ରନ୍‌ ଆଉଟ୍‌ ରଙ୍ଗଭୂମି, ସର୍ବାଧିକ ଥର ରନ୍ ଆଉଟ୍ ହୋଇଥିବା ଯୋଡ଼ି

ଯୋଡ଼ିଦାର ଓ ନିଜ ରନ୍‌ ଆଉଟ୍ ଅନୁପାତ

ଭୁବନେଶ୍ବର: କ୍ରିକେଟ୍‌ରେ ଥିବା ୧୦ ପ୍ରକାରର ଆଉଟ୍‌ (ରିଟାର୍ଡକୁ ଛାଡ଼ି) ମଧ୍ୟରୁ ରନ୍‌ ଆଉଟ୍‌କୁ ସବୁଠାରୁ ନିକୃଷ୍ଟ ଧରଣର କୁହାଯାଏ। ବୋଲରକୁ ନୁହେଁ ଏଥି ପାଇଁ ‌କ୍ଷେତ୍ରରକ୍ଷକକୁ ବାହାଦୁରି ମିଳିଥାଏ। ଆଜି ଆସନ୍ତୁ ଏହି କ୍ରମରେ ନଜର ପକାଇନେବା ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଏ ସର୍ବାଧିକ ଥର ରନ୍‌ ଆଉଟ୍‌ ହୋଇଛି, ରନ୍‌ ଆଉଟ୍‌ରେ ସମ୍ପୃକ୍ତ ରହିଛି ଏବଂ ଅନ୍ୟକୁ ରନ୍‌ ଆଉଟ୍‌ କରିଛି। ଏ କ୍ଷେତ୍ରରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ଙ୍କ ନାମ ଆଗରେ ରହିଛି। ଯିଏକି ମୋଟ ୧୦୪ ଥର ସମ୍ପୃକ୍ତ ରହିଛନ୍ତି। ୭୩ ଥର ସାଥୀ‌ ଖେଳାଳିଙ୍କୁ ରନ୍‌ ଆଉଟ୍‌ ରୂପରେ ହରାଇଛନ୍ତି।

୧୦୪: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଷ୍ଟିଭ୍‌ ୱ ମୋଟ ୧୦୪ ଥର ରନ୍‌ ଆଉଟ୍‌ରେ ସମ୍ପୃକ୍ତ ରହିଛନ୍ତି। ୨୭ ଥର ଟେଷ୍ଟ୍ ଏବଂ ୭୭ ଥର ଦିନିକିଆରେ। ଯାହାକି ସମସ୍ତ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସର୍ବାଧିକ। ଏହା ମଧ୍ୟରେ ସେ ନିଜେ ୩୧ ଥର ନିଜେ ରନ୍‌ ଆଉଟ୍ ହୋଇଥିବାବେଳେ ୭୩ ଥର ତାଙ୍କ ସାଥୀ ରନ୍‌ ଆଉଟ୍ ହୋଇଛନ୍ତି। ଏହି ତାଲିକାରେ ଦ୍ବିତୀୟରେ ରହିଛନ୍ତି ରାହୁଲ ଦ୍ରାବିଡ଼। ୧୦୧ ରନ୍‌ ଆଉଟ୍‌ରେ ସଂଶ୍ଲିଷ୍ଟ ରହିଛନ୍ତି ଏହି ଭାରତୀୟ ପ୍ରାଚୀର। କେବଳ ଟେଷ୍ଟ୍‌ରେ ଆଲାନ୍ ବର୍ଡର ସର୍ବାଧିକ ୨୯ ଥର ଏବଂ ଦିନିକିଆରେ ମହମ୍ମଦ ୟୁସୁଫ୍‌ ୭୯ ଥର ରନ୍‌ ଆଉଟ୍‌ରେ ରହିଛନ୍ତି। ଟି-୨୦ରେ ମହମ୍ମଦୁଲ୍ଲା (୨୦) ଶୀର୍ଷରେ ରହିଛନ୍ତି।

୭୩: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଷ୍ଟିଭ୍‌ ୱଙ୍କ ସାଥୀ ୭୩ ଥର ରନ୍‌ ଆଉଟ୍ ହୋଇଛନ୍ତି। ଶିବନାରିନ ଚନ୍ଦରପଲ୍ (୫୬)ଙ୍କଠାରୁ ସେ ୧୭ ଅଧିକ। ଷ୍ଟିଭ୍‌ ୱ ଟେଷ୍ଟ୍‌ରେ ୨୩ ଥର ଏବଂ ଦିନିକିଆରେ ୫୦ ଥର ସାଥୀଙ୍କୁ ରନ୍‌ ଆଉଟ୍‌ରେ ହରାଇଛନ୍ତି। ଏହି ତାଲିକାର ଶୀର୍ଷ ୫ରେ ରହିଥିବା ଅନ୍ୟ ଖେଳାଳିମାନେ ‌ହେଲେ ସଚିନ ତେନ୍ଦୁଲକର, ତିଲକରତ୍ନେ ଦିଲସାନ୍‌ (ପ୍ରତ୍ୟେକ ୫୫) ଏବଂ ଅରବିନ୍ଦ ଡି’ସିଲଭା (୫୧)।

