ। ଏହା ପୂର୍ବରୁ ୨୦୧୩ରେ ଚେନ୍ନାଇ ସୁପର କିଙ୍ଗ୍ସର ମାଇକ୍‌ ହସି ଓ ଡ୍ବେନ୍‌ ବ୍ରାଭୋ ଏବଂ ୨୦୧୭ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଡେଭିଡ ୱର୍ଣ୍ଣର ଓ ଭୁବନେଶ୍ବର କୁମାର ଏଭଳି ସଫଳତା ହାତେଇଥିଲେ।

ସମ୍ବନ୍ଧିତ ଖବର