ନୂଆଦିଲ୍ଲୀ: ବିଶ୍ବ କ୍ରିକେଟରେ ଆଜି ପର୍ଯ୍ୟନ୍ତ ଯେତେ ମ୍ୟାଚ୍ ଖେଳାଯାଇଛି, ୨୦୧୯ ବିଶ୍ବକପ୍ ଫାଇନାଲ୍ ସେସବୁ ମଧ୍ୟରେ ସବୁଠାରୁ ନାଟକୀୟ ଓ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ଥିଲା ବୋଲି ଇଂଲଣ୍ଡ ଦିନିକିଆ ଦଳର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି। ଗତବର୍ଷ ଖେଳାଯାଇଥିବା ଏହି ବିଶ୍ବକପ୍ରେ ଘରୋଇ ଇଂଲଣ୍ଡ ବିଜେତା ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଅତ୍ୟନ୍ତ ରୋମାଞ୍ଚଭରା ଏହି ମ୍ୟାଚ୍ ପ୍ରଥମେ ଟାଇ ରଖିଥିଲା। ଫଳରେ ସୁପର ଓଭରର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ଦୁଇଦଳ ସମାନ ରନ୍ ସଂଗ୍ରହ କରିଥିଲେ। ତେବେ ବାଉଣ୍ଡରି କାଉଣ୍ଟରେ ଭିତ୍ତିରେ ଇଂଲଣ୍ଡ ବିଜୟୀ ଘୋଷିତ ହେବା ସହ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ପରେ ଫଳାଫଳ ନିର୍ଣ୍ଣୟର ଏହି ପଦ୍ଧତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବହୁ ପୂର୍ବତନ ଖେଳାଳି ଏହାକୁ ଖୋଲା ଖୋଲି ସମାଲୋଚନା କରିବା ସହ ନିୟମ ତୁରନ୍ତ ବଦଳାଇବାକୁ ଆଇସିସିକୁ ଆହ୍ବାନ କରିଥିଲେ।
କୋଲକାତା ନାଇଟ ରାଇଡର୍ସ ୱେବସାଇଟ୍ରେ ଛଡ଼ାଯାଇଥିବା ଏକ ଭିଡିଓରେ ମୋର୍ଗାନ୍ ଉକ୍ତ ଫାଇନାଲ୍କୁ ନାଟକୀୟ ବର୍ଣ୍ଣନା କରିଥିଲାବେଳେ ଏଭଳି ଘଟଣା କ୍ରିକେଟକୁ ଅଧିକ ଲୋକପ୍ରିୟ କରାଇପାରିଥିବା କହିଛନ୍ତି। ପୂର୍ବରୁ ୱିମ୍ବଲଡନ୍ରେ ନୋଭାକ ଜୋକୋଭିକ୍ ଓ ରୋଜର ଫେଡେରର୍ଙ୍କ ମଧ୍ୟରେ ଖେଳାଯାଇଥିବା ଏକ ଫାଇନାଲ୍ ମ୍ୟାଚ୍କୁ କ୍ରୀଡ଼ା ଇତିହାସର ସବୁଠୁ ଚର୍ଚିତ, ଲମ୍ବା ଓ ନାଟକୀୟ ମ୍ୟାଚ ଭାବେ ବିବେଚନା କରାଯାଉଛି। ତେବେ ବିଶ୍ବକପ୍ ଫାଇନାଲ୍ ପରଠୁ କ୍ରିକେଟ୍ ସାଧାରଣସ୍ତରଠୁ ଉପରକୁ ଉଠିପାରିଛି। ଏହା ମଧ୍ୟ ଟେନିସକୁ ଟକ୍କର ଦେବା ସ୍ଥିତିରେ ରହିଛି। ବିଶ୍ବକପ୍ ଫାଇନାଲ୍ ପାଇଁ କ୍ରିକେଟ୍ ଖେଳର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି ବୋଲି ମୋର୍ଗାନ୍ କହିଥିଲେ।
ଏଥିପୂର୍ବରୁ ୨୦୧୫ ବିଶ୍ବକପ୍ର ଗ୍ରୁପ୍ ପର୍ଯ୍ୟାୟରୁ ଇଂଲଣ୍ଡକୁ ବିଦା ହେବାକୁ ପଡ଼ିଥିଲା। ଏଭଳି ଏକ ଲଜ୍ଜାଜନକ ପରାଜୟରୁ ବାହାରିପାରି ୪ବର୍ଷ ପରେ ପୁଣି ଥରେ ସେହି ଖେଳର ଶୀର୍ଷରେ ପହଞ୍ଚିବା ଏକ ଅଦ୍ଭୁତଧରଣର ଯାତ୍ରା ବୋଲି ସେ ବର୍ଣ୍ଣନା କରିଥିଲେ। ୨୦୧୫ ପରଠୁ ଯାହା ତ୍ରୁଟି ଥିଲା, ସେଥିରେ ସୁଧାର ଆଣିବା ପାଇଁ ବହୁ ଉଦ୍ୟମ ହୋଇଥିଲା। ଏହି ୪ବର୍ଷ ମଧ୍ୟରେ ମୋର ଅଭିଜ୍ଞତା ଓ ଜ୍ଞାନକୁ ସମସ୍ତ ବରିଷ୍ଠ ଖେଳାଳି ଓ ଦଳୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲି। ତେଣୁ କେତେ ଭଲ ଖେଳ ଖେଳାଯାଇପାରିବ ତାହା ଉପରେ ନିରନ୍ତର ଆଲୋଚନା ହେଉଥିବାବେଳେ ଗତବର୍ଷ ବିଶ୍ବକପ୍ରେ ତାହାର ଫଳ ମିଳିଥିବା ବୋଲି ମୋର୍ଗାନ ମତ ରଖିଥିଲେ। ଚଳିତବର୍ଷର ଆଇପିଏଲରେ ମୋର୍ଗାନ କୋଲକାତା ନାଇଟ୍ ରାଇଡର୍ସ ଦଳରେ ଦୀନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନରେ ଖେଳିବାର ଥିଲା। ହେଲେ ଆଇପିଏଲ୍ର ଏହି ତ୍ରୟୋଦଶ ମ ସଂସ୍କରଣ କୋଭିଡ-୧୯ ମହାମାରୀ ଯୋଗୁଁ ସ୍ଥଗିତ ହୋଇଯାଇଛି। ତଥାପି ସେ କାର୍ତ୍ତିକଙ୍କୁ ପ୍ରଶଂସା କରିବାକୁ ପଛାଇନାହାନ୍ତି। ମୁମ୍ବାଇରେ ଥିବାବେଳେ ଖରାଛୁଟି ପୂର୍ବରୁ ସେ କାର୍ତ୍ତିକଙ୍କ ସହିତ ସାକ୍ଷାତ କରିଥିଲେ। କାର୍ତ୍ତିଜ ଜଣେ ଭଲ ବ୍ୟକ୍ତି ଓ ସଫଳ କ୍ରିକେଟର ହୋଇଥିବାରୁ ତାଙ୍କୁ ପଡ଼ିଆ ଭିତରେ ସମସ୍ତ ପ୍ରକାରର ସହାୟତା କରିବେ ବୋଲି ମୋର୍ଗାନ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/eoin-morgan.jpg)