୩.୧୩: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିଜ ରନ୍‌ ଆଉଟ୍‌ ଏବଂ ସାଥୀ ଖେଳାଳିଙ୍କ ରନ୍‌ ଆଉଟ୍ ଅନୁପାତରେ ଆଞ୍ଜେଲୋ ମାଥ୍ୟୁସ (୩.୧୩) ଆଗରେ ରହିଛନ୍ତି। ଅନ୍ୟୁନ ୩୦ ରନ୍‌ ଆଉଟ୍ ଖେଳାଳିଙ୍କ ମଧ୍ୟରେ ମାଥ୍ୟୁସ ୧୬ ଥର ଆଉଟ୍ ହୋଇଥିବାବେଳେ ୫୦ ଜଣଙ୍କୁ ରନ୍‌ ଆଉଟ୍‌ କରାଇଛନ୍ତି। ଟେଷ୍ଟ୍‌ରେ ଷ୍ଟିଭ୍‌ ୱ (୫.୮) ଶୀର୍ଷରେ (ଅନ୍ୟୁନ ୨୦ ରନ୍‌ ଆଉଟ୍‌) ରହିଛନ୍ତି। ଦିନିକିଆରେ ମାଥ୍ୟୁସ (୩୪/୮, ଅନ୍ୟୁନ ୩୦) ଏବଂ ଟି-୨୦ରେ ଡାରେନ୍ ସାମି (୧୦/୧) ଶୀର୍ଷରେ (ଅନ୍ୟୁନ ୧୦) ରହିଛନ୍ତି।

୧୧.୫୯: ଅନ୍ତର୍ଜାତୀୟ ଜୀବନରେ ୱାସିମ୍ ଆକ୍ରମଙ୍କ ରନ୍‌ ଆଉଟ୍ ଭାଗୀଦାରି ପ୍ରତିଶତ ହେଉଛି ୧୧.୫୯। ୬୮୬ ପାଳିରୁ ସେ ୭୪ ରନ୍‌ ଆଉଟ୍ ହୋଇଛନ୍ତି। ଅନ୍ୟୁନ ୫୦୦ ଭାଗୀଦାରି ଖେଳ୨୫ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ ଏହା ସର୍ବୋଚ୍ଚ (ସମସ୍ତ ଫର୍ମାଟ୍‌)। ଏହାର ଅନ୍ୟ ପାର୍ଶ୍ବରେ ଆଲେଷ୍ଟର୍‌ କୁକ୍‌ଙ୍କ ପ୍ରତିଶତ ରହିଛି ୧.୫୪। ୮୩୯ ମଧ୍ୟରୁ ୧୩ ସାଥୀ ରନ୍‌ ଆଉଟ୍ ହୋଇଛନ୍ତି।


୧୨୧: ଅଷ୍ଟ୍ରେଲିଆର କେନ୍‌ ମ୍ୟାକେ ୧୨୧ ଜଣ ସାଥୀଙ୍କ ପର୍ଯ୍ୟନ୍ତ ଜଣେ ବି ରନ୍‌ ଆଉଟ୍ ହୋଇନଥିଲେ। ରନ୍‌ ଆଉଟ୍ ବିନା ସର୍ବାଧିକ ଭାଗୀଦାରିରେ ଏହା ସର୍ବାଧିକ। ରିଦ୍ଧିମାନ ସାହା ଏ ପର୍ଯ୍ୟନ୍ତ ୧୦୭* ଭାଗୀଦାରି ବିନା ରନ୍‌ ଆଉଟ୍‌ ସହ ଦ୍ବିତୀୟରେ ରହିଛନ୍ତି।

