ରାଉରକେଲା: ମଙ୍ଗଳବାର ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟ୍ବଲ୍ ଷ୍ଟାଡିୟମ୍ ଏବଂ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନି କ୍ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଆର୍ ଭିନିଲ କ୍ରିଷ୍ଣା ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସ୍ଥାନ ପରିଦର୍ଶନ କରିବା ପରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ କୋଭିଡ୍ ପାଇଁ କିଛିଟା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ନିର୍ଦ୍ଧାରିତ ସ୍ତରରେ ପହଞ୍ଚିଛି। ୨୦୨୨ ଜୁଲାଇ ସୁଦ୍ଧା ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ପୁରୁଷ ହକି ବିଶ୍ୱକପ-୨୦୨୩ ଲାଗି ଏଠାକୁ ଦେଶ ତଥା ଦେଶ ବାହାରୁ ବହୁ ଖେଳାଳି, ଅଫିସିଆଲ ଏବଂ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିମାନେ ଆସିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗରର ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସୗନ୍ଦର୍ଯ୍ୟକରଣ କରାଯାଉଛି। ଏହି ଅବସରରେ ମନ୍ତ୍ରୀ ଓ ସଚିବ ଏଠାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ୍ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମର ବିଭିନ୍ନ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ।
ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ବିଶ୍ୱ ବ୍ୟାଡମିଣ୍ଟନ୍ ମହାସଂଘ ମାନର ତିନିଟି ଇନ୍ଡୋର ବ୍ୟାଡ୍ମିଣ୍ଟନ କୋର୍ଟ, ଆଉଟଡୋରରେ ଲନ୍ ଟେନିସ୍ କୋର୍ଟ, ଫିଟନେସ ପାଇଁ ଅତ୍ୟାଧୁନିକ ଜିମ୍ନାସିୟମ୍ ଭଳି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ପାଇଁ ରାଉରକେଲା ଖୁବଶୀଘ୍ର ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପରିଗଣିତ ହେବ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହି ଗସ୍ତ ବେଳେ ରାଉରକେଲାର ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।