୧୨.୧୭: ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କ ଭାଗୀଦାରିର ରନ୍‌ ଆଉଟ୍ ପ୍ରତିଶତ ରହିଛି ୧୨.୧୭। ୧୫୬ ପାଳିରେ ଏମାନେ ୧୯ ଥର ରନ୍ ଆଉଟ୍ ହୋଇଥିଲେ। ୧୦୦ରୁ ଅଧିକ ଭାଗୀଦାରି ଗଢ଼ିଥିବା ୬୪ ଯୋଡ଼ି ମଧ୍ୟରେ ଏହା ସର୍ବୋଚ୍ଚ। ଗାଙ୍ଗୁଲି ୭ ଥର ଏବଂ ଦ୍ରାବିଡ଼ ୧୨ ଥର ରନ୍‌ ଆଉଟ୍ ହୋଇଥିଲେ। ଉଭୟଙ୍କ ୧୯ ରନ୍‌ ଆଉଟ୍ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଯୁଗ୍ମ ସର୍ବାଧିକ। ସନଥ ଜୟସୁରିଆ ଏବଂ ମାର୍ବଣ ଆଟାପାଟ୍ଟୁ (୨୬୬) ମଧ୍ୟ ୧୯ ଥର୍ ରନ୍‌ ଆଉଟ୍ ହୋଇଛନ୍ତି।

୧୨୪: ବ୍ରେଣ୍ଡନ୍ ମ୍ୟାକଲମ୍ ଏବଂ ମାର୍ଟିନ ଗପ୍ଟିଲ୍‌ ବିନା ରନ୍‌ ଆଉଟ୍‌ରେ ସର୍ବାଧିକ ୧୨୪ ଭାଗୀଦାରି କରିଛନ୍ତି। ୧୧ ଯୋଡ଼ି ରହିଛନ୍ତି ଯିଏ ୫୦ରୁ ଊର୍ଧ୍ବ ଭାଗୀଦାରି ବିନା ରନ୍‌ ଆଉଟ୍‌ରେ ଖେଳିଛନ୍ତି। ଗପ୍ଟିଲ୍‌ ଏ ମଧ୍ୟରୁ ୩ଟିରେ ରହିଛନ୍ତି। ମ୍ୟାକଲମଙ୍କ ସହିତ ଟମ୍ ଲଥାମ (୬୨ ଭାଗୀଦାରି), କଲିନ୍ ମୁନରୋ (୫୬ ଭାଗୀଦାରି)ଙ୍କ ସହ ମଧ୍ୟ ସେ ରନ୍‌ ଆଉଟ୍ ହୋଇନାହାନ୍ତି।

୨୭୦: ୧୩୧ ଟେଷ୍ଟ୍ ମ୍ୟାଚ୍‌ ଜୀବନରେ କପିଳ ଦେବ ସର୍ବାଧିକ ୨୭୦ ଭାଗୀଦାରିରେ ଥରେ ବି ରନ୍‌ ଆଉଟ୍ ନ ହୋଇ ଏକ କୀର୍ତ୍ତିମାନ ରଖିଛନ୍ତି। ୧୦୦ରୁ ଅଧିକ ଟେଷ୍ଟ୍ ‌ଖେଳି ଆଦୌ ରନ୍‌ ଆଉଟ୍ ନହେବାରେ ସେ ଏକମାତ୍ର ଖେଳାଳି। କପିଳ କିନ୍ତୁ ଏହି ୨୭୦ ଭାଗୀଦାରି ମଧ୍ୟରେ ମାତ୍ର ୨ ଥର ସାଥୀଙ୍କୁ ରନ୍‌ ଆଉଟ୍ ହେବା ଦେଖିଥିଲେ। କପିଳଙ୍କ ତଳକୁ ଡିନ୍ ଏଲଗାର ୬୩ ଟେଷ୍ଟ୍, ୨୫୯ ଭାଗୀଦାରିରେ ରନ୍‌ ଆଉଟ୍ ‌ହୋଇନାହାନ୍ତି। ବର୍ତମାନର ବ୍ୟାଟସମ୍ୟାନଙ୍କ ମଧ୍ୟରେ ଜନି ବେୟାର‌ଷ୍ଟୋ (୭୦ ଟେଷ୍ଟ, ୨୫୭ ଭାଗୀଦାରି), ଦୀନେଶ ଚାନ୍ଦିମାଳ (୫୭ ଟେଷ୍ଟ, ୨୧୬ ଭାଗୀଦାରି), ଅଜିଙ୍କ୍ୟ ରାହା‌ଣେ (୬୫ ଟେଷ୍ଟ୍‌, ୨୧୧ ଭାଗୀଦାରି), ଟମ୍ ଲଥାମ୍ (୫୨ ଟେଷ୍ଟ, ୨୦୪ ଭାଗୀଦାରି) ନିଜ ଖେଳ ଜୀବନରେ (ଅନ୍ୟୁନ ୨୦୦) ଭାଗୀଦାରି କେବେ ରନ୍‌ ଆଉଟ୍ ହୋଇନାହାନ୍ତି।

୮୫: ନିଜ ଖେଳ ଜୀବନରେ ପ୍ରଥମ ଥର ପାଇଁ ରନ୍‌ ଆଉଟ୍ ହେବା ବେଳକୁ ଆଲିଷ୍ଟର୍ କୁକ୍ ୮୫ ଟେଷ୍ଟ୍‌ ଖେଳି ସାରିଥିଲେ। ଏହା ସବୁଠାରୁ ଦୀର୍ଘତମ ହୋଇ ରହିଛି। ତାଙ୍କ ‌ପ୍ରଥମ ଏବଂ ଏକମାତ୍ର ରନ୍‌ ଆଉଟ୍ ୨୦୧୨ ମସିହାର କୋଲକାତା ଟେଷ୍ଟ୍ (୧୯୦ ବନାମ ଭାରତ, ଇଡେନ୍ ଗାର୍ଡେନ୍ସ)ରେ ହୋଇଥିଲା। ଏହା ମଧ୍ୟ ତାଙ୍କ ପ୍ରଥମ ଶ୍ରେଣୀ ଜୀବନର ପ୍ରଥମ ରନ୍‌ ଆଉଟ୍‌। ଏହା ପରେ ସେ ଆଉ ୭୫ ଟେଷ୍ଟ୍ ଖେଳି ବିନା ରନ୍‌ ଆଉଟ୍‌ରେ ଅବସର ନେଇଥିଲେ। ଏହି ଦୀର୍ଘତମ ବିନା ରନ୍‌ ଆଉଟ୍ ତାଲିକାର ଶୀର୍ଷ ୫ର ଅବଶିଷ୍ଟ ଖେଳାଳି ହେଉଛନ୍ତି ନାଥନ୍ ଲାୟନ୍ (୭୭), ମାର୍ଲନ ସାମୁଏଲ୍ସ (୬୪), ଟିମ୍ ସାଉଦି (୬୨) ଏବଂ କର୍ଟିନୀ ୱାଲ୍ସ (୫୭)।

୬୪: ନିଜର ସାଥିଙ୍କ ‌ରନ୍‌ ଆଉଟ୍ ପୂର୍ବରୁ ଅଜିଙ୍କ୍ୟ ରାହାନେ ୬୪ ଟେଷ୍ଟ୍ ଖେଳିଥିଲେ। ଚଳିତ ବର୍ଷ ୱେଲିଂଟନ୍ ଟେଷ୍ଟ୍‌ରେ ଋଷବ ପନ୍ତ୍‌ ରନ୍ ଆଉଟ୍ ହେବା ପରେ ସେ ସାଥି ଖେଳାଳି ଥିଲେ। ରାହାନେଙ୍କ ଟେଷ୍ଟ୍ ଜୀବନର ଏହା ଥିଲା ୨୦୫ତମ ପାଳି।

୪: ସବୁ ଫର୍ମାଟରେ ଜଣେ ଖେଳାଳି ସର୍ବାଧିକ ୪ ରନ୍‌ ଆଉଟ୍‌ରେ ସଂଶ୍ଲିଷ୍ଟ ରହିଛନ୍ତି। ଦୁଇ ଜଣ ଖେଳାଳିଙ୍କ ଜୀବନରେ ଏହି ଅଲୋଡ଼ା କୀର୍ତ୍ତିମାନ ଦେଖିବାକୁ ମିଳିଛି, ଉଭୟ ଦିନିକିଆା ଫର୍ମାଟ୍‌ରେ। ୨୦୦୧ରେ ପର୍ଥରେ ଜିମ୍ବାୱେ ବିପକ୍ଷରେ ବ୍ରାଏନ୍ ଲରା ଏବଂ ୨୦୧୧ରେ ଇଡେନ୍ ଗାର୍ଡେନ୍ସରେ ଆୟର୍ଲାଣ୍ଡ୍ ବିପକ୍ଷରେ ନେଦରଲାଣ୍ଡ୍‌ର ମୁଦାଦର ବୁଖାରି। ଲାରା ୯୮ ବଲ୍‌ରୁ ୮୩* ରନ୍ କରିଥିବାବେଳେ ଅନ୍ୟ ପଟେ ୪ ଜଣ ରନ୍‌ ଆଉଟ୍ ହୋଇଥିଲେ। ବୁଖାରି ମାତ୍ର ୨୨ ମିନିଟ୍‌ ଖେଳିଥିଲେ ମଧ୍ୟ ୩ ଜଣଙ୍କ ରନ୍‌ ଆଉଟ୍ ପରେ ନିଜେ ୫୦ତମ ଓଭରରେ ରନ୍‌ ଆଉଟ୍ ହୋଇଥିଲେ।

ସମ୍ବନ୍ଧିତ ଖବର